ଗଜପତିଙ୍କୁ ‘ପେଡ୍‌ କିଙ୍ଗ୍‌’ ଆକ୍ଷେପକୁ ନେଇ ତୀବ୍ର ପ୍ରତିକ୍ରିୟା, ଆଇନର ଆଶ୍ରୟ ନେବ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ

କେନ୍ଦୁଝରର ବଳଦେବଜିଉ ରଥ ବିଶ୍ବର ଉଚ୍ଚତମ ରଥ ଭାବେ ଗିନିଜ୍ ବୁକରେ ସ୍ଥାନ ପାଇବା ନେଇ କ୍ଷୋଭ ପ୍ରକାଶ କଲେ ଗଜପତି

ପୁରୀ : ପୁରୀ ଗଜପତି ମହାରାଜ ଦିବ୍ୟସିଂହ‌ ଦେବଙ୍କ ପାଉଣାକୁ ନେଇ ବେଶ୍‌ କିଛିଦିନ ହେବ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେଉଛି। କାହିଁକି ଗଜପତି ମହାରାଜ ଏତେ ଟଙ୍କାର ପାଉଣା ପାଇବେ ବୋଲି କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ସୋସିଆଲ୍‌ ମିଡିଆରେ ଯୁକ୍ତି ବାଢ଼ିଛନ୍ତି। ଏପରିକି କଟକରୁ ପ୍ରକାଶିତ ଏକ ଇଂରାଜୀ ଖବରକାଗଜରେ ଗଜପତି ମହାରାଜାଙ୍କୁ ‌‘ପେଡ୍‌ କିଙ୍ଗ୍‌’ ବୋଲି ଆଖ୍ୟା ଦେଇ ସମ୍ପାଦକୀୟ ପ୍ରକାଶ କରାଯାଇଛି। ଏହାକୁ ଦୃଢ଼ ବିରୋଧ କରିଛି ଶ୍ରୀଜଗନ୍ନାଥ ଭକ୍ତ ପରିଷଦ। ସେହିଭଳି ମୁକ୍ତିମଣ୍ଡପର ପୂର୍ବତନ ମୁଖ୍ୟ ଉପଦେଷ୍ଟା ବି ଏହାକୁ ଦୃଢ଼ ବିରୋଧ କରିଛନ୍ତି। ଗଜପତି ମହାରାଜା ସ୍ଥାନ ଅନନ୍ୟ ଓ ତାଙ୍କୁ ନେଇ ଏଭଳି ଚର୍ଚ୍ଚା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ସମ୍ପୃକ୍ତ ଖବରକାଗଜ ପ୍ରକାଶିତ ସଂପାଦକୀୟ ସଂପର୍କରେ କ୍ଷମାପ୍ରାର୍ଥନା ନ କଲେ ଏବଂ ସୋସିଆଲ୍‌ ମିଡିଆରେ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରୁଥିବା ବ୍ୟକ୍ତି ଏଥିରୁ କ୍ଷାନ୍ତ ନ ରହିଲେ, ଆଇନର ଆଶ୍ରୟ ନିଆଯିବ ବୋଲି ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ଆବାହକ ସୂର୍ଯ୍ୟନାରାୟଣ ରଥ, ମୁକ୍ତିମଣ୍ଡପ ପୂର୍ବତନ ମୁଖ୍ୟ ଉପଦେଷ୍ଟା ଦୁର୍ଗାପ୍ରସାଦ ମହାପାତ୍ର କହିଛନ୍ତି।

ଶ୍ରୀ ରଥ କହିଛନ୍ତି ଯେ ସମଗ୍ର ହିନ୍ଦୁଙ୍କ ଘରେ ଯଦି କେହି ଜନ୍ମ ନିଏ, ସେମାନଙ୍କ ଜନ୍ମଜାତକ ଲେଖିବା ପୂର୍ବରୁ ପ୍ରଥମେ ‘ବୀର ଶ୍ରୀ ଗଜପତି ଗଉଡେଶ୍ୱର ନବକୋଟି କର୍ଣ୍ଣାଟୋତ୍କଳ ବର୍ଗେଶ୍ୱର ବିରାଧିବିରବର ପ୍ରତାପି ଶ୍ରୀ ଦିବ୍ୟସିଂହ ଦେବ ମହାରାଜା(ବର୍ତ୍ତମାନର) ଅଙ୍କ’ ବୋଲି ଉଲ୍ଲେଖ କରାଯାଏ। ଗଜପତି ମହାରାଜ ଦିବ୍ୟସିଂହ ଦେବ ମହାପ୍ରଭୁଙ୍କ ଆଦ୍ୟ ସେବକ ହୋଇଥିବାବେଳେ ତାଙ୍କୁ ଭକ୍ତମାନେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ବୋଲି ମାନ୍ୟ କରିଥାନ୍ତି। ସାରା ଭାରତବର୍ଷରେ ପୁରୀ ଗଜପତିଙ୍କ ସ୍ଥାନ ସ୍ବତନ୍ତ୍ର। ସରକାରଙ୍କ ଶ୍ରୀମନ୍ଦିର ଆଇନରେ ପରିଚାଳନା କମିଟିର ମୁଖ୍ୟ ଅଛନ୍ତି ଗଜପତି ମହାରାଜ। ଶ୍ରୀମନ୍ଦିର ସ୍ବତ୍ବଲିପିରେ ଗଜପତି ମହାରାଜଙ୍କୁ ପ୍ରଥମ ସେବକଙ୍କ ସ୍ଥାନ ଦିଆଯାଇଛି। ସେ ହେଉଛନ୍ତି ମୁକ୍ତିମଣ୍ଡପ ଓ ମୁକ୍ତିମଣ୍ଡପ ପଣ୍ଡିତସଭାର ପୃଷ୍ଠପୋଷକ। ତେଣୁ ତାଙ୍କୁ ଏଭଳି ସମାଲୋଚନା ନିନ୍ଦନୀୟ ବୋଲି ଶ୍ରୀ ରଥ କହିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ଗଜପତି ମହାରାଜଙ୍କ ପ୍ରତି ଏଭଳି ଲେଖା ଅରୁଚିକର ଓ ଅକ୍ଷମଣୀୟ। ଯିଏ ସମ୍ମାନ ଦେଇ ଜାଣିନି, ତାଙ୍କୁ ନିନ୍ଦା କରିବାର ଅଧିକାର ନାହିଁ। ସରକାର ଗଜପତିଙ୍କୁ ସେବକର ପାଉଣା କେବଳ ଦେଉଛନ୍ତି। ଏହା ତାଙ୍କର ପ୍ରାପ୍ୟ। ସମୟ ଅନୁଯାୟୀ ଅନ୍ୟ ସେବକଙ୍କ ଭଳି ଗଜପତି ମହାରାଜଙ୍କର ପାଉଣାରେ ବୃଦ୍ଧି କରାଯାଇଛି। କିନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତି, ମହାପ୍ରଭୁ ଓ ଗଜପତିଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ନ ଜାଣି, ଏଭଳି ପ୍ରଚାର କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe