ଶୀତଳଷଷ୍ଠୀ ପାଇଁ ଥାଳ ଉଠିଲା: ସାମିଲ ହେଲେ ଧର୍ମେନ୍ଦ୍ର, ପ୍ରଣବ, ଜୟ ଓ ରୋହିତ

ଲୋକନାଥ ମନ୍ଦିରରେ ଦେବାଶିଷ-ରୀତିମୁକ୍ତା କନ୍ୟାପିତାମାତା

ଶୀତଳଷଷ୍ଠୀ ପାଇଁ ଥାଳ ଉଠିଲା: ସାମିଲ ହେଲେ ଧର୍ମେନ୍ଦ୍ର, ପ୍ରଣବ, ଜୟ ଓ ରୋହିତ

ସମ୍ବଲପୁର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ପ୍ରଚଳିତ ପରମ୍ପରା ଅନୁସାରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ‘ଥାଳଉଠା’ କାର୍ଯ୍ୟକ୍ରମ ଅକ୍ଷୟ ତୃତୀୟା ତିଥିରେ ସଂପନ୍ନ ହୋଇଛି। ‌ଏବେ ନିର୍ବାଚନ ଋତୁ ଚାଲିଥିବାରୁ ନେତାମାନେ ଏହି ପବିତ୍ର କାର୍ଯ୍ୟକ୍ରମକୁ ହାତଛଡ଼ା କରିବାକୁ ଚାହିନଥିଲେ। ସମ୍ବଲପୁର ଲୋକସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ପ୍ରାର୍ଥୀ ତଥା ଦଳର ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ସମ୍ବଲପୁର ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ଓ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ସହରର ବିଭିନ୍ନ ପଡ଼ାର ଥାଳଉଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ସେମାନେ ଦେବଦେବ ମହାଦେବଙ୍କଠାରୁ ଆଶୀର୍ବାଦ ଲୋଡ଼ିବା ସହିତ କାର୍ଯ୍ୟକ୍ରମରେ ସାମିଲ ହୋଇ ସହରବାସୀଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଥିଲେ।

ଆଦ୍ୟ ପରମ୍ପରା ଅନୁଯାୟୀ ଅପରାହ୍ଣ ୪ଟାରେ ସମ୍ବଲପୁର ନନ୍ଦପଡ଼ାର ବଂବରାଡ଼ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥିଲା। ଶୀତଳଷଷ୍ଠୀ ଉତ୍ସବର ସଫଳତା ପାଇଁ ଧୂପ, ଦୀପ, ପୁଷ୍ପ, ବେଲପତ୍ର ଓ ନୈବେଦ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା। ଆଳତି ପରେ ବିଧିମତେ ବରପିତା ରାମଚରଣ ମିଶ୍ରଙ୍କ ପ୍ରତିନିଧି ରୂପେ ତାଙ୍କ ଭାଇ ବିଭୂତି ଭୂଷଣ ମିଶ୍ର ଥାଳଉଠା ପରଂପରା ସଂପ‌ାଦନ କରିଥିଲେ। ଘଣ୍ଟ, ଶଙ୍ଖ ଓ ଅନ୍ୟାନ୍ୟ ବାଦ୍ୟର ଆସରରେ ବେଶ୍‌ ଉତ୍ସାହର ସହିତ ଏହି ଧାର୍ମିକ ଉତ୍ସବର ଶୁଭାରମ୍ଭ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା। ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଥିଲା। ସେହିପରି ବିଧିମତେ ଝାଡ଼ୁଆପଡ଼ା ଲୋକନାଥ ବାବାଙ୍କ ଥାଳ ଉଠା କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ସଂପନ୍ନ ହୋଇଛି। ସକାଳେ ମନ୍ଦିରରେ ଜଳାଭିଷେକ ହୋଇଥିଲା। ପୂଜାର୍ଚ୍ଚନା ପରେ ବରପକ୍ଷ ଅମରନାଥ ସୂପକାର ଓ ଅମିୟ ସୂପକାର ମନ୍ଦିରରୁ ଥାଳ ଉଠାଇଥିଲେ। ଚଳିତ ବର୍ଷ କନ୍ୟାପିତାମାତା ଦାୟିତ୍ବ ନିର୍ବାହ କରୁଥିବା ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି ଓ ରୀତିମୁକ୍ତା ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe