ଯାଜପୁରରୁ ପୁଣି ଲଢ଼ିବାକୁ ପ୍ରସ୍ତୁତ: ବବି

ଯାଜପୁର ବିଧାନସଭା ଆସନରେ ଉପନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଆଜି ଖୋରାକ ଯୋଗାଇଛନ୍ତି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)। ଆଜି ବିଜେଡିର ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ ଅବସରରେ ବବି ପୁଣିଥରେ ଲଢ଼ିବାକୁ ପ୍ରସ୍ତୁତ ବୋଲି ଖୋଲା ମଞ୍ଚରେ ଘୋଷଣା କରିଛନ୍ତି।

gjgdjjgd

ଯାଜପୁରସଦର/ଦଶରଥପୁର: ଯାଜପୁର ବିଧାନସଭା ଆସନରେ ଉପନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଆଜି ଖୋରାକ ଯୋଗାଇଛନ୍ତି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)। ଆଜି ବିଜେଡିର ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ ଅବସରରେ ବବି ପୁଣିଥରେ ଲଢ଼ିବାକୁ ପ୍ରସ୍ତୁତ ବୋଲି ଖୋଲା ମଞ୍ଚରେ ଘୋଷଣା କରିଛନ୍ତି। ବବିଙ୍କ ଏ ପ୍ରକାର ଦମ୍ଭୋକ୍ତି ପରେ ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ଇସ୍ତଫାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ପୁଣି ଥରେ ଜୋର୍‌ ଧରିଛି। ସଭାରେ କର୍ମୀଙ୍କ ଉପସ୍ଥିତି ଓ ଉତ୍ସାହକୁ ଦେଖି ତାଙ୍କ ପାଖରେ ଏବେ ଶତସିଂହର ବଳ ଆସିଛି। ମା’ ବିରଜାଙ୍କ ଆଶୀର୍ବାଦରୁ ସେ ପୁଣିଥରେ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଥିଲେ ବବି। ତାଙ୍କର ଏହି ମନ୍ତବ୍ୟକୁ ନେଇ ଯାଜପୁର ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ, ନୂଆ ସରକାରଙ୍କୁ ମଧ୍ୟ ସେ ଖୋଲା ଆହ୍ବାନ ଦେଇଛନ୍ତି। ଯଦି ଦୁର୍ନୀତି କରିଛି, ୪ ମାସ ହେଲାଣି ତାଙ୍କୁ ଏଯାଏ ବାନ୍ଧିନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଜେଲ୍‌ରେ ପୂରାଅ କି ଫାଶୀ ଦିଅ, ହେଲେ ଯାଜପୁର ବିକାଶରେ ବାଧା ଦିଅନି ବୋଲି କହିଛନ୍ତି।  

ନୂଆ ସରକାରଙ୍କୁ ଖୋଲା ଆହ୍ବାନ: ଦୁର୍ନୀତି ଯଦି କରିଛି ବାନ୍ଧୁନ କାହିଁକି?
ଫାଶୀ ଦିଅ ପଛେ, ଯାଜପୁର ବିକାଶରେ ବାଧା ଦିଅନି 

ଆଜି ଯାଜପୁର ନିର୍ବାଚନମଣ୍ଡଳୀର କୁଆଁସ ମଙ୍ଗଳାପୀଠରେ ବିଜେଡି ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଯୋଗ ଦେଇ ବବି ଉପସ୍ଥିତ ସମର୍ଥକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମଗ୍ର ଓଡ଼ିଶା ବବି ଦାସଙ୍କୁ ନେଇ ଚର୍ଚ୍ଚା କରୁଥିବା ବେଳେ ଯାଜପୁରବାସୀ ତାଙ୍କ ମାନସମ୍ମାନ ରଖିଛନ୍ତି। ତାଙ୍କ ଅନୁପସ୍ଥିତିରେ ଯାଜପୁରରେ ବିଜେଡି ପ୍ରାର୍ଥୀ ସୁଜାତା ସାହୁଙ୍କୁ ବିଜୟୀ କରାଇଥିବାରୁ ସେ କୃତଜ୍ଞ। ନବୀନ ପଟ୍ଟନାୟକଙ୍କ ପରାମର୍ଶରେ ସେ ସମ୍ବଲପୁରରୁ ନିର୍ବାଚନ ଲଢ଼ିଥିଲେ। ଯାଜପୁର ବିଧାୟିକା ପ୍ରାର୍ଥୀଙ୍କ ପାଇଁ ଦିନେ ବି ସମୟ ଦେଇପାରିନଥିଲେ। ତଥାପି ଯାଜପୁରବାସୀ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରାଇଛନ୍ତି। ଅଶୋକ ଦାସଙ୍କ ପୁଅ ଭାବେ ତାଙ୍କର ଜେଲ୍‌ ଯିବାକୁ ଭୟ ନାହିଁ। ସୁଯୋଗ ଆସିଲେ ଲଢ଼ିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ। ଯାଜପୁର ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ଓ ବିଧାୟିକା ସୁଜାତାଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବବି ଦାସଙ୍କ ଏପରି ଘୋଷଣା ରାଜନୈତିକ ପାଣିପାଗକୁ ଉଷ୍ମ କରିଛି। ସଭାମଞ୍ଚରେ ଯାଜପୁର ବିଧାୟିକା ସୁଜାତା ସାହୁ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ବିଜେଡି ଜିଲ୍ଲା ସଭାପତି ସରୋଜ ମହାପାତ୍ର, ଦଶରଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା, ବିଜେଡି ନେତା କର୍ଣ୍ଣାଟ କେଶରୀ ଦାସ ଓ ଅନେକ ବିଜେଡି ନେତୃବୃନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe