ରେବ-କପାଳୀ ନଦୀ ସଂସ୍କାର ପ୍ରସଙ୍ଗ: ପ୍ରଭାବିତଙ୍କୁ ମିଳୁନି କ୍ଷତିପୂରଣ

Advertisment
ରେବ-କପାଳୀ ନଦୀ ସଂସ୍କାର ପ୍ରସଙ୍ଗ: ପ୍ରଭାବିତଙ୍କୁ ମିଳୁନି କ୍ଷତିପୂରଣ

OrissaPOST

ଅସୁରାଳି: ରେବ ଓ କପାଳୀ ନଦୀ ସଂସ୍କାର କାର୍ଯ୍ୟକୁ ଦୀର୍ଘ ୧୪ ବର୍ଷ ଅତିକ୍ରାନ୍ତ ହୋଇଛି। କ୍ଷତିଗ୍ରସ୍ତଙ୍କୁ ଏଯାଏଁ କ୍ଷତିପୂରଣ ମିଳିଲାନି। ଜିଲ୍ଲାର ୯ଟି ରାଜସ୍ବ ଗାଁ’ର କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଥିବା ଶତାଧିକ ପରିବାର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କ୍ଷତିଗ୍ରସ୍ତମାନଙ୍କ ଏକ ପ୍ରତିନିଧି ଦଳ ଏନେଇ ଜିଲ୍ଲା ଭୂ-ଅର୍ଜନ ଅଧିକାରୀଙ୍କ ନିକଟରେ ପୁଣିଥରେ ଫେରାଦ ହୋଇଛନ୍ତି। ଗତ ୨୦୦୮-୦୯ ମସିହାରେ ରେବ ଏବଂ କପାଳୀ ନଦୀ ସଂସ୍କାର ହୋଇଥିଲା। ଦୁଇ ନଦୀର ଶଯ୍ୟା ଖନନ ସମୟରେ ଠିକାଦାର ସରକାରଙ୍କ ରାଜସ୍ୱ, ଜଙ୍ଗଲ ଓ ପରିବେଶ, ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ ଆଦି ନିୟମକୁ ଉଲ୍ଲଂଘନ କରି କାର୍ଯ୍ୟ କରିଥିଲେ।

ଏଥିସକାଶେ ରେବ ଓ କପାଳୀ ନଦୀର ଦୁଇପାଖରେ ଥିବା ସାଧାରଣ ଲୋକଙ୍କ ବ୍ୟକ୍ତିଗତ ଜମି, ଫସଲ, ମୂଲ୍ୟବାନ ଗଛ, ପାନବରଜ ଆଦି ନଦୀଗର୍ଭରେ ଲୀନ ହୋଇଯାଇଥିଲା। ଏଭଳି ଅବସ୍ଥା ବନ୍ତ, ଭଣ୍ଡାରିପୋଖରୀ, ଭଦ୍ରକ ଏବଂ ଧାମନଗର ବ୍ଲକ୍‌ରେ ଦେଖିବାକୁ ମିଲିଥିଲା। ଏହାକୁ ନେଇ ଅନେକ ଆନ୍ଦୋଳନ ଓ ପ୍ରତିବାଦ ସାଙ୍ଗକୁ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ମାନବାଧିକାର କର୍ମୀ ସୁପ୍ରିମ୍‌କୋର୍ଟର ଅଧିବକ୍ତା ରାଧାକାନ୍ତ ତ୍ରିପାଠୀ ଏ ସମ୍ପର୍କରେ ଏକାଧିକ ମାମଲା ରୁଜୁ କରିଥିଲେ। ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ୩୫ଟି ରାଜସ୍ୱ ଗ୍ରାମର କ୍ଷତିଗ୍ରସ୍ତ କ୍ଷତିପୂରଣ ପାଇବାରେ ସଫଳ ହୋଇଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଧାମନଗର, ଭଦ୍ରକ ଓ ଭଣ୍ଡାରିପୋଖରୀ ଅଞ୍ଚଳର ୯ଟି ରାଜସ୍ବ ଗ୍ରାମର ଶତାଧିକ ପ୍ରଭାବିତ ସେମାନଙ୍କ ହକ଼୍‌ରୁ ବଞ୍ଚିତ ରହିଛନ୍ତି।

ଏମାନେ ଏ ବାବଦରେ ଅନେକଥର ଜିଲ୍ଲା ପ୍ରଶାସନ ଏବଂ ରାଜସ୍ୱ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସାମାନ୍ୟ ସୁଫଳ ପାଇପାରିନାହାନ୍ତି। ଜିଲ୍ଲା ଭୂ-ଅର୍ଜନ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଚଳିତ ବର୍ଷ ଫେବ୍ରୁଆରି ମାସ ସୁଦ୍ଧା କ୍ଷତିପୂରଣ ପ୍ରଦାନ କରିବା ପାଇଁ ସମୟ ଦିଆଯାଇଥିଲା ବେଳେ ତତ୍କାଳୀନ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଉପଯୁକ୍ତ ସମନ୍ବୟ ନରହି ବିଭାଗ ପାଇଁ ଧାର୍ଯ୍ୟ ସମୟସୀମା ଅତିକ୍ରାନ୍ତ ହୋଇଯାଇଥିଲା। ଯାହା ଦ୍ୱାରା କ୍ଷତିପୂରଣ ମିଳିବା ନେଇ ପୁନଶ୍ଚ ଅନିଶ୍ଚିତତା ଦେଖାଦେଇଥିଲା। ଏବେର ଜିଲ୍ଲା ଭୂ-ଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳଙ୍କୁ କ୍ଷତିଗ୍ରସ୍ତ ମଞ୍ଚର କର୍ମକର୍ତ୍ତାମାନେ ଭେଟିଥିିଲେ। କ୍ଷତିଗ୍ରସ୍ତ ମଞ୍ଚର ଆବାହକ କାଳନ୍ଦୀ ମଲ୍ଲିକ, ସଭାପତି ଭାଗିରଥୀ  ବେହୁରିଆ, ଦେବେନ୍ଦ୍ର ସେଠୀ, ଦିଲ୍ଲୀପ କୁମାର ମଲ୍ଲିକ, ସୀତାଂଶୁ ସାମଲ ପ୍ରମୁଖ ଏହି ପ୍ରସଙ୍ଗରେ ଭୂ-ଅର୍ଜନ ଅଧିକାରୀଙ୍କୁ ସାକ୍ଷାତ କରି ସେମାନଙ୍କର ପରବର୍ତ୍ତୀ କାର୍ଯ୍ୟପନ୍ଥା ବାବଦରେ ଅବଗତ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe