ଲୋମଶକନ୍ୟା ରେବତୀ ଏବେ ଅସହାୟ

Advertisment

ଝୁମ୍ପୁଡ଼ି ଘରେ ଦୟନୀୟ ଅବସ୍ଥାରେ କାଟୁଛନ୍ତି ଦିନ, ୧୦ ଦିନ ବ୍ୟବଧାନରେ ଆଖି ବୁଜିଥିଲେ ବାପା, ମା’

ଝୁମ୍ପୁଡ଼ି ଘରେ ଦୟନୀୟ ଅବସ୍ଥାରେ କାଟୁଛନ୍ତି ଦିନ, ୧୦ ଦିନ ବ୍ୟବଧାନରେ ଆଖି ବୁଜିଥିଲେ ବାପା, ମା’

ଲୋମଶକନ୍ୟା ରେବତୀ ଏବେ ଅସହାୟ

ବୌଦ୍ଧ,(ବିଧାନ ବଳ): ୨୦୦୮ ମସିହାରେ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିବା ଲୋମଶକନ୍ୟା ରେବତୀ କହଁର ଏବେ ଅସହାୟ! ୧୦ଦିନ ବ୍ୟବଧାନ ମଧ୍ୟରେ ତାଙ୍କ ବାପାମା’ ଆରପାରିକି ଚାଲିଯାଇଛନ୍ତି। ଏବେ ଝୁମ୍ପୁଡ଼ି ଘରେ ସେ ଅତ୍ୟନ୍ତ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର ଉପାନ୍ତ ଗ୍ରାମ ଖଳିସାହି ରେବତୀଙ୍କ ଘର। ଏବେ ସେ ୨୮ବର୍ଷ ବୟସରେ ପହଞ୍ଚିଲେଣି। ୨୦୦୮ ମସିହାରେ ସେ ଗଣମାଧ୍ୟମର ଶିରୋନାମା ପାଲଟିଥି‌ଲେ। କ୍ରମାଗତ ଭାବରେ ମାଢ଼ି ବଢ଼ି ମୁହଁକୁ ବିକୃତ କରିବା ସହ ଲୋମଭରା ମୁହଁ ଓ ଶରୀର ପାଇଁ ଚର୍ଚ୍ଚାରେ ରହିଥିଲେ। ପୂର୍ବରୁ ଏଭଳି ରୋଗରେ ଆକ୍ରାନ୍ତ ହୋଇ ପୁଅର ମୃତ୍ୟୁ ହୋଇଥିବା ବେଳେ ରେବତୀ ଥିଲେ ବାପାମା’ଙ୍କର ଏକମାତ୍ର ସନ୍ତାନ। ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଜ୍ୟ ସରକାର ସାହାଯ୍ୟର ହାତ ବଢ଼ାଇଥିଲେ। ଚିକିତ୍ସା ପାଇଁ ରେବତୀଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସମସ୍ତ ପରୀକ୍ଷା ନିରୀକ୍ଷା ପରେ ରେବତୀଙ୍କ ରୋଗ ଚିକିତ୍ସା ବିଜ୍ଞାନର ବିରଳତମ ବୋଲି ଡାକ୍ତର ଚିହ୍ନଟ କରିଥିଲେ। ଡାକ୍ତରୀ ଭାଷାରେ ସେ ଆଇଡିଓପେଥିକ୍‌ ଜିଞ୍ଜାଇଭାଲ ଏନଲାର୍ଜମେଣ୍ଟ (ମାଢ଼ି ବୃଦ୍ଧି) ଓ ହାଇର୍ପଟ୍ରାଇକୋସିସ୍‌ (ଅସ୍ବାଭାବିକ ଲୋମ ବୃଦ୍ଧି) ରୋଗରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଥିଲା।

କଟକ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ରେବତୀଙ୍କ ଚିକିତ୍ସାକୁ ଏକ ଚାଲେଞ୍ଜ ଭାବରେ ଗ୍ରହଣ କରିଥିଲେ। ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ଡାକ୍ତରଖାନା ବହନ କରିବା ନିଷ୍ପତ୍ତି ହୋଇଥିଲା। ଧାରାବାହିକ ଅସ୍ତ୍ରୋପଚାର କରିବା ସହ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର) ଓ ଜାତୀୟ ପ୍ରତିରୋଧକ ବିଜ୍ଞାନ ସଂସ୍ଥା (ଏନଆଇଆଇ)ର ମିଳିତ ଭାବରେ ଗବେଷଣ ଆରମ୍ଭ ହୋଇଥିଲା। ବେଶ୍‌ କିଛି ଅସ୍ତ୍ରୋପଚାର ପରେ ରେବତୀଙ୍କ ଚେହେରା ସାଧାରଣ ଝିଅ ଭଳି ହେବ ଓ ଲେଜର୍‌ ଚିକିତ୍ସା ଦ୍ବାରା ଅବାଞ୍ଛିତ ଲୋମ ବୃଦ୍ଧି ବନ୍ଦ ହେବ ବୋଲି ଚିକିତ୍ସା କରୁଥିବା ଡାକ୍ତର ପରିବାର ଲୋକଙ୍କୁ କହିଥିଲେ। ତେବେ, ପରବର୍ତ୍ତୀ ସମୟରେ ଡାକ୍ତରଖାନା କର୍ତ୍ତୃପକ୍ଷ ରେବତୀଙ୍କୁ ଆଉ ଗୁରୁତ୍ବ ଦେଲେ ନାହିଁ। ଚିକିତ୍ସାରେ ଅବହେଳା କରାଗଲା। ସରକାରୀ ଔଷଧ ମଧ୍ୟ ବନ୍ଦ କରି ଦିଆଗଲା। ଶେଷରେ, ବାଧ୍ୟହୋଇ ନିଜ ଗାଁକୁ ଫେରି ଆସିଥିଲେ।

ପରବର୍ତ୍ତୀ ସମୟରେ ୨୦୧୭ରେ ୧୦ ଦିନର ବ୍ୟବଧାନରେ ରେବତୀଙ୍କ ବାପା ଓ ମା’ ଙ୍କ ମୃତ୍ୟୁ ହୋଇଥିଲା। ଗତ ୬ ବର୍ଷ ହେଲା ରେବତୀ ନିଃସଙ୍ଗ ଜୀବନଯାପନ କରୁଛନ୍ତି। ସରକାରୀ ସହାୟତା କହିଲେ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ୩୫ କିଲୋ ଚାଉଳ ଓ ଭତ୍ତା ବାବଦକୁ ୫୦୦ ଟଙ୍କା ପାଉଛନ୍ତି। ରହିବା ପାଇଁ ଘର ନାହିଁ। ଏକ କବାଟ ନଥିବା ଝାଟିମାଟି କୁଡ଼ିଆରେ ଶୀତ କାକରରେ ପଡ଼ି ରହିଛନ୍ତି। ଗାଁରେ କାମ ଧନ୍ଦା ନଥିବାରୁ ଜଙ୍ଗଲରୁ ପତ୍ର ସଂଗ୍ରହ କରି ଖଲି, ଦନା ତିଆରି କରି କୌଣସି ପ୍ରକାରେ ଚଳୁଛନ୍ତି। ଗ୍ରାମୀଣ ଆବାସ ଯୋଜନାରେ ତାଙ୍କୁ ଘରଟିଏ ମିଳିନାହିଁ। ଜିଲ୍ଲା ପ୍ରଶାସନ ରେବତୀଙ୍କୁ ଏକ ଘର ତିଆରି କରି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe