‘ପୁନଶ୍ଚ ପୃଥିବୀ’ ୩ଦିନିଆ ସମ୍ମିଳନୀ ଉଦ୍‌ଯାପିତ: ‘ବିକାଶ ଓ ପରିବେଶ ପରିଚାଳନା ଏକ ସଙ୍ଗରେ ଚାଲୁ’

ଓଡ଼ିଶାର ଅନନ୍ୟ ପରିବେଶ, ସକ୍ଷମ ଲୋକଶକ୍ତି, ପ୍ରକୃତି ଦର୍ଶାଉଛି ଯେ ପ୍ରଗତି ଓ ସଂରକ୍ଷଣ ସହାବସ୍ଥାନ କରିପାରିବେ। ଜଳବାୟୁ ପରିବର୍ତ୍ତନର ସମ୍ମୁଖୀନ ହେଉଥିବା ସାରା ବିଶ୍ୱରେ ଓଡ଼ିଶା ସବୁଜ ନବସୃଜନର ନେତୃତ୍ୱ ନେଇପାରିବ।

fhshhfxvbbv

ଭୁବନେଶ୍ବର: ଓଡ଼ିଶାର ଅନନ୍ୟ ପରିବେଶ, ସକ୍ଷମ ଲୋକଶକ୍ତି, ପ୍ରକୃତି ଦର୍ଶାଉଛି ଯେ ପ୍ରଗତି ଓ ସଂରକ୍ଷଣ ସହାବସ୍ଥାନ କରିପାରିବେ। ଜଳବାୟୁ ପରିବର୍ତ୍ତନର ସମ୍ମୁଖୀନ ହେଉଥିବା ସାରା ବିଶ୍ୱରେ ଓଡ଼ିଶା ସବୁଜ ନବସୃଜନର ନେତୃତ୍ୱ ନେଇପାରିବ। କାରଣ ସରକାର ନବସୃଜନଶୀଳ ଶକ୍ତି, ବିପର୍ଯ୍ୟୟ ପରିଚାଳନା, ଉପକୂଳ ସୁରକ୍ଷା ଓ ସ୍ଥାୟୀ ଜୀବିକା ମାଧ୍ୟମରେ ଜଳବାୟୁ ସ୍ଥିରତା ଦିଗରେ ପ୍ରୋତ୍ସାହିତ କରୁଛନ୍ତି। ବ୍ୟକ୍ତି, ଉଦ୍ୟୋଗୀ ଓ ଗୋଷ୍ଠୀ ସକ୍ରିୟଭାବେ ଅଂଶଗ୍ରହଣ କଲେ ଜଳବାୟୁ ସ୍ଥିରତା ଅଭିଯାନ ସଫଳ ହୋଇପାରିବ। ତେଣୁ ଯୁବପିଢ଼ି କେବଳ ପୃଥିବୀର ଉତ୍ତରାଧିକାରୀ ନୁହେଁ, ବରଂ ରକ୍ଷକ ସାଜି ପ୍ରକୃତି ଓ ପରିବେଶର ସୁରକ୍ଷା ଦିଗରେ ଆଗେଇ ଆସିବାକୁ ‘ସମ୍ବାଦ ଗ୍ରୁପ୍‌’ ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି ଆହ୍ୱାନ ଦେଇଛନ୍ତି। ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ କହିଲେ, ଆଜି ଆମେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତରେ ଛିଡ଼ା ହୋଇଛୁ। ଜଳବାୟୁ ପରିବର୍ତ୍ତନ ସଂପ୍ରତି ଏକ ଜୀବନ୍ତ ବାସ୍ତବତାରେ ପରିଣତ ହୋଇଛି। ବୃଦ୍ଧି ପାଉଥିବା ତାପମାତ୍ରା, ଅନିୟମିତ ବର୍ଷା ଓ ପରିବେଶଗତ ଅସନ୍ତୁଳନ ଆମ ବଞ୍ଚିବା ଶୈଳୀ ଓ ଉତ୍ପାଦନକୁ ପୁନଃଆକାର ଦେଉଛି। ଏଭଳି ଆହ୍ୱାନ ମଧ୍ୟରେ ବିକାଶକୁ କେବଳ ଅଭିବୃଦ୍ଧି ଭାବେ ନୁହେଁ, ବରଂ ସନ୍ତୁଳନ, ସମାନତା ଓ ନବୀକରଣ ଦିଗରେ ଏକ ସହଭାଗୀ ଯାତ୍ରା ଭାବରେ ପୁନଃକଳ୍ପନା କରିବାର ସୁଯୋଗ ରହିଛି। ‘ପୁନଶ୍ଚ ପୃଥିବୀ’ କେବଳ ଏକ ପରିବେଶ କାର୍ଯ୍ୟକ୍ରମ ନୁହେଁ, ବରଂ ସାମୂହିକ ପରିବର୍ତ୍ତନ ପାଇଁ ଏକ ଆହ୍ୱାନ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ।

ଓଡ଼ିଶା ସବୁଜ ନବସୃଜନର ନେତୃତ୍ୱ ନେଇପାରିବ: ରାଜ୍ୟପାଳ
ଓଡ଼ିଶାର ଅନେକ ସହର ତତଲାଗଡ଼ ହେବାକୁ ଯାଉଛି: ସୌମ୍ୟରଂଜନ

ସେ ଆହୁରି କହିଲେ ‘ପୁନଶ୍ଚ ପୃଥିବୀ’ ସମ୍ମିଳନୀ ଏକ ଶକ୍ତିଶାଳୀ ବାର୍ତ୍ତା ବହନ କରୁଛି। ଆର୍ଥିକ ଅଭିବୃଦ୍ଧି ଓ ପରିବେଶଗତ ପରିଚାଳନା ଏକ ସଙ୍ଗରେ ଯିବା ଉଚିତ। ସାମୂହିକ ଭବିଷ୍ୟତର ବିକାଶ ଓ ପ୍ରକୃତି ମାଧ୍ୟମରେ ଆମେ ନିର୍ମାଣ କରୁଥିବା ସନ୍ତୁଳନ ଉପରେ ନିର୍ଭର କରେ। ପରିବେଶଗତ ଅବକ୍ଷୟ ସହିତ ଜଡ଼ିତ ବିଶ୍ୱରେ ଗଣମାଧ୍ୟମର କାମ କେବଳ ସୂଚନା ପ୍ରଦାନ କରିବା ନୁହେଁ, ବରଂ କାର୍ଯ୍ୟକୁ ପ୍ରେରଣା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ୍ଷେତ୍ରରେ ‘ସମ୍ବାଦ ଗ୍ରୁପ୍‌’ ଏକ ସବୁଜ ପୃଥିବୀ ପାଇଁ ଯୁବପିଢ଼ିଙ୍କୁ ଚିନ୍ତା କରିବା, କାର୍ଯ୍ୟ କରିବା ଓ ନବସୃଜନ ନିମନ୍ତେ ପ୍ରେରଣା ସାଜିଛି। ଗୋଷ୍ଠୀ ନେତୃତ୍ୱାଧୀନ କର୍ମଶାଳା, ସହଯୋଗପୂର୍ଣ୍ଣ ନବସୃଜନ କାର୍ଯ୍ୟକ୍ରମ ଓ ଜଳବାୟୁ ପଞ୍ଚାୟତ ମାଧ୍ୟମରେ ନାଗରିକ ଓ ସେମାନଙ୍କ ପ୍ରତିନିଧିଙ୍କୁ ଯୋଡ଼ିଛି। ପରିବେଶଗତ ସ୍ଥିରତା ପାଇଁ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ସମାଧାନର ପନ୍ଥା ପ୍ରସ୍ତୁତ କରିବାକୁ ଏହ‌ା ସହାୟକ ହୋଇଛି ବୋଲି ରାଜ୍ୟପାଳ କହିଥିଲେ।

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସ୍ବାଗତ ଅଭିଭାଷଣରେ କହିଲେ, ପରିବେଶ ସମ୍ପର୍କରେ କୌଣସି ଆଲୋଚନା ଆନନ୍ଦଦାୟକ ହୁଏ ନାହିଁ। କାରଣ ଯେତେବେଳେ ଆମେ ଆଲୋଚନା କରୁ ସେତେବେଳେ ତାପମାତ୍ରା ବୃଦ୍ଧି, ନଦୀ ଶୁଷ୍କ, ଜଳସ୍ତର ହ୍ରାସ, ବାୟୁ ପ୍ରଦୂଷଣ ପରି ସମସ୍ୟା ସାମନାକୁ ଆସେ। ଏଭଳି ପ୍ରଶ୍ନ ନିଜକୁ ଆନ୍ଦୋଳିତ କରୁଥିବା ବେଳେ ପରିବେଶ ସମ୍ପର୍କରେ ବିଶେଷଜ୍ଞଙ୍କ ମତାମତ ଅଧିକରୁ ଅଧିକ ଜାଣିବା ପରେ ଆମ ଭିତରେ ସ‌ଚେତନତା ବଢ଼ିଛି। ଗଣମାଧ୍ୟମର ଭୂମିକା କେବଳ ଖବର ଦେବା ନୁହେଁ, ବରଂ ମଣିଷକୁ ମଣିଷ ସହ ଯୋଡ଼ିବା, ସମସ୍ୟାକୁ ସମାଧାନର ନିକଟତର କରିବା। ସେହିଦୃଷ୍ଟିରୁ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ କିଛି ବାଟ ଆଗେଇ ଚାଲିଛି। ଭବିଷ୍ୟତ କଥା ଚିନ୍ତା କରିବା ସମୟରେ ଉତ୍ତପ୍ତ କଥା ମନକୁ ଆସୁଛି। ପୂର୍ବରୁ ଟିଟିଲାଗଡ଼ ତତଲା ସହର ଥିଲା। ମାତ୍ର ଏବେ ଓଡ଼ିଶାର ଅନେକ ସହର ତତଲାଗଡ଼ ହେବାକୁ ଯାଉଛି। ଏ ସମ୍ପର୍କରେ ଆମ ପିଲାଙ୍କୁ ସଚେତନ କରାଇବା ଦରକାର।

ବିନାଶ ବିନା ବିକାଶ ହୋଇପାରିବ ନାହିଁ ବୋଲି ଆମର ଧାରଣା ରହିଛି। ମାତ୍ର ଏଥିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ବିକାଶ ପାଇଁ ଯୋଜନା କରିବା ସମୟରେ ଯେପରି କମ୍‌ ବିନାଶ ହେବ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏଥିସହ ନିଜ କଥା କମ୍‌ ଭାବି ଅନ୍ୟମନସ୍କ ହେବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶକ ମୋନିକା ନୈୟର ପଟ୍ଟନାୟକ, ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ସମ୍ପାଦକ ତନୟା ପଟ୍ଟନାୟକ, ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ପରିବେଶ ଦିଗରେ କାର୍ଯ୍ୟ କରୁଥିବା ରାଜ୍ୟର ୧୦ ଜଣ ବ୍ୟକ୍ତିଙ୍କୁ ପରିବେଶ ସମ୍ମାନରେ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe