ଇକୋ ରିଟ୍ରିଟ୍‌ରେ ରେକର୍ଡ ସଂଖ୍ୟକ ବୁକିଂ

Advertisment
ଇକୋ ରିଟ୍ରିଟ୍‌ରେ ରେକର୍ଡ ସଂଖ୍ୟକ ବୁକିଂ

ସମ୍ବଲପୁର: ତମ୍ବୁ ଭିତରେ ପଞ୍ଚତାରକା ହୋଟେଲ୍‌ ସାଙ୍ଗକୁ ହୀରାକୁଦ ଜଳ ଭଣ୍ଡାରର ବିସ୍ତୀର୍ଣ୍ଣ ଜଳରାଶିରେ ଜଳକ୍ରୀଡ଼ା କରିବାର ମଜା। ତା ସହିତ ଡେବ୍ରିଗଡ଼ ଭଳି ପ୍ରାକୃତିକ ପରିବେଶକୁ ଉପଭୋଗ କରିବାର ସୁଯୋଗ। ସମ୍ବଲପୁରର ଜମାଦାରପାଲି ବଲବସପୁର ଠାରେ ହୀରୁକୁଦର ବିସ୍ତୀର୍ଣ୍ଣ ଜଳରାଶି କୂଳରେ ଏଭଳି ନିଆରା ଓ ମନୋରମ ସୁବିଧା ସୁଯୋଗ ସହିତ ଲଗାତାର ତୃତୀୟ ବର୍ଷ ପାଇଁ ହୀରାକୁଦ ଇକୋ ରିଟ୍ରିଟ୍‌ ଗତ ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିଲା। ତମ୍ବୁ ତଳେ ତାରକା ହୋଟେଲ ଭଳି ବ୍ୟବସ୍ଥା ସାଙ୍ଗକୁ ବାର୍‌, ଭୋଜନାଳୟ, ଆଲୋଚନା ଗୃହ ଆଦିର ସୁବିଧା ମଧ୍ୟ ଅଛି। କୋଭିଡ୍‌ ପାଇଁ ଗତ ୨ ବର୍ଷ ହୀରାକୁଦ ଇକୋ ରିଟ୍ରିଟ୍‌ରେ ସେଭଳି ଆଖିଦୃଶିଆ ବୁକିଂ ହୋଇ ନଥିଲା। ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ମଧ୍ୟ ହୋଇଥିଲା। ତେବେ ଚଳିତବର୍ଷ ଏଥିରେ ସୁଧାର ଆସିଥିବା ଦେଖିବାକୁ ମିଳିଛି। ପୂର୍ବ ୨ ବର୍ଷ ତୁଳନାରେ ଏବର୍ଷର ବୁକିଂ ବେଶ୍‌ ଅଧିକ ରହିଛି। ପର୍ଯ୍ୟଟନ ବିଭାଗର ଉପ ନିର୍ଦ୍ଦେଶକ ହେମନ୍ତ ପ୍ରଧାନଙ୍କ ସୂଚନା ଅନୁଯାୟୀ, ଫେବ୍ରୁଆରି ପ୍ରଥମ ସପ୍ତାହ ସୁଦ୍ଧା ୪୦୦ରୁ ଅଧିକ ତମ୍ବୁ ବୁକିଂ ହୋଇସାରିଛି। ପ୍ରତ୍ୟେକ ଦିନ ହାରାହାରି ୭ଟି ତମ୍ବୁ ବୁକିଂ ରହୁଥିବା କହାଯାଇଛି। ପର୍ଯ୍ୟଟନ ସହ ବ୍ୟବସାୟ ଦୃଷ୍ଟିକୋଣରୁ ଏହା ଭଲ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଆସନ୍ତା ଫେବ୍ରୁଆରି ୨୮ ତାରିଖ ଯାଏ ଏହା ଚାଲିବ।

ସୂଚନାଯୋଗ୍ୟ, ଚଳିତବର୍ଷ ହୀରାକୁଦ ଇକୋ ରିଟ୍ରିଟ୍‌ ଠାରେ ୨୫ଟି ପ୍ରେମିୟମ୍‌ କୋଟେଜ୍‌ ବ୍ୟବସ୍ଥା କରାଯାଇଛି। ଗୋଟିଏ ତମ୍ବୁରେ ୨ ଜଣ ଗୋଟିଏ ରାତି ରହିବା ପାଇଁ ୮ ହଜାର ଟଙ୍କା ସହ ୧୪୪୦ ଟଙ୍କା ଜିଏସ୍‌ଟି ଦେବାକୁ ପଡ଼ୁଛି। ଅନ୍ୟପଟେ ଶନିବାର ଓ ରବିବାର ରାତି ପାଇଁ ତମ୍ବୁ ଦର ୯ ହଜାର ଟଙ୍କା ଉପରେ ଜିଏସ୍‌ଟି ରଖାଯାଇଛି। ପୂର୍ବବର୍ଷ ହୀରାକୁଦ ଇକୋ ରିଟ୍ରିଟ୍‌ରେ ତମ୍ବୁ ଦର ସାଧାରଣ ଭାବେ ୧୨ ହଜାର ଟଙ୍କା ସହ ଜିଏସ୍‌ଟି ଏବଂ ଶନିବାର ଓ ରବିବାର ୧୪ ହଜାର ଟଙ୍କା ସହ ଜିଏସ୍‌ଟି ରହିଥିଲା। ଏବର୍ଷ କରୋନା କଟକଣା ସମ୍ପୂର୍ଣ୍ଣ ହଟି ଯାଇଥିବା ବେଳେ ତମ୍ବୁ ଦର ମଧ୍ୟ ହ୍ରାସ ପାଇଥିଲା। ଏବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଏହା ମଧ୍ୟ ଏକ ବଡ଼ କାରଣ ବୋଲି କହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe