ହୀରାକୁଦରେ ପକ୍ଷୀଙ୍କ ରେକର୍ଡ : ୮୨ ପ୍ରଜାତିର ୧ ଲକ୍ଷ ୩୬ ହଜାର ଚଢ଼େଇ

Advertisment
‘ବିଦେଶାଗତ ପକ୍ଷୀଙ୍କୁ ରାଜ୍ୟ ଅତିଥି ମାନ୍ୟତା ଦିଆଯାଉ’

ସମ୍ବଲପୁର : ୨୦୧୮ ବର୍ଷ ପାଇଁ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ ରେକର୍ଡ ୧ ଲକ୍ଷ ୩୬ ହଜାର ୮୩୫ଟି ପକ୍ଷୀ ହୀରାକୁଦ ଜଳଭଣ୍ଡାରରେ ସମବେତ ହୋଇଥିବା ଜଣା ପଡ଼ିଛି। ସେହିପରି ଏଥର ସର୍ବାଧିକ ୮୨ଟି ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଛନ୍ତି।

publive-imageଏହି ପକ୍ଷୀଙ୍କ ମଧ୍ୟରେ ଲେସର ହ୍ଵିସ୍‌ଲିଂ ଡକ୍‌, କମନ୍‌ ପୋଚାର୍ଡ, ଟଫ୍‌ଟେଡ୍‌ ଡକ୍‌, ଗ୍ରେଟ୍‌ କ୍ରେଷ୍ଟେଡ୍‌ ଗ୍ରିବ୍‌, କମନ୍‌ କୁଟ୍‌, ଲିଟିଲ୍‌ କରୋମୋରାଣ୍ଟ, ବ୍ଲାକ୍‌ ହେଡେଡ୍‌ ଗଲ, ରେଡ୍‌ କ୍ରେଷ୍ଟଡ୍‌ ଗ୍ରିବ୍‌, ବ୍ରାଉନ୍‌ ହେଡେଡ୍‌ ଗଲ ଆଦି ପକ୍ଷୀ ସବୁଠୁ ଅଧିକ ସଂଖ୍ୟାରେ ଅଛନ୍ତି। ଏହି ବିଦେଶାଗତ ପକ୍ଷୀଙ୍କ ବ୍ୟତୀତ ବହୁ ସଂଖ୍ୟାରେ ସ୍ଥାନୀୟ ପ୍ରଜାତିଙ୍କୁ ବି ଗଣନାରେ ସାମିଲ କରା ଯାଇଥିବା ସୂଚନା ମିଳିଛି।

ଗତ ବର୍ଷ ହୀରାକୁଦ ଜଳଭଣ୍ଡାରରେ ୬୬ ହଜାର ୭୦୮ ପକ୍ଷୀଙ୍କ ସମାଗମ ହୋଇଥିଲାବେଳେ ଚଳିତ ବର୍ଷ ଏହା ଦୁଇଗୁଣରୁ ଅଧିକ ହୋଇଥିବା ଜଣା ପଡ଼ିଛି। ସେହିପରି ଗତ ବର୍ଷ ତୁଳନାରେ ପକ୍ଷୀଙ୍କ ପ୍ରଜାତି ସଂଖ୍ୟା ବି ବୃଦ୍ଧି ପାଇଛି। ୨୦୧୫ରେ ହୀରାକୁଦରେ ୬୦ଟି ପ୍ରଜାତିର ସର୍ବାଧିକ ୯୫ ହଜାର ୯୧୨ଟି ପକ୍ଷୀ ସମବେତ ହୋଇଥିବା ଗଣନାରୁ ଜଣା ପଡ଼ିଥିଲା।

publive-imageଏଥର ଗଣନାରେ ସମ୍ବଲପୁର, ଝାରସୁଗୁଡ଼ା, ହୀରାକୁଦ ବନଖଣ୍ଡର କର୍ମଚାରୀମାନେ ଭାଗ ନେଇଥିଲେ। ଜଳଭଣ୍ଡାରକୁ ୨୧ଟି ସେକ୍ଟରରେ ବିଭକ୍ତ କରା ଯାଇଥିଲା ଓ ୨୦ଟି ଡଙ୍ଗାରେ ଗଣନାକାରୀମାନେ ନିୟୋଜିତ ହୋଇଥିଲେ। ପ୍ରତ୍ୟେକ ଦଳକୁ ବାଇନାକୁଲାର, ଜିପିଏସ୍‌ ସେଟ୍‌, ବ୍ୟାଟେରି, ମ୍ୟାପ୍‌, ରେଫରେନ୍‌ସ ବହି, ଲାଇଫ୍‌ ଜ୍ୟାକେଟ ଆଦି ପ୍ରଦାନ କରା ଯାଇଥିଲା। ଗଣନାରେ ବିଶେଷଜ୍ଞଭାବେ ବାବୁ ଆବିଦ୍ଦିନ, ପ୍ର. ଏସ୍‌ ଦତ୍ତ, ରଣଜିତ ପଟ୍ଟନାୟକଙ୍କ ସମେତ ଓୟୁଏଟି ଫରେଷ୍ଟ୍ରି କଲେଜ୍‌ର ୮ ଜଣ ଛାତ୍ର ସାମିଲ ହୋଇଥିଲେ। ଚଳିତ ବର୍ଷ ଭଲ ଥଣ୍ଡା ପଡ଼ିବା କାରଣରୁ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe