ଜଗତସିଂହପୁରରେ ନିଯୁକ୍ତି, କଟକରେ ଡ୍ୟୁଟି

Advertisment

୬ଜଣ ସୁପର ସ୍ପେଶାଲିଷ୍ଟ୍ ଡାକ୍ତରଙ୍କୁ ଏସ୍‌ସିବି ପଠାଯାଇଛି

୬ଜଣ ସୁପର ସ୍ପେଶାଲିଷ୍ଟ୍ ଡାକ୍ତରଙ୍କୁ ଏସ୍‌ସିବି ପଠାଯାଇଛି

ମେଡିକାଲ କଲେଜରେ ଯୋଗଦେଲେ ୧୦ ସହକାରୀ ପ୍ରଫେସର

OnlineKhabar English News

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ଜିଲ୍ଲା ମୁଖ୍ୟାଳୟ ସମେତ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ। କିନ୍ତୁ, ଜଗତସିଂହପୁରରେ ନିଯୁକ୍ତି ପାଇଥିବା ଏବଂ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଦରମା ନେଉଥିବା ୬ ଜଣ ସୁପର ସ୍ପେଶାଲିଷ୍ଟ୍ ଡାକ୍ତର କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ କାମ କରିବା ଘଟଣା ବ୍ୟବସ୍ଥାର ବିଚିତ୍ର ସ୍ଥିତିକୁ ପଦାରେ ପକାଇଛି। ଫଳରେ, ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତମାନର ସେବା ଉପଲବ୍ଧ ହୋଇପାରୁନାହିଁ। ଗୁରୁତର ରୋଗୀଙ୍କ ପାଇଁ ଏହା କେବଳ ଏବେ ରେଫରାଲ୍ ହସ୍ପିଟାଲ ପାଲଟିଛି। ହୃଦରୋଗ, ନ୍ୟୁରୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି, ୟୁରୋଲୋଜି ଭଳି ଅତ୍ୟନ୍ତ ଜରୁରୀ ଚିକିତ୍ସା ସେବା ଏଠି ରୋଗୀଙ୍କ ପାଇଁ ସ୍ବପ୍ନ।

ସୂଚନା ଅନୁସାରେ; ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ପାଇଥିବା ପ୍ଲାଷ୍ଟିକ ସର୍ଜରି ବିଭାଗ ଡାକ୍ତର ବିଷ୍ଣୁପଦ ନାୟକ, ହୃଦ୍‌ରୋଗ ବିଭାଗ ଡାକ୍ତର ନିହାର ରଞ୍ଜନ ପରିଡ଼ା ଓ ଡାକ୍ତର ବିପତ ରଞ୍ଜନ ଲେଙ୍କା, ନ୍ୟୁରୋଲୋଜିର ଡାକ୍ତର ଇତିବ୍ରତ ମହାନ୍ତି ଓ ଡାକ୍ତର ଦୀପକ ବଂଶଲ ଏବଂ ୟୁରୋଲୋଜି ବିଭାଗର ଡାକ୍ତର ଦେବାଶିଷ ମାହାଲି ଏବେ କଟକ ବଡ଼ ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି। ଏମାନେ ମେଡିକାଲ କଲେଜ କ୍ୟାଡର୍‌ର ହୋଇ ନ ଥିବାରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଏଷ୍ଟାବ୍ଲିସମେଣ୍ଟରୁ ଦରମା ପାଉଥିବାବେଳେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏସ୍‌ସିବିରେ ଡ୍ୟୁଟି କରୁଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ପୂର୍ବରୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଛି। ଯଦି ଦରମା ଏଠାରୁ ପାଇବେ, ତା’ହେଲେ ଏସ୍‌ସିବି ମେଡିକାଲରେ କାହିଁକି ଡ୍ୟୁଟି କରିବେ? ଜଗତସିଂହପୁର ଜିଲ୍ଲାବାସୀ କାହିଁକି ସୁପର ସ୍ପେସାଲିଷ୍ଟଙ୍କ ଚିକିତ୍ସା ସେବାରୁ ବଞ୍ଚିତ ହେବେ? ଜିଲ୍ଲାରେ ପ୍ରାୟ ୪୦ ପ୍ରତିଶତ ଡାକ୍ତରଙ୍କ ଅଭାବ ରହିଥିବା ବେଳେ ସେହି ଦରମାରେ କାହିଁକି ଅଧିକ ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ଦିଆଯାଉ ନାହିଁ? ଆବଶ୍ୟକତା ଦୃଷ୍ଟିରୁ ଯଦି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି, ଅନ୍ତତଃ ସପ୍ତାହରେ ଥରେ କାହିଁକି ଓପିଡିରେ ସୁପର ସ୍ପେସାଲିଷ୍ଟ ଡାକ୍ତରଙ୍କୁ ଅଣାଯାଉ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ଉଲ୍ଲେଖଯୋଗ୍ୟ, ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ କୌଣସି ସୁବିଧା ନାହିଁ। ଏପରିକି ସିଟି ସ୍କାନ୍, ଏମ୍ଆର୍‌ଆଇ ଭଳି ପରୀକ୍ଷା ମଧ୍ୟ ଉପଲବ୍ଧ ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତମାନର ସେବା କେବେ ଉପଲବ୍ଧ ହେବ ତାର ଉତ୍ତର ମଧ୍ୟ କାହା ପାଖରେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe