Recruitment fair: 812 people appointed in 5 departments Photograph: (sambad.in)
ଭୁବନେଶ୍ୱର: ସରକାରୀ ଚାକିରୀ ସର୍ବଦା ଜନସେବା ପାଇଁ ଉତ୍ସର୍ଗୀକୃତ। ତେଣୁ ନିଜକୁ ଜନସାଧାରଣଙ୍କର ସେବକ ଭାବେ ସାଧାରଣ ଲୋକଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବା ଏବଂ ସେମାନଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ରହିବା ଆବଶ୍ୟକ। ଆପଣମାନେ ଲୋକଙ୍କ ସେହି ଭରସାକୁ କୌଣସି ସମୟରେ କିମ୍ବା କୌଣସି ପରିସ୍ଥିତିରେ ଭାଙ୍ଗିବେ ନାହିଁ ବୋଲି ମୋର ଆଶା। ଆପଣଙ୍କ ଦ୍ଵାରା ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ଏବଂ କାର୍ଯ୍ୟ ଜନମଙ୍ଗଳ ଉପରେ ଆଧାରିତ ହେବା ଉଚିତ୍।
ମଙ୍ଗଳବାର ସ୍ଥାନୀୟ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମୁଦାୟ ୫ଟି ବିଭାଗର ୮୧୨ ଜଣ ନବନିଯୁକ୍ତ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ପରାମର୍ଶ ଦେଇ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ସାମର୍ଥ୍ୟ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।
ନିଯୁକ୍ତିପତ୍ର ପାଇଥିବା ସମସ୍ତ ବିଭାଗର ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀମାନେ ନିଜର ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ରାଜ୍ୟସରକାରଙ୍କ ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା ଆଭିମୁଖ୍ୟ ସମ୍ପର୍କ ବିଷୟରେ ଅଭିଭାଷଣ ରଖି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇସ୍ପାତ ଓ ଖଣି ବିଭାଗ, ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ଦେଇଥିବା ବେଳେ, କମିଶନର ତଥା ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଆଶ୍ଵଥି ଏସ୍ ଧନ୍ୟବାଦ ଦେଇଥିଲେ।
ଅଧିକ ପଢ଼ନ୍ତୁ: ୨ ବର୍ଷ ମଧ୍ୟରେ ୭୩ ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ଓଡ଼ିଶା ବାହାରକୁ ଯାଇଛନ୍ତି: ମନ୍ତ୍ରୀ
Follow Us