ପୁଲିସ କନେଷ୍ଟବଳ ନିଯୁକ୍ତି ବେଳେ ଦୌଡ଼: ଗଞ୍ଜାମରେ ପରୀକ୍ଷାର୍ଥୀ ମୃତ, ପୁରୀରେ ୩ ଅସୁସ୍ଥ

ପୁଲିସ କନେଷ୍ଟବଳ ନିଯୁକ୍ତି ବେଳେ ଦୌଡ଼: ଗଞ୍ଜାମରେ ପରୀକ୍ଷାର୍ଥୀ ମୃତ, ପୁରୀରେ ୩ ଅସୁସ୍ଥ

ବ୍ରହ୍ମପୁର/ଛତ୍ରପୁର/ପୁରୀ : ପୁଲିସ କନେଷ୍ଟବଳ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ବେଳେ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁରରେ ଏକ ଅଘଟଣ ଘଟିଛି। ୧୬ଶହ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିବା ଜଣେ ପରୀକ୍ଷାର୍ଥୀ ହଠାତ୍‌ ଚେତାଶୂନ୍ୟ ହୋଇ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ଦୀପ୍ତିରଂଜନ ଦାସ(୨୦)। ସେହିଭଳି, ପୁରୀଠାରେ ତିନିଜଣ ପରୀକ୍ଷାର୍ଥୀ ଚେତାଶୂନ୍ୟ ହୋଇପଡ଼ିଥିଲେ। ସେମାନଙ୍କୁ ଅସୁସ୍ଥ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଶୁକ୍ରବାର ଦିନ ଛତ୍ରପୁର ରିଜର୍ଭ ପୁଲିସ ପଡ଼ିଆରେ କନେଷ୍ଟବଳ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଚାଲିଥିଲା। ୧୬ଶହ ମିଟର୍‌ ଦୌଡ଼ ପ୍ରତିଯୋଗିତାରେ ଦୀପ୍ତିରଂଜନ ଦୌଡ଼ିବା ସମୟରେ ହଠାତ୍‌ ତଳେ ପଡ଼ି ଯାଇଥିଲେ। ସେ ଚେତାଶୂନ୍ୟ ହୋଇ ପଡ଼ିବାରୁ ତାଙ୍କୁ ତୁରନ୍ତ ଛତ୍ରପୁର ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ତାଙ୍କୁ ଏମ୍‌କେସିଜି ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିଭଳି, ପୁରୀଠାରେ ଗତକାଲି କାଗଜପତ୍ର ଯାଞ୍ଚ କରାଯିବା ସହ ବିଭିନ୍ନ ଶାରୀରିକ ପରୀକ୍ଷା କରାଯାଇଥିଲା। ମହିଳା ଆବେଦନକାରୀମାନଙ୍କର ଆଜି ପୂର୍ବାହ୍ନରେ ଶେଷ ପରୀକ୍ଷା ଦୌଡ଼ ପ୍ରତିଯୋଗିତା ରହିଥିଲା। ଆଜି ପୂର୍ବାହ୍ନରେ ଏହି ଦୌଡ଼ ସମୟରେ ତିନି ଜଣ ଆବେଦନକାରୀ ପୁରୀ କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଗୋପକୁଦର ଶୁଭଦର୍ଶିନୀ ବେହେରା, ସମ୍ବଲପୁର ରେଢ଼ାଖୋଲ ଥାନା ଅନ୍ତର୍ଗତ ବୁରମାଳର ଦୀପାଞ୍ଜଳି ବାର୍ଲା ଓ କେଉଁଝର ଜିଲ୍ଲା ବରିଆ ଥାନା ଅନ୍ତର୍ଗତ ଆସନପଟ ଗାଁର ରୀମା ନାୟକ ସଂଜ୍ଞାହୀନ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe