୧୧,୪୦୩ ଶିକ୍ଷକ ନିଯୁକ୍ତି ବାଟ ଫିଟିଲା, ସମସ୍ତ ମାମଲା ହାଇକୋର୍ଟରେ ଖାରଜ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ପଦବି ପୂରଣ ପାଇଁ ବାଟ ଫିଟିଛି। ଶିକ୍ଷକ ନିଯୁକ୍ତି ସଂପର୍କିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ସମସ୍ତ ତିନୋଟି ମାମଲାକୁ ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିଛନ୍ତି। ମାମଲା ଖାରଜ ସହିତ ନିଯୁକ୍ତି ପ୍ରକ୍ରିୟାର ଫଳାଫଳ ପ୍ରକାଶ ଉପରେ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ଅଙ୍କୁଶ ହଟିଛି। ଏବେ ଏ ସଂପର୍କିତ ମାମଲା ଗୁଡିକ ଖାରଜ ହୋଇଯିବାରୁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଶେଷ କରି ବିଜ୍ଞପ୍ତି ଆଧାରରେ ୧୧ ହଜାର ୪୦୩ ଶିକ୍ଷକଙ୍କୁ ନିଯୁକ୍ତି ଦେଇପାରିବେ। ହାଇକୋର୍ଟ ଲଲାଟେନ୍ଦୁ ମିଶ୍ର ଓ ଅନ୍ୟମାନଙ୍କ ମାମଲାର ଶୁଣାଣି କରି ତାହାକୁ ଆଜି ଖାରଜ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଖାଲି ପଡ଼ିଥିବା ଶିକ୍ଷକ ପଦ ପୂରଣ ପାଇଁ ପଦ ୨୦୨୧, ଡି‌‌େସମ୍ବର ୧୪ରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହାପରେ ଜିଲ୍ଲାୱାରୀ ଖାଲି ପଡ଼ିଥିବା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ପଦବି ଆଧାରରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୧, ଡିସେମ୍ବର ୨୩ର ଏହି ବିଜ୍ଞପ୍ତିରେ ଟିଜିଟି ଅାର୍ଟସ, ଟିଜିଟି ସାଇନ୍ସ (ପିସିଏମ), ଟିଜିଟି ସାଇନ୍ସ (ସିବିଜେଡ), ହିନ୍ଦୀ, ସଂସ୍କୃତ, ତେଲୁଗୁ ଶିକ୍ଷକ ଓ ଶାରୀରିକ ଶିକ୍ଷା ଶିକ୍ଷକ(ପିଇଟି) ପଦରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ନିକଟରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ମୋଟ ୧୧୪୦୩ଟି ପଦରେ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ପ୍ରାର୍ଥୀଙ୍କ ନିର୍ଦ୍ଧାରିତ ଶିକ୍ଷାଗତ ଯୋଗ୍ୟତା, ବୟସ, ସଂରକ୍ଷଣ ସଂକ୍ରାନ୍ତରେ ବିଜ୍ଞପ୍ତିରେ ଉଲ୍ଲେଖ କରାଯିବା ସହିତ ପରୀକ୍ଷା କେମିତି ହେବ ସ୍ପଷ୍ଟ କରାଯାଇଥିଲା। ଏହି ବିଜ୍ଞପ୍ତି ଓଡିଶା ରିଜରଭେସନ ଅଫ ଭାକାନ୍‌ସିଜ ଅାକ୍ଟ(ଓଅାରଭି) ଅନୁସାରେ ହୋଇ ନଥିବା ତଥା କମ୍ପ୍ୟୁଟର ବେସଡ୍ ‌ ଟେଷ୍ଟ(ସିବିଟି) ପାଇଁ ପାସ ମାର୍କ ଆଗୁଆ ଧାର୍ଯ୍ୟ କରାଯାଇ ନଥିବା ଅଭିଯୋଗ କରି ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା। ଏଥିସହିତ ସିବିଟି ପରିଚାଳନା ଦାୟିତ୍ବ କଳା ତାଲିକାଭୁକ୍ତ ସଂସ୍ଥାକୁ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏପରି କାରଣରୁ ବିଜ୍ଞପ୍ତି ରଦ୍ଦ କରାଯିବା ଉଚିତ। ଏଥିସହିତ ସ୍ବଚ୍ଛ ଓ ନିରପେକ୍ଷ ଉପାୟ ଅବଲମ୍ବନ କରାଯାଇ ନଥିବାରୁ ଅନୁଷ୍ଠିତ ପରୀକ୍ଷା ଓ ଫଳାଫଳକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନକାରୀଙ୍କ ତରଫରୁ ହାଇକୋର୍ଟରେ ଦର୍ଶାଯାଇଥିଲା। ସରକାର ମନ୍ଦ ଉଦ୍ଦେଶ୍ୟ ରଖି ସିବିଟିରେ ପାସ୍ ପାଇଁ ବିଜ୍ଞପ୍ତିରେ କୌଣସି ନମ୍ବର ଧାର୍ଯ୍ୟ କରି ନଥିଲେ। ଏଥିସହିତ ସାମାଜିକ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେଉଥିବାରୁ ଏହି ବିଜ୍ଞପ୍ତି ବେଅାଇନ ବୋଲି ଦର୍ଶାଯାଇଥିଲା।

ଅନ୍ୟପଟେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ସିବିଟିରେ ଅଂଶଗ୍ରହଣ କରି ଅକୃତକାର୍ଯ୍ୟ ହେଲାପରେ ଏହି ମାମଲା ଆବେଦନକାରୀ ଦାୟର କରିଛନ୍ତି। ଏଥିସହିତ ଓଆରଭି ନିୟମ ଉଲ୍ଲଂଘନ ହୋଇ ନାହିଁ। ସଂପୂର୍ଣ୍ଣ ଭାବେ ସ୍ବଚ୍ଛତା ରକ୍ଷା କରାଯାଇ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଛି। ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଗଣଶିକ୍ଷା ବିଭାଗର ବରିଷ୍ଠ ଷ୍ଟାଣ୍ଡିଂ କାଉନସିଲ ସନ୍ଦୀପ ପରିଡା, ଷ୍ଟାଣ୍ଡିଂ କାଉନସିଲ ଦୀପ୍ତିରଂଜନ ମହାପାତ୍ର ଓ ବିଶ୍ବଜିତ ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe