ପ୍ରିନ୍ସ ଘଟଣାର ପୁନରାବୃତ୍ତି: ୮୦ ଫୁଟ୍‌ ଗଭୀର ଗାତରେ ଛତିଶଗଡ଼ର ରାହୁଲ

୮୦ ଫୁଟ୍‌ ଗଭୀର ଗାତରେ ଛତିଶଗଡ଼ର ରାହୁଲ

ପ୍ରିନ୍ସ ଘଟଣାର ପୁନରାବୃତ୍ତି: ୮୦ ଫୁଟ୍‌ ଗଭୀର ଗାତରେ ଛତିଶଗଡ଼ର ରାହୁଲ

ଝାରସୁଗୁଡ଼ା : ଷୋହଳ ବର୍ଷ ତଳର ହରିୟାଣାର ପ୍ରିନ୍ସ ଘଟଣାର ପୁନାରାବୃତ୍ତି ହୋଇଛି। ଝାରସୁଗୁଡ଼ା ସୀମାକୁ ଲାଗିଥିବା ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନ ଥିବା ପିରହ୍ରିଡ ଗାଁର ଏକ ୧୦ ବର୍ଷ ବୟସର ଶିଶୁ ଗଭୀର ନଳକୂପର ପଡ଼ିଯାଇଛି। ଶୁକ୍ରବାର ଦିନ ୪ଟା ବେଳେ ରାହୁଲ ସାହୁ ନାମକ ପିଲାଟି ତାଙ୍କ ଘର ପଛପଟେ ଖେଳୁଥିବା ସମୟରେ ଏହି ଗର୍ତ୍ତରେ ଖସିପଡ଼ି ଥିବା ଜଣାଯାଇଛି। ପରିବାର ସଦସ୍ୟ ପିଲାଟିକୁ ଖୋଜିବାକୁ ଯାଇ ଘର ପଛପଟେ ପାଟି କରି ଡାକିବାରୁ ଶିଶୁର ସ୍ୱର ଗାତ ଭିତରୁ ଶୁଣାଯାଇଥିଲା। ତୁରନ୍ତ ଏ ସଂପର୍କରେ ୧୧୨ ନମ୍ବରକୁ ଫୋନ କରି ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ।

ବର୍ତ୍ତମାନ ଶିଶୁ ଉଦ୍ଧାର କାର୍ଯ୍ୟରେ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ଏନ୍‌ଡିଆରଏଫ୍‌ ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ୍ ନିୟୋଜିତ ଅଛନ୍ତି। ଘଟଣାସ୍ଥଳରେ ଆଇଜି, ଡିଜି, ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପହଞ୍ଚିଛନ୍ତି। ଶିଶୁଟିକୁ ନିରାପଦରେ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବରିଷ୍ଠ ଅଧିକାରୀମାନେ କହିଛନ୍ତି, ‘ବୋରୱେଲରେ ଫସି ରହିଥିବା ଶିଶୁର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା ସମଗ୍ର ପ୍ରଶାସନିକ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସିସିଟିଭି ମାଧ୍ୟମରେ ଶିଶୁର କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି। ପାଖାପାଖି ୩୦ ଘଣ୍ଟା ହେବ ଶିଶୁ ଫସି ରହିଥିବାରୁ କିଛି କିଛି ସମୟର ବ୍ୟବଧାନରେ ଖାଦ୍ୟ ସାମଗ୍ରୀ ପଠାଯାଉଛି। କଦଳୀ, ଫଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପଠାଯାଇଛି। ଶିଶୁଟି ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ମଧ୍ୟ ହେଉଛି। ମେଡିକାଲ୍ ଟିମ୍ ନିୟୋଜିତ ରହିଥିବା ବେଳେ ଅମ୍ଳଜାନ ସିଲିଣ୍ଡରରୁ ପାଇପ୍ ଯୋଗେ ଅମ୍ଳଜାନ ଗର୍ତ୍ତ ଭିତରକୁ ପଠାଯାଉଛି।  ଚାରିଆଡେ ବ୍ୟାରିକେଡିଂ କରାଯାଇଥିବା ‌ବେଳେ ରାତି ସାରା ଉଦ୍ଧାର ଚାଲିଥିବାରୁ ଆଲୋକୀକରଣ କରାଯାଇଛି । ଖରା ଯୋଗୁଁ ଦିନରେ ତାପମାତ୍ରା ବଢୁଥିବାରୁ ଏହାପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇଛି। ସ୍ଥାନୀୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଓଡିଶାର ବିଶେଷଜ୍ଞ ମାନଙ୍କ ଠାରୁ ମଧ୍ୟ ଆବଶ୍ୟକୀୟ ମାର୍ଗଦର୍ଶନ ନିଆଯାଉଥିବା ସୂଚନା ରହିଛି।

ଉଦ୍ଧାର କାର୍ଯ୍ୟ ପାଇଁ ବୋରୱେଲରେ ୪ଟି ବଡ ମେସିନ୍ ନିୟୋଜିତ ହୋଇଛି। ପାଖରେ ଥିବା ଜିଲ୍ଲା କୋରବା, ବିଲାସପୁର, ରାୟଗଡ଼ରୁ ବଡ଼ ମେସିନ୍ ଅଣାଯାଇ ଉଦ୍ଧାର କରାଯାଉଛି। ବୋରୱେଲର କିଛି ମିଟର ପର୍ଯ୍ୟନ୍ତ ଜେସିବି ଦ୍ୱାରା ଖନନ କରାଯାଇଛି। ଏନ୍‌ଡିଆର୍‌ଏଫ୍‌ ଦ୍ୱାରା ଏହା ସ୍ଥିର ହୋଇଛି ଯେ ଜେସିବିରୁ ପ୍ରାୟ ୬୦ ରୁ ୬୫ ଫୁଟ ଖୋଳିବା ଦ୍ୱାରା ଏକ ଟନେଲ ତିଆରି ହେବାପରେ ଫସି ରହିଥିବା ଶିଶୁ ପାଖରେ ପହଞ୍ଚିବା ସମ୍ଭାବନା ରହିଛି। ଶିଶୁର ପିତା ଲାଲା ରାମ ସାହୁ କହିଛନ୍ତି ଯେ ଏହି ବୋରୱେଲଟି ପ୍ରାୟ ୮୦ ଫୁଟ ଗଭୀର ଅଟେ, ଯାହା ସେ ତାଙ୍କ ଘର ପଛ କ୍ଷେତରେ ଖୋଳିଥିଲେ। ତେବେ ପାଣି ବାହାରି ନଥିବାରୁ ଏହାକୁ ଖୋଲା ରଖାଯାଇଥିଲା। ସରକାରୀ ଅଧିକାରୀଙ୍କ କହିବାନୁସାରେ, ଶିଶୁକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ପରେ ଝାରସୁଗୁଡ଼ା ସୀମାନ୍ତ ଅଞ୍ଚଳରେ ଶିଶୁର ସଫଳ ଉଦ୍ଧାର ନେଇ ପ୍ରାର୍ଥନା ଆରମ୍ଭ କରାଯାଇଥିବା ଜଣାଯାଇଛି। ପ୍ରକାଶଥାଉ କି, ୨୦୦୬ ମସିହାରେ ହରିୟାଣା ରାଜ୍ୟ କୁରୁକ୍ଷେତ୍ର ଜିଲ୍ଲାର ହଲଧେରି ଗ୍ରାମର ପ୍ରିନ୍ସ ଗଭୀର ନଳକୂପରେ ଖସିପଡ଼ିଥିଲା। ସେତେବେଳେ ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ବହୁ କଷ୍ଟରେ ପ୍ରିନ୍ସକୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe