ଭୁବନେଶ୍ବର ଭରସା: ରେଡ୍‌ଜୋନ୍‌ ଭଦ୍ରକ, ବାଲେଶ୍ବରରେ ନାହିଁ ନମୁନା ପରୀକ୍ଷ‌ଣ ସୁବିଧା

Advertisment

କୋଭିଡ୍‌ ହସ୍ପିଟାଲ ଥିଲେ ବି ଜିଲ୍ଲା ବାହାରକୁ ଯାଉଛନ୍ତି ଆକ୍ରାନ୍ତ

କୋଭିଡ୍‌ ହସ୍ପିଟାଲ ଥିଲେ ବି ଜିଲ୍ଲା ବାହାରକୁ ଯାଉଛନ୍ତି ଆକ୍ରାନ୍ତ

ଆସିଲା ୯୧-୧୦୨ ସଂକ୍ରମିତଙ୍କ ଜଣଙ୍କ ଯାତ୍ରା ଇତିହାସ

image source-long island press

ବାଲେଶ୍ବର: ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ମହାମାରୀ କୋଭିଡ୍‌ ୧୯ ଭୂତାଣୁର କାୟାବିସ୍ତାର ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ମଙ୍ଗଳବାର ସୁଦ୍ଧା ଏହି ଦୁଇ ଜିଲ୍ଲାରେ ପଜିଟିଭ୍‌ଙ୍କ ସଂଖ୍ୟା ଥିଲା ୩୫। ସେଥିମଧ୍ୟରୁ ଭଦ୍ରକରେ ୧୯ ଓ ବାଲେଶ୍ବରରେ ୧୬ ଜଣ ଆକ୍ରାନ୍ତ ଅଛନ୍ତି। ଆଗକୁ ଏହି ସଂଖ୍ୟା ବଢିପାରେ। ସବୁଠୁ ଉଦ୍‌ବେଗର ବିଷୟ ହେଉଛି, ୧୦ ଦିନରେ ଏହି ଦୁଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଛୁଇଁଲାଣି। ସହର ଡେଇଁ ଏହି ମହାମାରୀ ଗ୍ରାମାଞ୍ଚଳରେ ପ୍ରବେଶ କରିସାରିଲାଣି। ରେଡ୍‌ ଜୋନ୍‌ ଭିତରେ ଏହି ଦୁଇ ଜିଲ୍ଲା ଆସୁଥିଲେ ମଧ୍ୟ ଏଠାରେ ରକ୍ତନମୁନା ପରୀକ୍ଷା ପାଇଁ ଏଯାବତ ଟେଷ୍ଟିଂ ମେସିନ୍‌ର ବ୍ୟବସ୍ଥା ଉପଲବ୍ଧ ହୋଇ ପାରିନାହିଁ। ଫଳରେ ପ୍ରତିଦିନ ଯେତିକି ପରୀକ୍ଷା କରାଯିବା କଥା ତାହା ସମ୍ଭବ ହୋଇପାରୁନାହିଁ। କରୋନା ସଂକ୍ରମଣକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ସବୁ ଜିଲ୍ଲାରେ କୋଭିଡ୍‌-୧୯ ହସ୍‌ପିଟାଲ କାର୍ଯ୍ୟକ୍ଷମ କରିଥିବା ବେଳେ ବାଲେଶ୍ବର କୁରୁଡ଼ାସ୍ଥିତ ଜ୍ୟୋତି ହସ୍‌ପିଟାଲକୁ କୋଭିଡ୍‌ ହସ୍‌ପିଟାଲରେ ପରିଣତ କରାଯାଇଛି। ହେଲେ ନମୁନା ପରୀକ୍ଷା ପାଇଁ ସେମିତି ସୁବିଧା ନଥିବାରୁ ଜିଲ୍ଲାର ସମସ୍ତ ନମୁନା ଏବେ ଭୁବନେଶ୍ବରକୁ ପଠାଯାଉଛି। କୋଭିଡ୍‌-୧୯ ସଂକ୍ରାନ୍ତୀୟ ପରୀକ୍ଷା ଭୁବନେଶ୍ବର, କଟକ ଆଦି ସ୍ଥାନରେ ସୀମିତ। ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲା ସହିତ ବାଲେଶ୍ବର, ଭଦ୍ରକରୁ ଯାଉଥିବା ନମୁନାଗୁଡ଼ିକ ପରୀକ୍ଷଣ ହୋଇ ଆସିବାକୁ ବିଳମ୍ବ ହେଉଛି। ପ୍ରାୟ ୩/୪ ଦିନ, ଏମିତିକି ଗୋଟିଏ ଗୋଟିଏ ରିପୋର୍ଟ ଆସିବାକୁ ପ୍ରାୟ ସପ୍ତାହେ ଲାଗିଯାଉଛି।
ବାଲେଶ୍ବର ଜିଲ୍ଲାକୁ ଆଜି ପର୍ଯ୍ୟନ୍ତ ମୋଟ ୨୭୦ ଜଣ ବ୍ୟକ୍ତି ବିଦେଶରୁ ଆସିଛନ୍ତି।

ସେହିପରି ଭାରତର ବିଭିନ୍ନ ରାଜ୍ୟରୁ ମୋଟ ୧୯ ହଜାର ୭୯୭ ଜଣ ଜିଲ୍ଲାକୁ ଆସିଥିବାବେଳେ ଏମାନଙ୍କ ମଧ୍ୟରୁ କିଛି ଏକାନ୍ତବାସ ଏବଂ ଆଉ କିଛି ପୃଥକୀକରଣରେ ରହିଛନ୍ତି। ସୋମବାର ଅର୍ଥାତ୍‌ ୨୭ ତାରିଖ ସୁଦ୍ଧା ଜିଲ୍ଲାରୁ ୨୭୭୯ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିରୁ ୧୭୨୬ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଓ ୧୬ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଆସନ୍ତା ଦିନମାନଙ୍କରେ ରାଜ୍ୟ ସରକାର ବାହାର ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରିଛନ୍ତି। ତେଣୁ ଏପରି ଜରୁରୀ ସ୍ଥିତିରେ ଜିଲ୍ଲାରେ ‌କୋଭିଡ୍‌ ଟେଷ୍ଟିଂ ମେସିନ୍‌ର ନିହାତି ଆବଶ୍ୟକତା ରହିଛି। କାରଣ କରୋନା ମୁକାବିଲା ପାଇଁ ଯେତେ ଅଧିକ ପରୀକ୍ଷା କରାଯିବ, ‌ସେତେ ଶୀଘ୍ର ରିପୋର୍ଟ ଜଣାପଡ଼ିବ। ଜିଲ୍ଲାରେ କରୋନା ସଂକ୍ରମଣ ରୋକିବାରେ ଏହା ବିଶେଷ ସହାୟକ ହୋଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ଆସନ୍ତା ୩୦ ତାରିଖ ଭିତରେ ବାଲେଶ୍ବରରେ ମେସିନ୍‌ ଲଗାଯିବ ବୋଲି ସିଡିଏମ୍‌ଓ ଡା.ବାନାର୍ଜୀ ପ୍ରସାଦ ଛୋଟରାୟ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲାରେ କୋଭିଡ୍‌ ହସ୍‌ପିଟାଲ କାର୍ଯ୍ୟକ୍ଷମ ହୋଇଥିବାବେଳେ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କଟକ, ଭୁବନେଶ୍ବର ସ୍ଥାନାନ୍ତର କରାଯାଉଛି। କୋଭିଡ ହସ୍‌ପିଟାଲ କାର୍ଯ୍ୟକ୍ଷମ ହୋଇଥିଲେ ବି ସବୁ ସୁବିଧା ଉପଲବ୍ଧ କରାଯାଇନଥିବାରୁ ଜ୍ୟୋତି ହସ୍‌ପିଟାଲକୁ ଏବେ ବ୍ୟବହାର କରାଯାଇନାହିଁ ବୋଲି ସିଡିଏମଓ ଡା.ଛୋଟରାୟ କହିଛନ୍ତି। ଅନ୍ୟପକ୍ଷରେ ବାଲେଶ୍ବର ସରକାରୀ ମେଡିକାଲ କଲେଜ ସୁପରିନଟେଣ୍ଡେଣ୍ଟ ଡାକ୍ତର ଆରତି ବେହେରାଙ୍କ ସୂଚନା ଅନୁସାରେ, କୋଭିଡ୍‌ ପରୀକ୍ଷା ପାଇଁ ମେଡିକାଲ କଲେଜର କିଛି ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ନେବାକୁ ପଠାଯାଇଛି। ମେସିନ୍‌ ଲାଗିବା ପରେ ଏଠାରେ ନମୁନା ପରୀକ୍ଷଣ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe