ନେଟ୍‌ୱର୍କ ନଥିବା ଅଞ୍ଚଳରେ ପ୍ରସ୍ତୁତି କରି ସଫଳତା: ଝାରସୁଗୁଡ଼ାର ରୀନାଙ୍କୁ ସିଭିଲ୍‌ ସର୍ଭିସରେ ୧୯୪ ର‍୍ୟାଙ୍କ୍

ନେଟ୍‌ୱର୍କ ନଥିବା ଅଞ୍ଚଳରେ ପ୍ରସ୍ତୁତି କରି ସଫଳତା: ଝାରସୁଗୁଡ଼ାର ରୀନାଙ୍କୁ ସିଭିଲ୍‌ ସର୍ଭିସରେ ୧୯୪ ର‍୍ୟାଙ୍କ୍

ସମ୍ବଲପୁର/ଝାରସୁଗୁଡ଼ା : ନବରଙ୍ଗପୁରର ଏକ ଆଭ୍ୟନ୍ତରୀଣ ଅଞ୍ଚଳ ସାନମସିର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ‌୨୦୧୯ରୁ ଅବସ୍ଥାପିତ ଡାକ୍ତର ରୀନା ପ୍ରଧାନ ରୋଗୀ ସେବା ସହ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଚଳାଇଥିଲେ। ସେଠାରେ ନେଟ୍‌ୱର୍କ ସମସ୍ୟା ରହୁଥିବାରୁ ସାନଭାଇ ଆଶିଷ ବିଭିନ୍ନ ଷ୍ଟଡି ମେଟେରିଆଲ୍ ଡାଉନ୍‌ଲୋଡ୍‌ କରି ତାଙ୍କ ପାଖକୁ ପଠାଉଥିଲେ। ବହୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ନିଜର ଦୃଢ଼ ନିଷ୍ଠା ଓ ପରିଶ୍ରମ ବଳରେ ୧୯୪ ର‍୍ୟାଙ୍କରେ ଭାରତୀୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଝାରସୁଗୁଡ଼ା ସହର ସରବାହାଲ୍‌ ଅଞ୍ଚଳରେ ଡା. ରୀନା ପ୍ରଧାନଙ୍କ ଘର। ପିତା ଧରଣୀଧର ପ୍ରଧାନ ଲେଫ୍ରିପଡ଼ା ଏବିଡିଓ ଭାବେ ଅବସର ନେଇଥିଲାବେଳେ ମାଆ କଲ୍ୟାଣୀ ପ୍ରଧାନ ଜଣେ ଗୃହିଣୀ। ସାନଭାଇ ଆଶିଷ ବୁର୍ଲା ଭିସୁଟ୍‌ରେ ପ୍ରଥମ ବର୍ଷ ଏମ୍‌ଟେକ୍‌ ଛାତ୍ର। ପିଲାବେଳୁ ମେଧାବୀ ରୀନା ଝାରସୁଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଦଶମ ପାସ୍‌ ପରେ ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟରୁ +୨ ବିଜ୍ଞାନ ପଢ଼ିଥିଲେ। ଏହାପରେ ଭିମ୍‌ସାର୍‌ ବୁର୍ଲାରେ ଡାକ୍ତରୀ ପାଠ ପଢ଼ି ୨୦୧୬ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଅଳ୍ପ କିଛି ମାସ ପାଇଁ ସେ ଦିଲ୍ଲୀରେ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି କରିଥିଲେ ବି ଗତ ୩ ବର୍ଷ ହେଲା ଏଥିପାଇଁ ଅଧିକ ସମୟ ଦେଉଛନ୍ତି। ଏହା ତାଙ୍କର ତୃତୀୟ ଉଦ୍ୟମ ଥିଲାବେଳେ ଦ୍ବିତୀୟଥର ପାଇଁ ସାକ୍ଷାତକାର ପର୍ଯ୍ୟାୟରେ ଅବତୀର୍ଣ୍ଣ ହୋଇଥିଲେ। ନିଜ ସଫଳତା ନେଇ ବେଶ ଖୁସି ରୀନା ଭଗବାନଙ୍କ ଆଶୀର୍ବାଦ ସହ ନିଜ ବାପା, ମାଆ, ସାନଭାଇ, ବନ୍ଧୁ ପରିଜନ ଓ ଶୁଭଚିନ୍ତକଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି। ଜଣେ ଡାକ୍ତର ଓ ମହିଳା ହୋଇଥିବା ଦୃ୍ଷ୍ଟିରୁ ପ୍ରଶାସନିକ ସେବାରେ ମହିଳାଙ୍କ ଉନ୍ନତି ପାଇଁ ଅଧିକ କାମ କରିବେ ବୋଲି କହିଛନ୍ତି। ବିଶେଷ କରି ମହିଳାଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ ସାମାଜିକ ସୁରକ୍ଷା ଦିଗରେ କାମ କରିବେ ବୋଲି ‘ସମ୍ବାଦ’ କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe