ଆମ୍ବୁଲାନ୍ସ ଅଭାବରୁ ସ୍ଥାନାନ୍ତରିତ ସତ୍ତ୍ୱେ ଡାକ୍ତରଖାନାର ଶଯ୍ୟାରେ ଛଟପଟ ହେଉଛନ୍ତି ଗୁରୁତର ବାପ-ଝିଅ

ଆମ୍ବୁଲାନ୍ସ ଅଭାବରୁ ସ୍ଥାନାନ୍ତରିତ ସତ୍ତ୍ୱେ ଡାକ୍ତରଖାନାର ଶଯ୍ୟାରେ ଛଟପଟ ହେଉଛନ୍ତି ଗୁରୁତର ବାପ-ଝିଅ

ଘୁ.ଉଦୟଗିରି: ଓଡ଼ିଶାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଉ ଦିଆଯାଉଛି ବୋଲି ରାଜ୍ୟ ସରକାର ସବୁବେଳେ କହୁଥିବା ବେଳେ ବାସ୍ତବ କ୍ଷେତ୍ରରେ ତାହା ଓଲଟା ବୋଲି ଅଭିଯୋଗ ହେଉଛି। ବାଇକ୍‌ ଧକ୍କାରେ ଗୁରୁତର ବାପା-ଝିଅଙ୍କୁ  ଆମ୍ବୁଲାନ୍ସ ଅଭାବରୁ ସ୍ଥାନାନ୍ତରିତ କରାଯିବାରେ ଢେର ବିଳମ୍ବ ହୋଇଛି। ସ୍ଥାନାନ୍ତରିତର ୬ ଘଣ୍ଟା ପରେ ବି ଉଭୟ ବାପା-ଝିଅ ଡାକ୍ତରଖାନାର ଶଯ୍ୟାରେ ଛଟପଟ ହେଉଛନ୍ତି। କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ଏହି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି।

ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ପାଇଁ ଦୀର୍ଘ ଦିନରୁ ସରକାରୀ ଆମ୍ବୁଲାନ୍ସ ନାହିଁ। ସ୍ଥାନୀୟ ପ୍ରଶାସନ ଏଥି ପାଇଁ ପଦକ୍ଷେପ ନେଇପାରୁ ନାହାନ୍ତି। ଏହି କାରଣରୁ ଗରିବ ଲୋକମାନେ ଘରୋଇ ଅଟୋ ଅଥବା ଆମ୍ବୁଲାନ୍ସ ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ଓ ହଇରାଣ ହେଉଛନ୍ତି। 

ସୂଚନା ଅନୁସାରେ ଆଜି ପୂର୍ବାହ୍ଣ ପ୍ରାୟ ୯.୩୦ମିନଟ ସମୟରେ ସ୍ଥାନୀୟ ୧ନଂ ୱାର୍ଡସ୍ଥିତ ପଦାସାହି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଡୁଗୁଡ଼ି ବାସିନ୍ଦା ରବି ଗୌଡ଼ (୪୦ ବର୍ଷ) ନିଜ (ଓଆର ୧୨ ବି ୪୩୭୬)ରେ ବଡ଼ ପୁଅକୁ ପଦାସାହି ପ୍ରାଥମିକ ବିଦ୍ୟାଳୟରେ ଛାଡିବାକୁ ଯାଇଥିଲେ। ସାଙ୍ଗରେ ତାଙ୍କ ସାନ ଝିଅ ଲିପ୍ସା (୪ ବର୍ଷ) ମଧ୍ୟ ଯାଇଥିଲା। ପୁଅକୁ ସ୍କୁଲରେ ଛାଡ଼ି ଘରକୁ ଫେରିବା ବେଳେ ପଛପଟୁ ଅନ୍ୟ ଏକ ବାଇକ୍ (ଓଡି ୦୨ ବିଜେ ୪୮୫୬) ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା। ଫଳରେ ବାପା ଝିଅ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇଥିବା ବାଇକ୍‌କୁ ଚିଣ୍ଟୁ ନାୟକ ଚଳାଉଥିବା ବେଳେ ସେଥିରେ ଆଉ ଦୁଇ ଜଣ ଯୁବକ ବସିଥିବା ଜଣାପଡିଛି। ସେମାନେ ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ରବି ଓ ଲିପସାଙ୍କୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ‌ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କର ଅଧିକ ଚିକିତ୍ସା କରାଯିବା ପାଇଁ ଫୁଲବାଣୀସ୍ଥିତ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଦିଆଯାଇଥିଲା। ହେଲେ ରିପୋର୍ଟ ଲେଖାଯିବା ବେଳକୁ ଆମ୍ବୁଲାନ୍ସ ଅଭାବରୁ ଦୀର୍ଘ ସମୟ ଧରି ଗୁରୁତର ଆହତ ବ୍ୟକ୍ତି ବେଡ଼ରେ ଛଟପଟ ହେଉଥିବା ଦେଖୁବାକୁ ମିଳିଛି। ଦୁର୍ଘଟଣାସ୍ଥଳରେ ପୁଲିସ ଏସ.ଆଇ ବିନୟ ମହାରଣା ପହଞ୍ଚି ଦୁଇ ବାଇକ୍ ଜବତ କରି ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe