ଭୁବନେଶ୍ବର : ସରକାରୀ କଲେଜ ଅଧ୍ୟାପକଙ୍କ ପରି ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକଙ୍କ ଲାଗି ଅନ୍ଲାଇନ୍ରେ ରିଫ୍ରେସର୍ କୋର୍ସ ଅନୁଷ୍ଠିତ ହେବ। ଅଧ୍ୟାପକମାନେ ଏହି କୋର୍ସରେ ଭାଗ ନେଇପାରିବେ। ଯେଉଁମାନେ ଇଚ୍ଛୁକ ଥିବେ, ସେମାନେ ଆସନ୍ତା ୩୦ ତାରିଖ ସୁଦ୍ଧା https://hrdc.unipune.ac.in ୱେବସାଇଟ୍ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷମାନେ ଏ ଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ଚିଠି ଲେଖି ଅବଗତ କରାଇଛନ୍ତି।
ଚଳିତ ମାସରୁ ଏହି କୋର୍ସ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେପ୍ଟେମ୍ବରରେ ଉଦ୍ଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, ଅକ୍ଟୋବର-ନଭେମ୍ବରରେ ଭୂଗୋଳ ଓ ସଂସ୍କୃତ, ସେପ୍ଟେମ୍ବର-ଅକ୍ଟୋବର ମାସରେ ଭୂତତ୍ତ୍ବ, ଗଣିତ, ପଦାର୍ଥ ବିଜ୍ଞାନ, ଦର୍ଶନଶାସ୍ତ୍ର, ଡିସେମ୍ବରରେ ପରିସଂଖ୍ୟାନ, ନଭେମ୍ବରରେ ପ୍ରାଣୀ ବିଜ୍ଞାନ ବିଷୟର ରିଫ୍ରେସର୍ କୋର୍ସ ଅନୁଷ୍ଠିତ ହେବ। ଏହି କୋର୍ସ ଲାଗି ଅଧ୍ୟାପକଙ୍କୁ କୌଣସି ପ୍ରକାର ପଞ୍ଜୀକରଣ ଫି’ ଦେବାକୁ ପଡ଼ିବ ନାହିଁ। ସମସ୍ତ ଅର୍ଥ ଉଚ୍ଚଶିକ୍ଷା ବିଭାଗ ଖର୍ଚ୍ଚ କରିବ ବୋଲି ଜଣାପଡ଼ିଛି। ପଞ୍ଜୀକରଣ ପ୍ରକ୍ରିୟା ଶେଷ ହେବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରତି ବିଷୟରେ ଅତି ବେଶିରେ ୫୦ଜଣ ଅଧ୍ୟାପକଙ୍କୁ ଚିହ୍ନଟ କରାଯିବ। କେଉଁମାନେ ଚିହ୍ନଟ ହେବେ, ସେ ସମ୍ପର୍କରେ କଲେଜଗୁଡ଼ିକୁ ଜଣାଇ ଦିଆଯିବ। ଯେଉଁ ଅଧ୍ୟାପକମାନେ କୌଣସି ରିଫ୍ରେସର କୋର୍ସ କରି ନ ଥିବେ, ସେମାନଙ୍କୁ ପ୍ରାଥମିକତା ଦିଆଯିବ। କୋର୍ସ ଚାଲୁଥିବା ସମୟରେ କଲେଜ ଅଧ୍ୟକ୍ଷମାନେ ସମ୍ପୃକ୍ତ ଅଧ୍ୟାପକଙ୍କୁ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ କରିବେ ନାହିଁ। ଅପରାହ୍ଣ ୨ଟା ୧୫ରୁ ସନ୍ଧ୍ୟା ୭ଟା ୧୫ଯାଏ ୩ଟି ଅଧିବେଶନରେ ଅଧ୍ୟାପକଙ୍କୁ ତାଲିମ ଦିଆଯିବ। ତେଣୁ ଅପରାହ୍ଣ ୧ଟା ପରେ ଅଧ୍ୟାପକଙ୍କୁ କୌଣସି ପ୍ରକାର କାର୍ଯ୍ୟ ନ ଦେବାକୁ କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। ଅଧ୍ୟାପକମାନେ ନିଜ ଘରୁ କିମ୍ବା କଲେଜରୁ ଅନ୍ଲାଇନ୍ କ୍ଲାସ୍ରେ ସାମିଲ ହୋଇପାରିବେ। କୋର୍ସ ସରିବା ପରେ ସେମାନଙ୍କୁ ଗ୍ରେଡ୍ ଅନୁଯାୟୀ ସାର୍ଟିଫିକେଟ୍ ପ୍ରଦାନ କରାଯିବ।
Follow Us