ନୟାଗଡ଼ରୁ ପୁରୀକୁ ଗଡ଼ିଲା ନାହିଁ ନିୟମିତ ଟ୍ରେନ୍‌: ରଥଯାତ୍ରା ଶେଷ, ସ୍ୱତନ୍ତ୍ର ଟ୍ରେନ୍‌ ଗଡ଼ିବା ବି ଶେଷ

ନୟାଗଡ଼ରୁ ପୁରୀକୁ ଗଡ଼ିଲା ନାହିଁ ନିୟମିତ ଟ୍ରେନ୍‌: ରଥଯାତ୍ରା ଶେଷ, ସ୍ୱତନ୍ତ୍ର ଟ୍ରେନ୍‌ ଗଡ଼ିବା ବି ଶେଷ

ନୟାଗଡ଼ : ନୟାଗଡ଼ ଟାଉନ୍‌ ରେଳ ଷ୍ଟେସନ୍‌ରୁ ପୁରୀକୁ ସିଧାସଳଖ ଗଡ଼ୁଥିବା ଟ୍ରେନ୍‌ ଦୁଇ ବର୍ଷରୁ ଅଧିକ ସମୟ ହେବ ବନ୍ଦ ହୋଇଯାଇଛି। ଗତ ୩୦ ତାରିଖରେ ମହିପୁର ଷ୍ଟେସନ୍‌ରୁ ନୂଆଗାଁ ଷ୍ଟେସନ୍‌କୁ ଟ୍ରେନ୍‌ ଚଳାଚଳ ସଂପ୍ରସାରଣର ବ୍ୟବସ୍ଥାକୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉଦ୍‌ଘାଟନ କରିଥିଲେ। ଏଭଳି ସ୍ଥିତିରେ ସିଧାସଳଖ ନୟାଗଡ଼ ଜିଲ୍ଲାରୁ ପୂର୍ବଭଳି ପୁରୀକୁ ଟ୍ରେନ୍‌ ଚଳାଚଳ ବାବଦ‌ରେ ଶ୍ରୀ ବୈଷ୍ଣବ ଘୋଷଣା କରିବେ, ଜିଲ୍ଲାବାସୀଙ୍କ ଦାବି ପୂରଣ ହେବ ବୋଲି ଆଶା କରାଯାଉଥିଲା। ତେବେ ‌ରେଳମନ୍ତ୍ରୀ ଏ ବାବଦରେ କିଛି ସ୍ପଷ୍ଟ କରିନଥିଲେ, ତେବେ ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ଚାଲିଥିବାରୁ ପୁରୀକୁ ସ୍ବତନ୍ତ୍ର ଟ୍ରେନ୍‌ ଗଡ଼ିଥିଲା। ଏହା ଜିଲ୍ଲାବାସୀଙ୍କୁ ସାନ୍ତ୍ବନା ପ୍ରଦାନ ସଦୃଶ ହୋଇଥିଲା। ତେବେ ରଥଯାତ୍ରା ନିମନ୍ତେ ନୟ‌ାଗଡ଼ ଜିଲ୍ଲା ନୂଆଗାଁ ରେଳ ଷ୍ଟେସନ୍‌ରୁ ପୁରୀକୁ ସିଧାସଳଖ ଗଡ଼ୁ୍‌ଥିବା ସ୍ବତନ୍ତ୍ରୀ ଟ୍ରେନ୍‌ ଗତକାଲିଠାରୁ ବନ୍ଦ ହୋଇଯାଇଛି। ଫଳରେ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଜିଲ୍ଲାବାସୀଙ୍କ ଦାବିକୁ ଅଣଦେଖା ନେଇ ଅସନ୍ତୋଷ
କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପରେ ବି ସ୍ଥିତି ବଦଳିଲାନି

publive-image

ନିୟମିତ ଭାବେ କେବେ ଟ୍ରେନ୍‌ ଗଡ଼ିବ ସେଥିନେଇ ପ୍ରଶ୍ନ ଉଠିଛି, କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପରେ ବି ସ୍ଥିତିରେ କିଛି ପରିବର୍ତ୍ତନ ଆସିନଥିବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କଠାରୁ ଆରମ୍ଭ କରି ନୟାଗଡ଼ର ବିଭିନ୍ନ ଅନୁଷ୍ଠାନ, ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ପ୍ରମୁଖ ଏନେଇ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। କିନ୍ତୁ ଯଥା ପୂର୍ବଂ ତଥା ପରଂ ସ୍ଥିତି ହୋଇଛି। କରୋନା ମହାମାରୀ ପାଇଁ ୨୦୨୦ ମାର୍ଚ୍ଚରୁ ନୟାଗଡ଼ ଟାଉନ୍‌ ଷ୍ଟେସନ୍‌ରୁ ପୁରୀକୁ ସିଧାସଳଖ ଗଡ଼ୁଥିବା ଟ୍ରେନ୍‌ ସମେତ ଅନ୍ୟାନ୍ୟ ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଥିଲା। ଇତିମଧ୍ୟରେ ସ୍ଥିତି ସ୍ବାଭାବିକ ହୋଇସାରିଛି, ଭୁବନେଶ୍ବରକୁ ମଧ୍ୟ ନୟାଗଡ଼ ଜିଲ୍ଲାରୁ ଟ୍ରେନ୍‌ ଚାଲୁଛି, କିନ୍ତୁ ପୁରୀକୁ ଟ୍ରେନ୍‌ ଚଳାଚଳ ବ୍ୟବସ୍ଥାର ପୁନଃ ଆରମ୍ଭ କରାଯାଉନାହିଁ। କେବଳ ଏତିକି ନୁହେଁ, ନୟାଗଡ଼ ଟାଉନ୍‌ ରେଳ ଷ୍ଟେସନ୍‌ରୁ ଖଡ଼ଗପୁର ଏବଂ ହାୱାଡ଼ାକୁ ଚଳାଚଳ କରୁଥିବା ଟ୍ରେନ୍‌ ପ୍ରାୟ ୩ ବର୍ଷ ହେବ ବନ୍ଦ ପଡ଼ିଛି।

ପୂର୍ବରୁ ଏକ ଫାଷ୍ଟ ପାସେଞ୍ଜର ଟ୍ରେନ (ଟ୍ରେନ୍‌ ନଂ-୫୮୦୦୫/୫୮୦୦୬) ନୟାଗଡ଼ ଟାଉନରୁ ଖଡ଼ଗପୁର ନିୟମିତ ଯିବାଆସିବା କରୁଥିଲା। ଫଳରେ ବ୍ୟବସାୟିକ ଦୃଷ୍ଟିକୋଣରୁ ଜିଲ୍ଲାବାସୀ ଏହି ଟ୍ରେନ ଦ୍ୱାରା ବିଶେଷ ଭାବେ ଉପକୃତ ହେବା ସହିତ ନୟାଗଡ଼ରୁ ସିଧାସଳଖ କଲିକତା, ଖଡ଼ଗପୁର ଆଦି ସ୍ଥାନକୁ ସୁବିଧାରେ ଯିବାଆସିବା କରି ପାରୁଥିଲେ। ତେବେ ବିନା କୌଣସି କାରଣ ଦର୍ଶାଇ ରେଳବିଭାଗ ପକ୍ଷରୁ ଏହି ଟ୍ରେନକୁ ପ୍ରାୟ ୩ ବର୍ଷ ଧରି ବନ୍ଦ ରଖିଥିବା ଅଭିଯୋଗ ରହିଛି। ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ଟ୍ରେନ୍‌ ସେବା ପୁଣି ଆରମ୍ଭ କରିବାକୁ ମଧ୍ୟ ଦାବି ହେଉଛି। ଉଭୟ ଟ୍ରେନ୍‌ ବାବଦରେ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ସମେତ ଆଇନଜୀବୀ ରଣଜିତ୍‌ ଦାଶ ଅଦାଲତର ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି। ଏହା ସତ୍ତ୍ବେ ବି ଜିଲ୍ଲାବାସୀଙ୍କ ଦାବି ପ୍ରତି ରେଳ ବିଭାଗ ଧ୍ୟାନ ଦେଉନଥିବା ପ୍ରତିକ୍ରିୟା ପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe