କରୋନା ପାଇଁ ବାଧାପ୍ରାପ୍ତ ହେଲା ନିୟମିତ ଟିକାକରଣ

Advertisment

ରାଜ୍ୟର ୧୩୫ ବ୍ଲକ୍‌ରେ ୮୫ %ରୁ କମ୍ ଟିକାକରଣ

ରାଜ୍ୟର ୧୩୫ ବ୍ଲକ୍‌ରେ ୮୫ %ରୁ କମ୍ ଟିକାକରଣ

କରୋନା ପାଇଁ ବାଧାପ୍ରାପ୍ତ ହେଲା ନିୟମିତ ଟିକାକରଣ

Sabrang India

ଫେବ୍ରୁଆରି ପର୍ଯ୍ୟନ୍ତ ଚାଲିବ ସ୍ବତନ୍ତ୍ର ଟିକାକରଣ
ବୁଧବାର ବାଦ୍ ସପ୍ତାହର ଅତିରିକ୍ତ ୨ଦିନ ଟିକାକରଣ

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ରାଜ୍ୟରେ ଶିଶୁମାନଙ୍କୁ ଦିଆଯାଉଥିବା ନିୟମିତ ଟିକାକରଣ ବା ଆରଆଇ ବାଧାପ୍ରାପ୍ତ ହୋଇଛି। ତାଲାବାନ୍ଦ, ସଟ୍‌ଡାଉନ୍ ଓ ସଂକ୍ରମଣ ଅବରୋଧ ଅଞ୍ଚଳ ପାଇଁ ରାଜ୍ୟର ୧୩୫ଟି ବ୍ଲକ୍‌ରେ ନିୟମିତ ଟିକାକରଣ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍ ରେକର୍ଡ କରାଯାଇଛି। ତେବେ ଏହା ଯୋଗୁଁ ଯେପରି ଶିଶୁମାନଙ୍କ କୌଣସି ସମସ୍ୟା ନ ହୁଏ ଓ ବର୍ଷ ଶେଷ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଅଣ୍ଟା ଭିଡ଼ିଛି ସ୍ବାସ୍ଥ୍ୟ ବିଭାଗ। ଏଥିପାଇଁ ଆସନ୍ତାବର୍ଷ ଫେବ୍ରୁଆରି ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି।

ଚଳିତବର୍ଷ ମାର୍ଚ ମାସରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପରବର୍ତୀ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଲାବନ୍ଦ ଘୋଷଣା କରାଯାଇଥିଲା। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସଟ୍‌ଡାଉନ୍ ଓ ସଂକ୍ରମଣ ଅବରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନ୍ ଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଗତ ୫/୬ମାସ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାନୀୟ ପ୍ରଶାସନ ଓ ମ୍ୟୁନସିପାଲିଟି ଏଭଳି ଘୋଷଣା କରିଥିଲେ। ଫଳରେ ଲୋକମାନଙ୍କ ଚଳପ୍ରଚଳରେ ରୋକ୍ ଲାଗିଥିଲା। ଯଦିଓ ହସ୍ପିଟାଲଗୁଡ଼ିକ ଖୋଲା ରହିଥିଲା ମାତ୍ର ସଂକ୍ରମଣ ପାଇଁ ଲୋକମାନେ ‌ସେଠାକୁ ଆସିବାକୁ ଉଚିତ୍ ମଣି ନ ଥିଲେ। ପରିଣାମସ୍ବରୂପ ଶିଶୁମାନଙ୍କ ପାଇଁ ଚାଲିଥିବା ନିୟମିତ ଟିକାକରଣ ବାଧାପ୍ରାପ୍ତ ହୋଇଥିଲା।

ଶିଶୁମାନଙ୍କ ପାଇଁ ରାଜ୍ୟରେ ଏବେ ହେପାଟାଇଟିସ୍-ବି, ବିସିଜି, ପେଣ୍ଟା ଓ ରୋଟା, ପୋଲିଓ, ମିଜିଲ୍‌ସ୍ ଓ ରୁବେଲା ଓ ଅନେକ ‌ସ୍ଥାନରେ ଜାପାନିଜ୍ ଏନସାଫାଇଲେଟିସ୍ ବା ଜେଇର ଟିକାକରଣ କରାଯାଉଛି। ଏହାସହ ମିସନ୍ ଇନ୍ଦ୍ରଧନୁଷ ଜରିଆରେ ମଧ୍ୟ ଟିକାକରଣରୁ ବଞ୍ଚିତ ହୋଇଥିବା ଶିଶୁମାନଙ୍କୁ ଗୁରୁତ୍ବ ଦିଆଯାଉଛି। ପ୍ରତ୍ୟେକ ସପ୍ତାହର ବୁଧବାର ଦିନ ନିୟମିତ ଟିକାକରଣ ଜାରି ରହିଛି। ୨୦୧୯ ମସିହାରେ ରାଜ୍ୟରେ ୮୬ ପ୍ରତିଶତ ପର୍ଯ୍ୟନ୍ତ ଶିଶୁମାନଙ୍କ ନିୟମିତ ଟିକାକରଣ କରାଯାଇଥିଲା। ୨୦୨୦/୨୧ ବର୍ଷରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୯୦ ପ୍ରତିଶତ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ହେଲେ କରୋନା ମହାମାରୀ ପାଇଁ ଏହା ବହୁତ ମାତ୍ରାରେ ବାଧାପ୍ରାପ୍ତ ହୋଇଛି। ରାଜ୍ୟର ୧୩୫ଟି ବ୍ଲକ୍‌ରେ ୮୫ ପ୍ରତିଶତରୁ କମ୍ ଟିକାକରଣ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ନଜରକୁ ଆସିବା ପରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିବା ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ସ୍ବାସ୍ଥ୍ୟ ବିଭାଗ।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସ‌ାରେ, ଅଧିକାଂଶ ଜିଲ୍ଲାରେ ନିୟମିତ ଟିକାକରଣର ଧାର୍ଯ୍ୟ ଲକ୍ଷଣ ହାସଲ ହୋଇଥିଲେ ହେଁ, ତହିଁର କିଛି ବ୍ଳକ୍‌ରେ ଟିକାକରଣ କମ୍ ରହିଥିବା ନଜରକୁ ଆସିଛି। ତେଣୁ ଯେଉଁସବୁ ବ୍ଲକ୍‌ ଗୁଡ଼ିକରେ କମ୍ ଟିକାକରଣ ହୋଇଛି ସେଠାରେ ପ୍ରତି ସପ୍ତାହର ବୁଧବାର ବାଦ୍ ଅନ୍ୟ ଦୁଇଦିନ(ସରକାରୀ କାର୍ଯ୍ୟଦିବସ) ଟିକାକରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଚଳିତମାସରୁ ଏହି ସ୍ବତନ୍ତ୍ର ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆସନ୍ତାବର୍ଷ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଏହା ଚାଲିବ। ସ୍ବତନ୍ତ୍ର ଟିକାକରଣ ଅଭିଯାନ ଫଳରେ ଚଳିତବର୍ଷର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ଆଶା ପ୍ରକଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe