ବଢ଼ିବ ଏସ୍‌ସିବି କଳେବର : କଟକ ପାଇଁ ଥଇଥାନ ପ୍ୟାକେଜ୍‌; ଘର, ବଜାର, ଅନୁଷ୍ଠାନ ସମସ୍ତଙ୍କୁ ମିଳିବ ସହାୟତା

Advertisment
ଏସ୍‌ସିବିରେ ୟୁରୋଲୋଜି କର୍ମଶାଳା: ୨୦ ଜଣଙ୍କ ଲାଇଭ୍ ଅସ୍ତ୍ରୋପଚାର

indianadmissionsguru.com

ଭୁବନେଶ୍ବର : କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ୍‌ର ସମ୍ପ୍ରସାରଣ ହେବ। ଏହାକୁ ୩୦୦୦ ଶଯ୍ୟା ବିଶିଷ୍ଟ କରାଯିବ ସହ ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ସୁବିଧା ଉପଲବ୍ଧ ହେବ। ଏହି ସମ୍ପ୍ରସାରଣରେ କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ୍‌ ଆଜି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ୍‌କୁ ଅନୁମୋଦନ ଦେଇଛନ୍ତି। ସ୍ଥାୟୀ ଘର ଠାରୁ ଆରମ୍ଭ କରି ଅନଧିକୃତ ଭାବେ ନିର୍ମିତ ବାସଗୃହ, ମାର୍କେଟ୍‌ କମ୍ପ୍ଲେକ୍ସ, ଦୋକାନ, ଅନୁଷ୍ଠାନ ସମସ୍ତଙ୍କୁ ପ୍ୟାକେଜ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି। କଟକ ଜିଲ୍ଲାପାଳ ଏହି ଥଇଥାନ ଓ ପୁନର୍ବାସ ନୀତିକୁ କାର୍ଯ୍ୟକାରୀ କରିବେ। ଏଥିପାଇଁ ଜିଲ୍ଲାପାଳଙ୍କୁ ସରକାର ପାଣ୍ଠି ଯୋଗାଇ ଦେବେ।

ପ୍ୟାକେଜ୍ ଅନୁଯାୟୀ ସ୍ଥିତିବାନ ସତ୍ତ୍ବ ଥିବା ଜମି ମାଲିକମାନଙ୍କର ଘର ଓ ଜମି ଓଡ଼ିଶା ସରକାରଙ୍କ ଦ୍ବାରା ଅନୁମୋଦିତ ପ୍ରକ୍ରିୟାରେ ସିଧାସଳଖ କ୍ରୟ ଜରିଆରେ ଅଧିଗ୍ରହଣ କରାଯିବ। ‘ରାଇଟ୍‌ ଟୁ ଫେୟାର କମ୍ପେନ୍‌ସେସନ୍‌ ଆଣ୍ଡ୍‌ ଟ୍ରାନ୍ସପରେନ୍ସି ଇନ୍ ଲ୍ୟାଣ୍ଡ୍‌ ଆକ୍ବିଜିସନ୍, ରିହାବିଲିଟେସନ୍ ଆଣ୍ଡ୍‌ ରିସେଟେଲ୍‌ମେଣ୍ଟ୍‌ ଆକ୍ଟ-୨୦୧୩’ ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦିଆଯିବ। ପ୍ରତି ପରିବାରକୁ ପରିବହନ ଖର୍ଚ୍ଚ ଓ ଜରୁରି ବ୍ୟବସ୍ଥା ନିମନ୍ତେ ଏକ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ।

ଅନଧିକୃତ ବାସଗୃହ କ୍ଷେତ୍ରରେ ପ୍ରତି କ୍ଷତିଗ୍ରସ୍ତ ପରିବାରକୁ ଏକକାଳୀନ ସହାୟତା ଭାବରେ ୫୦ ହଜାର ଟଙ୍କା ସହାୟତା ଦିଆଯିବ। ଅସ୍ଥାୟୀ ଘର କରୁଥିବା ଲୋକମାନଙ୍କ ପାଇଁ କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ଦ୍ବାରା ସ୍ଥିରୀକୃତ ଅଞ୍ଚଳରେ ପ୍ରତି ପରିବାର ପାଇଁ ୧୫x୧୫ ପ୍ଲଟ୍‌ରେ ଅସ୍ଥାୟୀ ଭାବେ ନିଜ ଖର୍ଚ୍ଚରେ ଗୃହ ନିର୍ମାଣ ପାଇଁ ଲାଇସେନ୍ସ ଦିଆଯିବ। ମହାନଗର ନିଗମ ଦ୍ବାରା ସେହି ଅଞ୍ଚଳରେ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ସୁଲଭ ଗୃହ ନିର୍ମାଣ ପ୍ରକଳ୍ପରେ ଏହି ପରିବାରଗୁଡ଼ିକୁ ଚୂଡ଼ାନ୍ତ ଭାବେ ଥଇଥାନ କରାଯିବା ପରେ ସେମା‌େନ ଏହି ଅସ୍ଥାୟୀ ବାସଗୃହକୁ ଛାଡ଼ିବେ। ଅସ୍ଥାୟୀ ଆବାସ ସ୍ଥଳୀରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ୮ ଦିନ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଇ ଦିଆଯିବ। ସ୍ଥାନାନ୍ତରିତ ଲୋକମାନଙ୍କ ପାଇଁ ସିଏମ୍‌ସି ପକ୍ଷରୁ ପରିବହନ ବ୍ୟବସ୍ଥା କରାଯିବ।

ମହାନଗର ନିଗମରେ ପଞ୍ଜୀକୃତ ହୋଇଥିବା ଦୋକାନୀମାନଙ୍କୁ/ମାଛ ବିକ୍ରେତାମାନଙ୍କୁ ଏକକାଳୀନ ଏକ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ। ସିଏମ୍‌ସି ସେମାନଙ୍କର ସିକ୍ୟୁରିଟି ଡିପୋଜିଟ୍‌ ଫେରାଇ ଦେବେ। ସେହିପରି କ୍ଷତିଗ୍ରସ୍ତ ଉଠା ଦୋକାନୀମାନଙ୍କୁ ସିଏମ୍‌ସି ଭେଣ୍ଡିଂ ଜୋନ୍‌ରେ ଅଗ୍ରାଧିକାର ଭିତ୍ତିରେ ସ୍ଥାନ ଯୋଗାଇ ଦିଆଯିବ।

ସ୍ଥିତିବାନ ସତ୍ତ୍ବ ଥିବା ଜମିରେ ନିର୍ମିତ ସମସ୍ତ ଦୋକାନ ଘରକୁ ରାଜ୍ୟ ସରକାରଙ୍କ ଅନୁମୋଦିତ ପ୍ରକ୍ରିୟାରେ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ। ‘ରାଇଟ୍‌ ଟୁ ଫେୟାର କମ୍ପେନ୍‌ସେସନ୍‌ ଆଣ୍ଡ୍‌ ଟ୍ରାନ୍ସପରେନ୍ସି ଇନ୍ ଲ୍ୟାଣ୍ଡ୍‌ ଆକ୍ବିଜିସନ୍, ରିହାବିଲିଟେସନ୍ ଆଣ୍ଡ୍‌ ରିସେଟେଲ୍‌ମେଣ୍ଟ୍‌ ଆକ୍ଟ-୨୦୧୩’ ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦିଆଯିବ। ପ୍ରତି କ୍ଷତିଗ୍ରସ୍ତଙ୍କୁ ପରିବହନ ଓ ତୁରନ୍ତ ବ୍ୟବସ୍ଥା ନିମନ୍ତେ ଏକ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଦୁଇଟି କିସ୍ତିରେ ଦିଆଯିବ। ପ୍ରଥମ କିସ୍ତି ଆରମ୍ଭରେ ଦିଆଯିବ ଏବଂ ଜମି ଖାଲି କଲା ପରେ ଦ୍ବିତୀୟ କିସ୍ତି ଦିଆଯିବ।

ଅନଧିକୃତ ଦୋକାନ କ୍ଷେତ୍ରରେ ପ୍ରତି ଦୋକାନ ଘରକୁ ଏକକାଳୀନ ୩୦ ହଜାର ଟଙ୍କା ସହାୟତା ଦିଆଯିବ। ପ୍ରତି ଉଠା ଦୋକାନୀଙ୍କୁ ଏକକାଳୀନ ୨୦ ହଜାର ଟଙ୍କା ଦିଆଯିବ। ପ୍ରତି ଧାର୍ମିକ ଅନୁଷ୍ଠାନ/କ୍ଲବ୍ ପାଇଁ କଟକ ଜିଲ୍ଲାପାଳ ଏକ ଲକ୍ଷ ଟଙ୍କା ଲେଖାଏ ଏକକାଳୀନ ସହାୟତା ଯୋଗାଇ ଦେବେ। ସ୍ଥାନାନ୍ତରିତ ଗାଈ ଗୁହାଳ ପିଛା ୨୦ ହଜାର ଟଙ୍କା ଲେଖାଏ ସହାୟତା ଦିଆଯିବ।

ସରକାରୀ କ୍ବାର୍ଟର୍ସ ଖାଲି କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ଘରଭଡ଼ା ସହିତ ୧୨ ମାସ କିମ୍ବା ନୂଆ କ୍ବାର୍ଟର୍ସ ମିଳିବା ପର୍ଯ୍ୟନ୍ତ ସ୍ବତନ୍ତ୍ର ସହାୟତା ଦିଆଯିବ। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ୫ ହଜାର, ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ୭,୫୦୦, ଦ୍ବିତୀୟ ଶ୍ରେଣୀ କର୍ମଚାରୀଙ୍କୁ ୧୦ ହଜାର ଓ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ୧୨,୫୦୦ ଟଙ୍କା ଦିଆଯିବ। ବିଭିନ୍ନ ଅନୁଷ୍ଠାନ ପାଇଁ ଭଡ଼ା ଘର ବ୍ୟବସ୍ଥା ନିମନ୍ତେ ଆର୍‌ଡିସିଙ୍କ ନେତୃତ୍ବ‌େର ଗଠିତ କମିଟି ବଜାର ଦର ଅନୁଯାୟୀ ନିଷ୍ପତ୍ତି ଗ୍ରହଣ କରିବ।

ଯେହେତୁ ପ୍ରକଳ୍ପ ପାଇଁ ଜମି ଓ ସମ୍ପତ୍ତି ଅଧିଗ୍ରହଣ ଆଲୋଚନା ଭିତ୍ତିରେ କରାଯିବ, ସେଥି ପାଇଁ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଅନୁମୋଦନକ୍ରମେ କଟକ ଜିଲ୍ଲାପାଳ ଆବଶ୍ୟକ ସ୍ଥଳେ ସହାୟତାରେ ବୃଦ୍ଧି ବା ପରିବର୍ତ୍ତନ ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତିରେ ଏହି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe