Fast Mail News
ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆମେରିକାର ନୂଆ ଉର୍ଜା ସଚିବ ଜେନିଫର୍ ଗ୍ରାନ୍ହୋଲମ୍ଙ୍କ ମଧ୍ୟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ଜେନିଫର୍ ଗ୍ରାନହୋଲମଙ୍କୁ ନୂଆ ପଦରେ ଅବସ୍ଥାପିତ ପାଇଁ ଅଭିନନ୍ଦନ ଜଣାଇବା ସହ ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଉର୍ଜା ସମ୍ପର୍କ ଉପରେ ସମୀକ୍ଷା କରିଥିଲେ।
ଉଭୟ ନେତୃତ୍ୱ ଭାରତ-ଆମେରିକା ମଧ୍ୟରେ ରଣନୈତିକ ଉର୍ଜା ସମ୍ପର୍କର ପୁନଃପ୍ରତିଷ୍ଠାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନୂଆ ପ୍ରାଥମିକତାରେ ପ୍ରତିଫଳିତ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସ୍ୱଚ୍ଛ ଉର୍ଜାର ପ୍ରଚାର ପ୍ରସାର କରିବା, କମ୍ ପ୍ରଦୂଷଣଯୁକ୍ତ ମାର୍ଗ ଆପଣାଇବା ଏବଂ ସବୁଜ ଉର୍ଜା ସହଯୋଗକୁ ତ୍ୱରାନ୍ୱିତ କରିବା ଦିଗରେ କାମ କରିବା ପାଇଁ ଶ୍ରୀ ପ୍ରଧାନ ଓ ଆମେରିକାର ସଚିବ ସହମତି ପ୍ରକାଶ କରିଛନ୍ତି। ସେହିପରି ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ସ୍ୱଚ୍ଛ ଉର୍ଜା କ୍ଷେତ୍ର ଯଥା ଜୈବଇନ୍ଧନ, କାର୍ବନ କ୍ୟାପ୍ଚର୍ ଆଣ୍ଡ୍ ଷ୍ଟୋରେଜ୍(ସିସିୟୁଏସ୍), ହାଇଡ୍ରୋଜେନ୍ ଉତ୍ପାଦନ ଏବଂ କାର୍ବନ ଅଧିଗ୍ରହଣ ଓ ଆଡ୍ଭାନ୍ସ କ୍ଲିନ୍ ଏନର୍ଜି ରିସର୍ଚ୍ଚ (ପିଏସିଇ-ଆର୍)ରେ ମିଳିତ ସହଯୋଗକୁ ପ୍ରାଥମିକତା ଦେବାକୁ ଉଭୟ ମନ୍ତ୍ରୀ ସହମତି ହୋଇଥିଲେ। ଶୀଘ୍ର ଭାରତ-ଆମେରିକାର ରଣନୈତିକ ଉର୍ଜା ସମ୍ପର୍କର ତୃତୀୟ ବୈଠକ ଅନୁଷ୍ଠିତ ହେବା ନେଇ ମଧ୍ୟ ଉଭୟ ପକ୍ଷ ସହମତି ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ମାସରେ ଜେନିଫର ଗ୍ରାନହୋଲମ୍ ଆମେରିକାର ଉର୍ଜା ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।
Follow Us