ରାଜନୀତି ପାଇଁ ଦଳ ଆଗରେ ଭାଇଭାଇ ସଂପର୍କ ଫିକା

Advertisment
ଅଲଗା ଅଲଗା ପାଗ ଭିଡ଼ିଲେଣି: ବିଜେଡି ସାଂଗଠନିକ କସରତ ତ୍ବରାନ୍ବିତ କଲା

କେନ୍ଦୁଝର/ବାଂଶପାଳ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ‌ ଏବେ କିଛି ରୋଚକ କଥା ସାମ୍ନାକୁ ଆସିଛି। ଦଳ ଆଗରେ ଭାଇଭାଇର ସମ୍ପର୍କ ଫିକା ପଡିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଦୁଇଟି ଜୋନ୍‌ରେ। ରାଜନୀତି ପାଇଁ ସମ୍ପର୍କରେ ପଡ଼ିଛି ଭଟ୍ଟା। ଏଭଳି କଥା ନୂଆ ହୋଇ ନଥିଲେ ହେଁ କେନ୍ଦୁଝର ଜିଲ୍ଲାର ଥିବା ୩୭ଟି ଜୋନ୍ ମଧ୍ୟରୁ ଦୁଇଟି ଜୋନରେ ଭାଇଭାଇ ମଧ୍ୟରେ ନିର୍ବାଚନ ଲଢ଼େଇକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ ହୋଇଉଠିଛି।

ପାଟଣାର ବିଜେଡି ବିଧାୟକ ଜଗନ୍ନାଥ ନାଏକଙ୍କ ଭାଇ ସତ୍ୟବ୍ରତ ନାୟକ ବିଜେପି ଦଳରୁ ୨୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ୨୫ ନମ୍ବର ଜୋନ୍‌ରେ ମଧ୍ୟ ସମାନ ଘଟଣା। ସେଠାରେ ଦୁଇଭାଇ ବିଜେଡି ଓ ବିଜେପି ଦଳରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେଡିରୁ ଅରୁଣ ବାରିକ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜେପିରୁ ରଞ୍ଜିତ ବାରିକ ପ୍ରାର୍ଥୀ ହୋଇଛନ୍ତି।

ପାଟଣାର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକଙ୍କ ଦୁଇପୁଅ ମଧ୍ୟରୁ ସତ୍ୟବ୍ରତ ନାଏକ ବଡ଼ ହୋଇଥିବା ବେଳେ ଜଗନ୍ନାଥ ସାନ। ଜଗନ୍ନାଥ ଏବେ ପାଟଣା ବିଧାନସଭା କ୍ଷେତ୍ରରୁ ବିଜେଡି ବିଧାୟକ ଅଛନ୍ତି। ବଡ଼ଭାଇ ସତ୍ୟବ୍ରତ ବିଜେପି ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେପିରୁ ୨୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଭାବରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଠାରୁ ବିଜେଡିର ପ୍ରାର୍ଥୀ ଭାବରେ ପ୍ରଫୁଲ୍ଲ ନାଏକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୨୧ ନମ୍ବର ଜୋନ୍‌ଟି ଖିରେଇଟାଙ୍ଗିରି, ବାଉଁଶୂଳି, ଚେମଣା, ବୁଢ଼ୀକାପୁଡ଼ି, ଯମୁନାପଶି, କଣ୍ଟିଆପଡ଼ା ପଞ୍ଚାୟତକୁ ନେଇ ଗଠିତ। ସେହିପରି ତେଲକୋ‌ଇ ବିଧାନସଭା ଆସନ ଅନ୍ତର୍ଗତ ବାଂଶପାଳ ବ୍ଲକ୍ ର ୨୫ ନମ୍ବର ଜୋନ୍‌ରେ ରହିଛି କରଙ୍ଗାଡିହି, କୁଅଁର, କୋଡ଼ିପଶା, ଗୋନାସିକା, ଟଣ, ତଳକଇଁସାରି, ତଳଚମ୍ପେଇ, ବାରହାଗଡ଼, ବାୟାକୁମୁଟିଆ, ଶୁଆକାଟି, ସାହାରପୁର ପଞ୍ଚାୟତ। ଡାକ ବିଭାଗ ଚାକିରି ଛାଡ଼ି ଅରୁଣ ରାଜନୀତିରେ ପାଦ ଦେଇଥିବା ବେଳେ ତାଙ୍କ ବାପା ବଗୁଲି ବାରିକ ସରପଞ୍ଚ ଥିଲେ। କେବଳ ସେତିକି ନୁହେଁ ତାଙ୍କ ବାପା ଥିଲେ ଜଣେ ବିଜୁପ୍ରେମୀ।

ସେପଟେ ଅରୁଣଙ୍କ ସ୍ତ୍ରୀ ଦମୟନ୍ତୀ ବାରିକ ୨୦୧୨-୨୦୧୭ ମସିହା ପର୍ଯ୍ୟନ୍ତ ବିଜେଡିରୁ ନିର୍ବାଚିତ ହୋଇ ବାଂଶପାଳ ବ୍ଲକ୍ ଉପାଧ୍ୟକ୍ଷା ଥିଲେ। ଅରୁଣଙ୍କ ସାନବାପା ଦନାର୍ଦ୍ଦନ ବାରିକଙ୍କ ପୁଅ ରଞ୍ଜିତ ସ୍ଥାନୀୟ ଅଞ୍ଚଳରେ ଜଣେ ସମାଜସେବୀ ଭାବରେ ପରିଚିତ ଥିବା ବେଳେ ବିଜେପିର ଜଣେ ଚର୍ଚ୍ଚିତ ନେତା। ଦଳୀୟ ବିଚାରଧାରା ଅଲଗା ହୋଇଥିବା ବେଳେ ସେମାନେ ରାଜନୀତିକୁ ଓହ୍ଲାଇଛନ୍ତି। ମାତ୍ର ଦଳ ଆଗରେ ସେମାନଙ୍କ ସମ୍ପର୍କ ଭଟ୍ଟା ପଡିଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏହି ଦୁଇ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥିତ୍ବକୁ ନେଇ‌ ଯେଉଁ ରାଜନ‌ୈତିକ ସମୀକରଣ ଦେଖାଦେଇଛି। ତାହା ଅନେକଙ୍କ ପାଇଁ ରୋଚକ ହୋଇଛି। ରାଜନୀତିରେ ସବୁକିଛି ସମ୍ଭବ ବୋଲି ଥିବା କଥାଟି ରହିଛି। ତାହା ପୁଣି କେନ୍ଦୁଝର ଭଳି ଆଦିବାସୀ ଅଧୂଷିତ ଜିଲ୍ଲାରେ ପ୍ରମାଣିତ ଓ ପ୍ରତିପାଦିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe