ଆତ୍ମୀୟ ସ୍ବଜନ ଶେଷକୃତ୍ୟ କରିବାକୁ ଆସୁନାହାନ୍ତି: ଦେଢ଼ ବର୍ଷ ହେବ ବିଶ୍ବନାଥ ଓ ସାଥୀ ସତ୍କାର କରୁଛନ୍ତି 

Advertisment
ଆତ୍ମୀୟ ସ୍ବଜନ ଶେଷକୃତ୍ୟ କରିବାକୁ ଆସୁନାହାନ୍ତି: ଦେଢ଼ ବର୍ଷ ହେବ ବିଶ୍ବନାଥ  ଓ ସାଥୀ ସତ୍କାର କରୁଛନ୍ତି 

ଜୟପୁର: ନିଜ ଆତ୍ମୀୟ ସ୍ବଜନ ତଥା ଜନ୍ମ କରିବା ପୁଅ ମଧ୍ୟ ଶେଷକୃତ୍ୟରେ ଭାଗ ନେଇ ମୁଖାଗ୍ନୀ ଦେଉ ନାହାନ୍ତି। ରକ୍ତର ସଂପର୍କ କିଛି ନଥିଲେ ହେଁ ଆମେ ଗତ ଦେଢ଼ ବର୍ଷ ହେବ କୋଭିଡ୍ ଡାକ୍ତରଖାନା, କୋଭିଡ୍ କେୟାର କିମ୍ବା କୋଭିଡ୍ ସଂଦିଗ୍ଧ ମୃତକଙ୍କ ଶେଷ କୃତ୍ୟ ସଂପନ୍ନ କରିବା ସହ ମୁଖାଗ୍ନି ଦେଇ ଆସୁଛୁ। ଏହି ମହାନ କାମ ପାଇଁ ଆମ ଜୀବନ ଚାଳିଯାଉ ଦୁଃଖ ନାହିଁ। ମାନବସେବା ମାଧବ ସେବା। ମଣିଷର ଶେଷ ସମୟର ସାଥୀ ହେବାରେ ଯେଉଁ ଆନନ୍ଦ ରହିଛି ସେ ଆନନ୍ଦ ଅନ୍ୟ କେଉଁଟି ବି ମିଳିବ ନାହିଁ। ଏପରି କହିଛନ୍ତି ସଂଦିଗ୍ଧ କୋଭିଡ୍ ମୃତକଙ୍କୁ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ କରୁଥିବା ନିଆରା ମଣିଷ ଶବବାହାକ ସ୍ବର୍ଗରଥ ଗାଡ଼ିର ଚାଳକ ବିଶ୍ବନାଥ ପ୍ରସାଦ, ହେମନ୍ତ ବେହେରା, ଘାସି ତୁମତା, ମନୋରଂଜନ ମହାନ୍ତି, ନାରାୟଣ ହାଲବା।

ବିଶ୍ବନାଥ କୋରାପୁଟ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଚୁକ୍ତିଭିତ୍ତିକ ଚାଳକ ଭାବେ କାମ କରୁଛନ୍ତି। ସେ ମୃତକଙ୍କ ମରଶରୀରକୁ ସସମ୍ମାନର ସହ ଶେଷ କୃତ୍ୟ ପାଇଁ ଶ୍ମଶାନ, କବରପଦା କିମ୍ବା କବରସ୍ଥାନକୁ ନେଇକି ଯାଇଥାନ୍ତି। ହେମନ୍ତ, ଘାସି , ମନୋରଂଜନ, ନାରାୟଣ ଙ୍କ ସାଙ୍ଗରେ ମିଶି ଶେଷକୃତ୍ୟ ସଂପନ୍ନ କରାଉଛନ୍ତି। ଏଭଳି ଘଡିସନ୍ଧିମୂହର୍ତ୍ତରେ ଲୋକେ କାନ୍ଧ ଦେବାକୁ ଆସୁନଥିବା ବେଳେ ଏହି ୫ଜଣ ମଣିଷ ପଣିଆ, ଓ ମାନବିକତା ଦେଖାଇ ସବୁ ଧର୍ମ, ବର୍ଣ୍ଣର ଶେଷକୃତ୍ୟ ସଂପନ୍ନ କରାଉଛନ୍ତି। ସେମାନଙ୍କ ପାଇଁ ସବୁ ଭଗବାନ ତିଆରି କରିଥିବା ମଣିଷ ବୋଲି କହିଛନ୍ତି। ମରିଯିବା ସମୟରେ ସେମାନଙ୍କୁ ସମ୍ମାନର ସହ ଶେଷ କୃତ୍ୟ କରିଲେ ତାଙ୍କ ଆତ୍ମାକୁ ଶାନ୍ତି ମିଳିବ ବୋଲି ଏମାନେ କହିଛନ୍ତି। ଗତ ୨୦୨୦ମସିହାରେ କୋଭିଡ୍ ସଂଦିଗ୍ଧ ୫୭ଜଣଙ୍କର ଶେଷକୃତ୍ୟ ଏମାନେ ସଂପନ୍ନ କରିଥିବା ବେଳେ ଏବେ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରେ ଆଉ ୯ଜଣଙ୍କର ଶେଷକୃତ୍ୟ ସଂପନ୍ନ କରିଥିବା କହିଛନ୍ତି।

ବିଶ୍ବନାଥଙ୍କ ଘରେ ୧୪,୧୨ ଓ ୧୦ବର୍ଷର ତିନୋଟି ଝିଅ, ପତ୍ନୀ, ମା, ଭାଇ ଆଦି ପରିବାରକୁ ନେଇ ରହୁଛନ୍ତି। ସେ ମରଶରୀରକୁ ଓହ୍ଲାଇ ଦେବା ପରେ ବି ଅନ୍ୟ ମାନଙ୍କ ସହ ରହି ଶେଷ କୃତ୍ୟ ସଂପନ୍ନ କରାଇ ଫେରୁଛନ୍ତି। ସେଭଳି ହେମନ୍ତ ଫାଷ୍ଟଫୁଡ଼ ଦୋକାନ କରିଥିଲେ। କରୋନା ଯୋଗୁଁ ଦୋକାନ ବନ୍ଦ ହୋଇଗଲା। ସେ ଏହି କାମରେ ନିଜକୁ ନିୟୋଜିତ କରିଛନ୍ତି। ଘାସିରାମ ଦିନ ମଜୁରିଆ। ତେବେ ଏହି ଶେଷକୃତ୍ୟ ପାଇଁ କେହି ଆଗେଇ ଆସୁନଥିବାରୁ ସେ ନିଜକୁ ଏଥିରେ ସାମିଲ୍ କରିଛନ୍ତି। ମନୋରଂଜନ ବସର କଣ୍ଡକ୍ଟର ଭାବେ କାମ କରୁଥିଲେ।

ତେବେ ପରିବାରବର୍ଗ ଭୟରେ ଥିଲେ ହେଁ ଏମାନେ ଦୀର୍ଘ ମାସ ମାସ ଧରି ସଂଗରୋଧରେ ରହି ଦିନ ରାତି ଏହି କାମ ସଂପର୍ଣ୍ଣ କରି ଆସୁଛନ୍ତି। ଭୋକ ଉପବାସରେ ବି ଶେଷକୃତ୍ୟ ସଂପନ୍ନ କରାଉଛନ୍ତି। ଯେଉଁ ମଣିଷକୁ ଲୋକେ ଆଦର କରୁଥିଲା ସେହି ମଣିଷକୁ ଆଜି ଛୁଇଁବାକୁ ଚାହୁଁନି। ସେ ସମୟରେ ଆମେ କିଛି କାମରେ ଲାଗୁଛୁ। ତାହା ହିଁ ଆମ ପାଇଁ ପୁରସ୍କାର। ଆମକୁ କିଛି ହେବ ସେ ଭୟ ନାହିଁ। ଭଗବାନ ଅଛନ୍ତି। ଯଦି କେବେ ଆମକୁ କିଛି ହେଲେ ଆମ ପରିବାରକଥା କିଏ ବୁଝିବ ବେଳେ ବେଳେ ଭୟ ଲାଗେ କିନ୍ତୁ ଏବେ ପର୍ଯ୍ୟନ୍ତ କିଛି ହୋଇନଥିବାରୁ ସାହାସ ବି ଆସେ ବୋଲି ଏମାନେ କହିଛନ୍ତି। ଏହି ୫ଜଣଙ୍କ ମଣିଷପଣିଆ, ମାନବିକତାର ନିର୍ଦଶନ ସାଜିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe