ପ୍ରଦୀପଙ୍କ ଗିରଫ ପରେ ଅନୁଗତ ଛାନିଆ; ସ୍କାନର୍‌ରେ ସମ୍ପର୍କୀୟ, ମାଫିଆ, ପୂର୍ବତନ କଲେଜ ଅଧ୍ୟକ୍ଷ

ପ୍ରଦୀପଙ୍କ ଗିରଫ ପରେ ଅନୁଗତ ଛାନିଆ; ସ୍କାନର୍‌ରେ ସମ୍ପର୍କୀୟ, ମାଫିଆ, ପୂର୍ବତନ କଲେଜ ଅଧ୍ୟକ୍ଷ

ବ୍ରହ୍ମପୁର : ଆକାଶ ପାଠକଙ୍କ ଦ୍ବାରା ଟାଟା ମୋଟର୍ସରେ ଚାକିରି ଦେବା ନାଁ ୬୮ ଜଣ ଯୁବକଙ୍କଠାରୁ ଅର୍ଥ ଠକେଇ ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସିଧାସଳଖ ସଂପୃକ୍ତି ପ୍ରମାଣ ମିଳିବା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗୁରୁବାର ସନ୍ଧ୍ୟାରେ ଗିରଫ କରିଛି। ବିଧାୟକ ଥାଇ ଗିରଫ ହେବାରେ ପ୍ରଦୀପ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ପ୍ରଥମ ରାଜନେତା। ତାଙ୍କୁ ଗିରଫ ପରେ ପ୍ରଦୀପଙ୍କ ଅନୁଗତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବିଧାୟକଙ୍କ ଲିଙ୍କ୍‌ରେ‌ ରହି ଆସିଥିବା ଓ ତାଙ୍କର ବହୁବିଧ ଆର୍ଥିକ କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ କ୍ରାଇମବ୍ରାଞ୍ଚ୍‌ ଜେରାର ସମ୍ମୁଖୀନ ହେବା ସହ ଗରିଫ ହେବାର ମଧ୍ୟ ଆଶଙ୍କା ଦେଖା ଦେଇଛି।

ଏକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ବିଧାୟକଙ୍କ ଅତ୍ୟନ୍ତ ଅନୁଗତଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଡାକି ପଚରାଉଚରା କରିଥିଲା। ଏହି ପୂର୍ବତନ କଲେଜ ଅଧ୍ୟକ୍ଷ ଜଣକ ବିଧାୟକଙ୍କ ସମସ୍ତ ଆର୍ଥିକ ଦେଣନେଣ ବିଷୟ ବୁଝାସୁଝା କରୁଥିଲେ। ସେହିପରି କରୋନା ଲକ୍‌ଡାଉନ୍‌ ବେଳେ ବିଧାୟକ ପ୍ରଦୀପଙ୍କ ସହ ଚାର୍ଟାର୍ଡ଼ ଫ୍ଲାଇଟ୍‌ରେ ଉଡ଼ିଥିବା ବିଜେଡିର ଜଣେ ଯୁବନେତାଙ୍କୁ ମଧ୍ୟ‌ କ୍ରାଇମବ୍ରାଞ୍ଚ୍‌ ଜେରା କରିଥିଲା। ଏଥିସହ ପ୍ରଦୀପଙ୍କ ଅନୁଗତ ତଥା ଏକ ଇଭେଣ୍ଟ୍‌ ମ୍ୟାନେଜମେଣ୍ଟ୍‌ ସଂସ୍ଥାର ଏମ୍‌ଡିଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ୍‌ ଜେରା କରିଥିଲା। ବିଧାୟକଙ୍କ ଗିରଫଦାରି ପରେ ଜେରାର ସମ୍ମୁଖୀନ ହୋଇଥିବା ଏହି ନେତା ଓ ଅନୁଗତମାନେ ଏବେ ପ୍ରମାଦ ଗଣିଲେଣି। ଅନ୍ୟପକ୍ଷରେ ବିଧାୟକଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ ଓ ଶାଳକ ମଧ୍ୟ କ୍ରାଇମବ୍ରାଞ୍ଚ୍‌ ସ୍କାନର୍‌ରେ ରହିଥିବା କୁହାଯାଉଛି।

ଅନ୍ୟପକ୍ଷରେ ଆଜି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଆଇସିଆଇସିଆଇ ବ୍ୟାଙ୍କ୍‌ର ଷ୍ଟେଟମେଣ୍ଟ ସାମାଜିକ ଗଣମାଧ୍ୟମ ଭାଇରାଲ୍‌ ହେବା ପରେ ଗଞ୍ଜାମ ଜିଲ୍ଲାରେ ଏହା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ୪ମାସ ମଧ୍ୟରେ ବିଧାୟକ ପ୍ରାୟ ୩କୋଟି ଟଙ୍କା ନେଣଦେଣ କରିଛନ୍ତି। ଏଥିରେ ଏକାଧିକ ବ୍ୟକ୍ତି ଟଙ୍କା ନେଣଦେଣ କରିଛନ୍ତି। ବିଧାୟକଙ୍କ ଆକାଉଣ୍ଟକୁ ପ୍ରାୟ ୪୦ଲକ୍ଷ ଟଙ୍କା ପଠାଇଥିବା ଗଞ୍ଜାମର ଜଣେ ମଦ ମାଫିଆଙ୍କୁ କ୍ରାଇମବ୍ରାଞ୍ଚ୍‌ ଜେରା କରିପାରେ ବୋଲି କୁହାଯାଉଛି। ସେହିପରି ତାଙ୍କ ଭଣଜା ଗତ ୪ମାସ ମଧ୍ୟରେ ବିଧାୟକଙ୍କ ଆକାଉଣ୍ଟକୁ କାହିଁକି ୭୫ଲକ୍ଷ ଟଙ୍କା ଦେଇଛନ୍ତି, ତାହାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ଏଥିସହ ଜିଲ୍ଲାର କିଛି ବାଲି ମାଫିଆ ଓ ଲିଙ୍କ୍‌ରେ ଥିବା କିଛି ନେତା ପ୍ରଦୀପଙ୍କ ଗିରଫଦାରିକୁ ନେଇ ଏବେ ଭୟଭୀତ ହୋଇ ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe