ପୁରୀ : ସାମୁଦ୍ରିକ ଝଡ଼ବାତ୍ୟା ‘ଫନି’ ସମଗ୍ର ପୁରୀ ଜିଲ୍ଲାକୁ ଛାରଖାର୍ କରି ଦେଇଛି। ପ୍ରଶାସନ ପକ୍ଷରୁ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିଲେ ମଧ୍ୟ ରିଲିଫ୍ ବଣ୍ଟନକୁ ନେଇ ଅନେକ ସ୍ଥାନରୁ ଅସନ୍ତୋଷ, ଅଭିଯୋଗ ଆସିବାରେ ଲାଗିଛି। ଏଭଳି ସ୍ଥିତିରେ ଜିଲ୍ଲାରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ କିପରି ଚାଲିଛି ତାକୁ ଅନୁଧ୍ୟାନ କରିବେ ବିଚାର ବିଭାଗୀୟ କମିଟି। ରିଲିଫ୍ ତଦାରଖ ନିମନ୍ତେ ପ୍ରଥମ ଥର ବିଚାର ବିଭାଗୀୟ କମିଟି ଗଠନ କରାଯାଇଥିବା ବେଳେ ଏଥିରେ ଦୁଇ ଜଣ ଆଇନ୍ଜୀବୀ, ଜଣେ ଡାକ୍ତର ଓ ଜଣେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ସଦସ୍ୟ ଅଛନ୍ତି। ବାତ୍ୟା ଦୁର୍ଗତଙ୍କୁ ରିଲିଫ୍ ବଣ୍ଟନ ଓ ଥଇଥାନ ସଂପର୍କରେ ଏହି କମିଟି ଅନୁଧ୍ୟାନ କରି ଜିଲ୍ଲା ଜଜ୍ଙ୍କୁ ରିପୋର୍ଟ ଦେବ। ବାତ୍ୟା ବିଗାଡ଼ି ଦେଇଛି ସାରା ଜିଲ୍ଲାକୁ। ସବୁ ମୌଳିକ ସେବା ଧ୍ବସ୍ତବିଧ୍ବସ୍ତ। ଅଦ୍ୟାବଧି ସହରରେ ମୌଳିକ ସେବା ପୁନଃ ସଂସ୍ଥାପିତ ହୋଇ ପାରିନାହିଁ। ଗାଁ ଗଣ୍ଡାର ସ୍ଥିତି ନକହିବା ଭଲ। ପାଣି ଭଳି ଜୀବନ ରକ୍ଷକ ବ୍ୟବସ୍ଥା ଏବେ ବି ଅସଜଡ଼ା। ଅନେକ ସ୍ଥାନରେ ରିଲିଫ୍ ପହଞ୍ଚୁନଥିବା ଅଭିଯୋଗ ଗଦା ହେବାରେ ଲାଗିଛି। ବିପନ୍ନ ଲୋକେ ଆଜି ମଧ୍ୟ ଆଶ୍ରୟସ୍ଥଳରେ ରହିଛନ୍ତି। ସହାୟତା ମିଳୁନି, କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇନାହିଁ। ଫଳରେ ସହରଠୁ ଗାଁ, ସବୁଠି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହୁଛି। ଏ ପରିପ୍ରେକ୍ଷୀରେ ପ୍ରଶାସନିକ ବ୍ୟବସ୍ଥା ଲୋକଙ୍କୁ କି’ପ୍ରକାର ସହୟତା କରୁଛି ଓ ଥଇଥାନ କାର୍ଯ୍ୟ କିପରି ଚାଲୁଛି ସେସବୁର ତଦାରଖ କରିବ ବିଚାର ବିଭାଗୀୟ କମିଟି। ସେଥି ପାଇଁ ଜଣେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀଙ୍କ ନେତୃତ୍ବରେ ୪ ଜଣିଆ କମିଟି ଗଠନ ହୋଇଛି। ସେଥିରେ ଜଣେ ଯୁବ ଓ ଜଣେ ଅଭିଜ୍ଞ ଓକିଲଙ୍କ ସହିତ ଜଣେ ଅଭିଜ୍ଞ ଡାକ୍ତର ରହିବେ। ସେମାନେ ଜିଲ୍ଲାସାରା ବୁଲି ରିଲିଫ୍ ଏବଂ ଥଇଥାନ କାର୍ଯ୍ୟ ଅନୁଧ୍ୟାନ କରି ଜିଲ୍ଲା ଜଜ୍ଙ୍କୁ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି।
‘ଫନି’ ପ୍ରଭାବିତଙ୍କୁ ରିଲିଫ ଓ ଥଇଥାନ, ତଦାରଖ କରିବ ବିଚାର ବିଭାଗ କମିଟି
Advertisment
Follow Us