କେନ୍ଦୁଝର ଜିଲ୍ଲାପାଳଙ୍କୁ ଆଶ୍ବସ୍ତି: ଗିରଫ ପାଇଁ ଡିଜିଙ୍କ ନିର୍ଦ୍ଦେଶ, ହାଇକୋର୍ଟଙ୍କ ରହିତାଦେଶ

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ/କେନ୍ଦୁଝର: କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କ ବିରୋଧରେ ଜାତୀୟ ଜନଜାତି ଆୟୋଗ ଜାରି କରିଥିବା ଗିରଫ ପରୱାନା ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଜାତୀୟ ଜନଜାତି ଆୟୋଗଙ୍କ ନିର୍ଦ୍ଦେଶ ବିରୋଧରେ ଶ୍ରୀ ଠାକରେ ଦାଖଲ କରିଥିବା ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ନୋଟିସ୍ ଜାରି କରିଛନ୍ତି। ନୋଟିସ ପାଇବାର ୬ ସପ୍ତାହ ଭିତରେ ମାମଲାର ଜବାବ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି। ଏଥିସହିତ ଜାତୀୟ ଜନଜାତି ଆୟୋଗଙ୍କ ୨୦୨୨, ଏପ୍ରିଲ ୧୧ର ଗିରଫ ପରୱାନା ସଂପର୍କିତ ନିର୍ଦ୍ଦେଶନାମା ଓ ଏପ୍ରିଲ ୧୩‌ର ଚିଠି କାର୍ଯ୍ୟକାରୀ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଆୟୋଗଙ୍କ ନିକଟରେ ବିଚାରାଧୀନ ଅଭିଯୋଗର ତଦନ୍ତ ଆଗେଇବା ପ୍ରସଙ୍ଗରେ ଏହି ମାମଲା ବାଧକ ହେବନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଆୟୋଗ ଚାହିଁଲେ ତଦନ୍ତ କ୍ଷେତ୍ରରେ ଅଗ୍ରସର ହୋଇପାରିବେ। ଜିଲ୍ଲାପାଳଙ୍କ ପ୍ରତିନିଧିଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେଇ ଆୟୋଗ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ମଧ୍ୟ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରିବେ। ଜିଲ୍ଲାପାଳଙ୍କ ପ୍ରତିନିଧିଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେବା ଲାଗି ପୂର୍ବର ନୋଟିସ୍ ଜାରି କରାଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଶିଷ ଠାକ୍‌ରେଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଜାତୀୟ ଜନଜାତି ଆୟୋଗଙ୍କ ନିକଟରେ ବିଚାରାଧୀନ ଅଭିଯୋଗ ଉପରେ ଜିଲ୍ଲାପାଳଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଥିଲା। ନିୟମ ଅନୁସାରେ ପକ୍ଷଙ୍କ ପ୍ରତିନିଧି ଏ ସଂପର୍କିତ ଅଭିଯୋଗର ଶୁଣାଣିରେ ଅଂଶଗ୍ରହଣ କରି ପାରିବେ। ପକ୍ଷଙ୍କ ବ୍ୟକ୍ତିଗତ ହାଜିରାର କୌଣସି ଆବଶ୍ୟକତା ନାହିଁ। ଜାତୀୟ ଜନଜାତି ଆୟୋଗ କ୍ଷମତା ପରିସର ବାହାରକୁ ଯାଇ ବ୍ୟକ୍ତିଗତ ହାଜିରା ଓ ଗିରଫ ପରୱାନା ନିର୍ଦ୍ଦେଶ ପ୍ରଦାନ କରିଥିବାରୁ ଏହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ପ୍ରାଥମିକ ଭାବେ ଆପତତଃ ୨୦୨୧ ନିୟମାବଳୀ ଅନୁସାରେ ପରିସର ବାହାରକୁ ଯାଇ ଆୟୋଗ କ୍ଷମତା ପ୍ରୟୋଗ କରିଛନ୍ତି ବୋଲି ହାଇକୋର୍ଟ କହିବା ସହିତ ମାମଲାକୁ ବିଚାର ପାଇଁ ଗ୍ରହଣ କରି ନୋଟିସ୍ ଜାରି କରିଛନ୍ତି।

ମାମଲାର ବିବରଣୀରୁ ପ୍ରକା‌ଶ ଯେ କେନ୍ଦୁଝର ଜିଲ୍ଲାର ଗନ୍ଧମାର୍ଦ୍ଦନ ଖଣିରେ ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତି ଦାବି କରି ଆନ୍ଦୋଳନ ହୋଇଥିଲା। ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହିତ ଗିରଫ କରାଯାଇଥିଲା। ବେଆଇନ ଗିରଫଦାରୀ ବିରୋଧରେ ଦାଖଲ ଅଭିଯୋଗକୁ ଜାତୀୟ ଜନଜାତି ଆୟୋଗ ବିଚାର ପାଇଁ ଗ୍ରହଣ କରି ଜିଲ୍ଲା ପ୍ରଶାସନକୁ ନୋଟିସ୍ ଜାରି କରିଥିଲେ। ଏହି ମାମଲା ସହିତ ଜିଲ୍ଲାର ଅନ୍ୟ ଜନଜାତିଙ୍କ ସ୍ବାର୍ଥ ସଂପର୍କିତ ମାମଲାରେ ଜିଲ୍ଲାପାଳ ବାରମ୍ବାର ନିର୍ଦ୍ଦେଶ ସ‌ତ୍ବେ ଆୟୋଗଙ୍କ ନିକଟରେ ପକ୍ଷ ରଖି ନଥିଲେ ବୋଲି ଅଭିଯୋଗ ହୋଇଥିଲା। ଗତ ମାର୍ଚ୍ଚ ୨୧ରେ ଜାତୀୟ ଜନଜାତି ଆୟୋଗ ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ଏପ୍ରିଲ ୪ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହୋଇ ନଥିଲେ। ଆୟୋଗ ଏପରି ସ୍ଥିତିରେ ଜିଲ୍ଲାପାଳଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ପୁଲିସ ଡିଜିଙ୍କୁ ଆୟୋଗ ନିର୍ଦ୍ଦେଶ ଦେଇଥିଲେ।

ପୁଲିସ ଡିଜି ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ଆଇଜି ଅମିତେନ୍ଦ୍ରନାଥ ସିହ୍ନାଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଶ୍ରୀ ସିହ୍ନା କେନ୍ଦୁଝର ଏସ୍‌ପିଙ୍କୁ ଚିଠି ଲେଖି ଜିଲ୍ଲାପାଳଙ୍କ ବିରୋଧରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ହାଇକୋର୍ଟଙ୍କ ରାୟ ପରେ ସେଥିରେ ଅଙ୍କୁଶ ଲାଗି ଯାଇଛି। ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା  ଗନ୍ଧମାର୍ଦ୍ଧନ ଖଣିରେ ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତ ଦାବି କରି ଖଣି ତଳି ଅଞ୍ଚଳର ଶ୍ରମିକ ନେତା ମୁନା ପୂର୍ତ୍ତି ଆନ୍ଦୋଳନ ଚଳାଇଥିବା ବେଳେ ତାଙ୍କ ବିରୋଧରେ ଏକାଧିକ ମାମଲା କରି ଗିରଫ କରାଯାଇଥିଲା। ଏହି ମାମଲା ବିରୋଧରେ ନର୍ମଦାଶ୍ବେରାୟ ଶ୍ରମିକ ସଂଗଠନ ପକ୍ଷରୁ ଜାତୀୟ ଜନଜାତି ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନକୁ ପୂର୍ବରୁ ଏକାଧିକ ଥର ପକ୍ଷ ରଖିବାକୁ ନୋଟିସ ହୋଇଥିଲା। ଏହାବାଦ୍‌ ଜିଲ୍ଲାର ଅନ୍ୟ ଆଦିବାସୀଙ୍କ ସ୍ବାର୍ଥ ସଂପର୍କିତ ମାମଲାରେ ମଧ୍ୟ ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ନୋଟିସ ହୋଇଥିଲେ ବି ସେ ପକ୍ଷ ରଖି ନ ଥିଲେ। ଶେଷରେ ଗତ ୨୧ମାର୍ଚ୍ଚ ୨୦୨୨୨ରେ ଆୟୋଗ ପକ୍ଷରୁ ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ନୋଟିସ କରାଯାଇ ଏପ୍ରିଲ ୪ ତାରିଖ ୪ଟା ବେଳେ ଆୟୋଗଙ୍କ ପାଖରେ ବ୍ୟକ୍ତିଗତ ଉପସ୍ଥିତ ହେବାକୁ କୁହାଯାଇଥିଲା। ମାତ୍ର, ଏଥିରେ ମଧ୍ୟ ଜିଲ୍ଲାପାଳ ଉପସ୍ଥିତ ରହି ନ ଥିଲେ। ଫଳରେ ଜନଜାତି ଆୟୋଗ ଜିଲ୍ଲାପାଳଙ୍କ ବିରୋଧରେ ଗିରଫ ପରୱାନା ଜାରି କରି ଏହାକୁ କାର୍ଯ୍ୟକାରୀ କରିବାକୁ ଡିଜି ସୁନୀଲ କୁମାର ବଂଶଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆସନ୍ତା ୧୯ ତାରିଖରେ ଅନୁସୂଚିତ ଜନଜାତି ଆୟୋଗରେ ହାଜର ହେବା ପାଇଁ ନିର୍ଦ୍ଦେଶ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe