ମନେରହିବେ ଦମୟନ୍ତୀ... ଅଙ୍ଗଦାନ କଲେ, ମର୍ଯ୍ୟାଦାର ସହ ବିଦାୟ ନେଲେ

ମନେରହିବେ ଦମୟନ୍ତୀ... ଅଙ୍ଗଦାନ କଲେ, ମର୍ଯ୍ୟାଦାର ସହ ବିଦାୟ ନେଲେ

ପୁରୀ: ମହାଯାତ୍ରାରେ ଯିବା ପୂର୍ବରୁ ଅଙ୍ଗଦାନ କରି ଇତିହାସ ରଚିଲେ କେନ୍ଦୁଝର ହରିଚନ୍ଦନପୁର ବ୍ଲକ୍‌ ବରେଇଗୁଡ଼ା ଗାଁ’ର ୧୪ ବର୍ଷୀୟା ଦମୟନ୍ତୀ ମହାନ୍ତ। ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କୁ ରାଜ୍ୟ ମର୍ଯ୍ୟାଦା ସହ ତୋପସଲାମୀ ଦେଇ ସମ୍ମାନ ଜଣାଇବାକୁ ଘୋଷଣା ହେବା ପରେ ଦମୟନ୍ତୀଙ୍କ ନାଁ’ ପ୍ରଥମଫର୍ଦ୍ଦର ପ୍ରଥମ ଧାଡ଼ିରେ ଯୋଡ଼ିହୋଇଛି। ଦମୟନ୍ତୀଙ୍କ ଅବଦାନ ପାଇଁ ତାଙ୍କୁ ବିଦାୟ ବେଳେ ମିଳିଛି ପ୍ରଥମ ରାଜ୍ୟ ମର୍ଯ୍ୟାଦା ସମ୍ମାନ। ୧୦ ଦିନ ହେଲା ମସ୍ତିଷ୍କଘାତ ସମସ୍ୟା ସହ ଯୁଝୁଥିବା ଦମୟନ୍ତୀଙ୍କର ଏମ୍‌ସରେ ମୃତ୍ୟୁ ପରେ ତାଙ୍କ ଯକୃତ ଅନ୍ୟକୁ ନୂଆ ଜୀବନ ଦେଇଛି। ତାଙ୍କ ପିତାମାତାଙ୍କର ଇଚ୍ଛା ମୁତାବକ, ଦମୟନ୍ତୀଙ୍କୁ ସ୍ବର୍ଗଦ୍ବାରରେ ଦାହ କରାଯାଇଛି। ସ୍ବର୍ଗଦ୍ବାରରେ ପହଞ୍ଚିବା ପରେ ତାଙ୍କୁ ପୁଲିସ ପକ୍ଷରୁ ତୋପସଲାମୀ ଦେଇ ବିଦାୟ ଦିଆଯାଇଛି।

ଦମୟନ୍ତୀଙ୍କ ବାପା ଦୁଃଖବନ୍ଧୁ ମହାନ୍ତି କହିଛନ୍ତି, ଦମୟନ୍ତୀ ଥିଲା ମୋ ଜୀବନ। ସବୁଦିନ ପାଇଁ ଆଖି ବୁଜିଦେଲା, କିନ୍ତୁ ଆଉ ଜଣକୁ ନୂଆ ଜୀବନ ଦେଇ ଉଦାହରଣ ରଚିଲା। ସରକାରଙ୍କ ଘୋଷଣା ପରେ ଅଙ୍ଗଦାନ କରିଥିବା ମୋ ଝିଅକୁ ପ୍ରଥମ ବ୍ୟକ୍ତି ଭାବେ ସ୍ବର୍ଗଦ୍ବାରରେ ରାଜ୍ୟ ମର୍ଯ୍ୟାଦାର ସହ ତୋପସଲାମୀ ଦିଆଯାଇ ବିଦାୟ ଦେବା ଦୃଶ୍ୟ ମୁଁ ବଞ୍ଚିଥିଲା ଯାଏଁ ମନେ ରହିବ। ଅନ୍ତର କାନ୍ଦୁଛି, ହେଲେ ମୋ ଝିଅ ଯେ ଅନ୍ୟର ଶରୀରରେ ବଞ୍ଚି ରହିବ ଏହା ମୋତେ ଆଶ୍ବସ୍ତ କରୁଛି। ଦୁଃଖବନ୍ଧୁ କହିଛନ୍ତି, ଜଣେ ଅଟୋଚାଳକ ହୋଇଥିବାରୁ ଭୁବନେଶ୍ବରରେ ଘର ଭଡ଼ା ନେଇ ରହୁ। କିନ୍ତୁ କେବେ ବି ଦମୟନ୍ତୀ ତାଙ୍କ ପାଖରେ କିଛି ଦାବି କରିନାହାନ୍ତି। ହସଖୁସି ଓ ସାହାଯ୍ୟ କରିବାର ମନୋବୃତ୍ତି ଯୋଗୁଁ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲା। କମ୍‌ ଦିନରେ ସଂସାର ଛାଡ଼ି ଚାଲିଗଲା, ହେଲେ ମୋତେ ଅନ୍ୟମାନଙ୍କ ନିକଟରେ ଗର୍ବିତ କରିଦେଇଗଲା।

ଦମୟନ୍ତୀଙ୍କ ମା’ ବନିତା ମହାନ୍ତଙ୍କ ସମେତ ବହୁଲୋକ ସ୍ବର୍ଗଦ୍ବାରରେ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ଅତରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଏସ୍‌ପି ସୁଶୀଲ କୁମାର ମିଶ୍ର, ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ଶରୀର ଦାନ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ବଦ୍ରି ମିଶ୍ର, ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଯୁଗ୍ମ ସଂଯୋଜକ ଷ୍ଟାଲିନ୍ ପରିଜା, ସ୍ୱର୍ଗଦ୍ୱାର ସେବା ସମିତି ସମ୍ପାଦକ ସିଦ୍ଧାର୍ଥ ରାୟ, ବରିଷ୍ଠ ପରାମର୍ଶଦାତା ବ୍ରଜକିଶୋର ସାହୁ ପ୍ରମୁଖ ଶେଷଦର୍ଶନ କରିଥିଲେ। ଦମୟନ୍ତୀଙ୍କ ବଡ଼ବାପା ଧନେଶ୍ୱର ମହାନ୍ତ ମୁଖାଗ୍ନି ଦେଇଥିଲେ।
ସୂଚନାଯୋଗ୍ୟ ଯେ ନଭେମ୍ବରରେ ଦମୟନ୍ତୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। କିଡ୍‌ନି ସମସ୍ୟା ଦେଖାଯିବା ପରେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଘରୋଇ ହସ୍ପିଟାଲରୁ ଚିକିତ୍ସିତ ହୋଇ ଫେରିଥିଲେ। କିନ୍ତୁ ନିକଟରେ ସରସ୍ବତୀ ପୂଜା ଦିନ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାରୁ ଏମ୍‌ସରେ ଆଡ୍‌ମିସନ୍‌ ହୋଇଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ଦମୟନ୍ତୀଙ୍କ ମୃତ୍ୟୁପରେ, ଭୁବନେଶ୍ୱରର ଏମ୍‌ସରେ ଡାକ୍ତରୀ ଦଳ ଦମୟନ୍ତୀଙ୍କ ଯକୃତକୁ ଗ୍ରିନ୍‌ କରିଡର୍‌ ସହାୟତାରେ ଦିଲ୍ଲୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଲିଭର୍‌ ଆଣ୍ଡ ବାଏଲେରି ସାଇନ୍ସକୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe