ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପାଇଁ ଚିନ୍ତାରେ ଦୁର୍ଗମ ଅଞ୍ଚଳର ଗାଡ଼ି ଚାଳକ

Advertisment
ଧମକାଉଥିଲେ, ଏବେ ଚୁପ୍: ବିନା ହାଇସିକ୍ୟୁରିଟି ନମ୍ବର୍‌ ପ୍ଲେଟ୍‌ରେ ଗଡ଼ୁଛି ୩୦ଲକ୍ଷ ଗାଡ଼ି

Odisha Bytes

ମାଲକାନଗିରି : ରାଜ୍ୟ ସରକାର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଗାଡ଼ିରେ ଲଗାଇବା ପାଇଁ ବାଧ୍ୟତାମୂଳକ କରିଛନ୍ତି। ଏଥିପାଇଁ ପୂର୍ବରୁ ସମୟ ସୀମା ମଧ୍ୟ ଧାର୍ଯ୍ୟ କରିଥିଲେ। ତେବେ ରାଜ୍ୟରେ ପ୍ଲେଟ୍‌ ଯୋଗାଇ ଦେବାକୁ ଭିତ୍ତିଭୂମି ନଥିବାରୁ ଏହି ଅବଧିକୁ ପୁଣି ମାସକ ପାଇଁ ସରକାର ବଢ଼ାଇ ଦେଇଛନ୍ତି। ଏକ ମାସର ମହଳତ ମିଳିଥିଲେ ସୁଦ୍ଧା ମାଲକାନଗିରି ଜିଲ୍ଲାର ଗାଡ଼ି ଚାଳକଙ୍କ ଚିନ୍ତା କମୁନି।

ଟେଲି ଯୋଗାଯୋଗ ଏବଂ ଇଣ୍ଟରନେଟ୍‌ ବ୍ୟବହାର କ୍ଷେତ୍ରରେ ବହୁ ପଛରେ ରହିଛି ମାଲକାନଗିରି ଜିଲ୍ଲା। ଏପରିକି ଅନେକ ଗାଁକୁ ଏବେ ମଧ୍ୟ ଯାତାୟାତ ପାଇଁ ପକ୍କା ରାସ୍ତା ନାହିଁ। ଏମିତି ସ୍ଥିତିରେ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ରହୁଥିବା ଗାଡ଼ି ଚାଳକ କେମିତି ପ୍ଲେଟ୍‌ ପାଇଁ ଆବେଦନ କରିବେ ବୋଲି ପ୍ରଶ୍ନ ଉଠିଛି। ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ଡାକଘର କିମ୍ବା କିୟୋସ୍କ ବ୍ୟାଙ୍କ ପରି ଜନସେବା କେନ୍ଦ୍ରରେ ଆବେଦନ କରାଯାଇ ପାରିବ। କିନ୍ତୁ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳରେ ଜନସେବା କେନ୍ଦ୍ର ନାହିଁ। ସେହିପରି ମୋବାଇଲ ନେଟୱର୍କ ଅବସ୍ଥା ସମସ୍ତେ ଭଲ ଭାବେ ଅବଗତ। ଦିନ ଦିନ ଧରି ନେଟୱର୍କ ରହୁନଥିବା ବେଳେ କିଛି ଅଞ୍ଚଳରେ ଏବେ ବି ଆନ୍ଧ୍ର କିମ୍ବା ଛତିଶଗଡ଼ର ମୋବାଇଲ ନେଟୱର୍କ ଉପରେ ଲୋକେ ନିର୍ଭର କରୁଛନ୍ତି। ପୁଣି ପ୍ରତି ଗାଁ କିମ୍ବା ପ୍ରତି ପଞ୍ଚାୟତରେ ଜନସେବା କେନ୍ଦ୍ର କିମ୍ବା ଡାକଘର ନାହିଁ। ମାଇଲ ମାଇଲ ଦୂର ଗଲେ ସେମାନେ ଜନସେବା କେନ୍ଦ୍ର କିମ୍ବା ଡାକଘର ସେବା ପାଇବେ। ଏହାବ୍ୟତୀତ କୌଣସି କାରଣରୁ ଜନସେବା କେନ୍ଦ୍ରରେ ନେଟୱର୍କ କଟିଗଲେ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।

ସରକାର ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ କୌଣସି ସୁବିଧା ନ କରି ଅସୁବିଧାରେ ପକାଇଛନ୍ତି ବୋଲି ବୁଦ୍ଧିଜୀବୀ କହିଛନ୍ତି। ସେହିପରି ମାଲକାନଗିରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଏଠାରେ ନିରକ୍ଷରଙ୍କ ସଂଖ୍ୟା ଅଧିକ। ତଥାପି ପ୍ରାୟ ଆଦିବାସୀଙ୍କ ନିକଟରେ ମଟର ସାଇକେଲ ଏବଂ କାର ରହିଛି। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ସଂପର୍କରେ ବହୁ ଗ୍ରାମାଞ୍ଚଳର ଲୋକ ଆଜି ବି ଜାଣିନାହାନ୍ତି। ପ୍ରଶାସନ ତରଫରୁ ଏନେଇ ସଚେତନ କରାଯିବା ସହ ସେମାନେ କିପରି ସହଜରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପାଇବେ ସେହି ବ୍ୟବସ୍ଥା କରିବା ଦରକାର ବୋଲି କୁହାଯାଇଛି। ସେହିପରି ପ୍ଲେଟ୍‌ ପାଇଁ ଆକାଉଣ୍ଟରୁ ଟଙ୍କା କଟୁଥିବାରୁ ଲୋକେ ଏହି ବିଷୟରେ ଅବଗତ ନାହାନ୍ତି। ଯଦି କୌଣସି ପ୍ରକାର ଠକାମି ହେବ ତେବେ କେହି ଉତ୍ତରଦାୟୀ ମଧ୍ୟ ରହିବେ ନାହିଁ। ତେଣୁ ମାଲକାନଗିରି ଜିଲ୍ଲା ନିମନ୍ତେ ସରକାର ବିକଳ୍ପ ବ୍ୟବସ୍ଥା କରନ୍ତୁ ନଚେତ ଅବଧିକୁ ବଢ଼ାଇବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe