ଦନ୍ତା ଶରୀରରୁ ଗୁଳି କାଢ଼ିଲେ, ପରୀକ୍ଷା ପାଇଁ ପଠାଗଲା ଅଙ୍ଗର ନମୁନା

Advertisment
ଦନ୍ତା ଶରୀରରୁ ଗୁଳି କାଢ଼ିଲେ, ପରୀକ୍ଷା ପାଇଁ ପଠାଗଲା ଅଙ୍ଗର ନମୁନା

ନରସିଂହପୁର : କଟକ ନରସିଂହପୁର ବନାଞ୍ଚଳର ବାରସିଙ୍ଗା ଜଙ୍ଗଲରେ ପ୍ରାଣ ହରାଇଥିବା ଗୁଳିବିଦ୍ଧ ଦନ୍ତାହାତୀର ଶନିବାର ଦିନ ବ୍ୟବଚ୍ଛେଦ କରାଯାଇଛି। ମୃତ ଦନ୍ତା ଶରୀରରୁ ଗୋଟିଏ ଗୁଳି ଜବତ କରାଯାଇଛି। ବିଶେଷଜ୍ଞ ଦଳ ହାତୀ ଅଙ୍ଗର ବିଭିନ୍ନ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଓୟୁଏଟିକୁ ପଠାଇଛନ୍ତି। ମୃତ ହାତୀର ଦୁଇ ଦାନ୍ତକୁ ନରସିଂହପୁର ବନ ବିଭାଗ କାର୍ଯ୍ୟାଳୟକୁ ନିଆଯାଇଛି ବୋଲି ବନ ଅଧିକାରୀ ପ୍ରଫୁଲ୍ଲ କୁମାର ଦେହୁରୀ ସୂଚନା ଦେଇଛନ୍ତି।

ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଅନ୍ତର୍ଗତ ବାଲିକିଆରୀ ସଂରକ୍ଷିତ ଜଙ୍ଗଲ ବାରସିଙ୍ଗା ବିଟ୍‌ ହାଉସ୍‌ ନିକଟରେ ଗଲା ଗୁରୁବାର ଦିନ ଏହି ଗୁଳିବିଦ୍ଧ ଦନ୍ତାର ସନ୍ଧାନ ମିଳିଥିଲା। ଗତକାଲି ବରିଷ୍ଠ ବନ ଅଧିକାରୀମାନେ ପ୍ରାଣୀ ଚିକିତ୍ସକ ବିଜୟ କୁମାର ସେନାପତିଙ୍କ ସହ ପହଞ୍ଚି ହାତୀର ଚିକିତ୍ସା ବ୍ୟବସ୍ଥା କରିଥିଲେ। ହାତୀର ବାମ କାନତଳେ ଗଭୀର ଆଘାତ ଲାଗିବା ସହ ଦେହର ୬ଟି ସ୍ଥାନରେ ଗୁଳି ବାଜିଥିବାରୁ ସେ କିଛିଦିନ ଧରି ଖାଦ୍ୟ ନ ଖାଇ ଜଙ୍ଗଲରେ ଏଣେତେଣେ ଘୂରି ବୁଲୁଥିଲା। ସ୍ଥାନୀୟ ଲୋକେ ହାତୀକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଆହତ ଦନ୍ତା ସାତକୋଶିଆ ଅଞ୍ଚଳରୁ ନୂଆଗଡ଼ ସଂରକ୍ଷିତ ଜଙ୍ଗଲର ଝାଜିବନ୍ଧ, ଜୟପୁର ଦେଇ ବାରସିଙ୍ଗା ବିଟ୍‌ ହାଉସ ନିକଟରେ ପହଞ୍ଚିଥିଲା। ସେଠାରେ ଦୁଇଦିନ ଧରି ଚିକିତ୍ସା ସତ୍ତ୍ବେ ଗତକାଲି ସନ୍ଧ୍ୟା ପ୍ରାୟ ୬ଟାରେ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ଘଟିଥିଲା। ଉପଯୁକ୍ତ ଚିକିତ୍ସା ଅଭାବରୁ ହାତୀଟି ପ୍ରାଣ ହରାଇଥିବା ସାଧାରଣରେ ଅଭିଯୋଗ ହୋଇଥିଲା।

ଶୁକ୍ରବାର ଦିନ ରାତି ଅଧିକ ହୋଇଯିବାରୁ ମୃତ ଦନ୍ତାକୁ ବନ ବିଭାଗ କର୍ମଚାରୀମାନେ ଜଗି ରହିଥିଲେ। ଶନିବାର ଦିନ ପ୍ରାୟ ୧୧ଟାରେ ଅନୁଗୁଳ ବନ୍ୟପ୍ରାଣୀ ବିଭାଗ ସିସିଏଫ୍‌ ମନୋଜ ନାୟାର, ଅନୁଗୁଳ ଆର୍‌ସିସିଏଫ୍‌ ୟୋଗାନନ୍ଦ, ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଯାଦବ, ଏସିଏଫ୍‌ ଘନଶ୍ୟାମ ମୁଦୁଲି, ନରସିଂହପୁର ପ୍ରାଣୀ ଚିକିତ୍ସକ ବିଜୟ କୁମାର ସେନାପତି, ସାତକୋଶିଆ ବନ୍ୟପ୍ରାଣୀ ଚିକିତ୍ସକ କିଶୋର ସାହୁ, ନନ୍ଦନକାନନରୁ ଆସିଥିବା ଦୁଇଜଣ ପ୍ରାଣୀ ବିଶେଷଜ୍ଞଙ୍କ ସମେତ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଦନ୍ତାର ଶବ ବ୍ୟବଚ୍ଛେଦ କରାଯାଇଥିଲା। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ହାତୀ ମୃତ୍ୟୁର ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଡିଏଫ୍‌ଓ ଶ୍ରୀ ଯାଦବ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe