ନୀଳାଦ୍ରି ବିଜେ ପୂର୍ବରୁ ଶ୍ରୀମନ୍ଦିର ମରାମତି, ବୈଷୟିକ ଦଳର ଯାଞ୍ଚ

ନୀଳାଦ୍ରି ବିଜେ ପୂର୍ବରୁ ଶ୍ରୀମନ୍ଦିର ମରାମତି, ବୈଷୟିକ ଦଳର ଯାଞ୍ଚ

ପୁରୀ : ଚତୁର୍ଦ୍ଧା ବିଗ୍ରହଙ୍କ ନୀଳାଦ୍ରି ବିଜେ ପୂର୍ବରୁ ଶ୍ରୀମନ୍ଦିରର ଆବଶ୍ୟକ ମରାମତିର ଅନୁଧ୍ୟାନ କରିଛନ୍ତି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ବରିଷ୍ଠ ଅଧିକାରୀ ଓ ବୈଷୟିକ ଦଳ। ଗୁରୁବାର ଦିନ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ବରିଷ୍ଠ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଓ ପୂର୍ତ୍ତ ବିଭାଗ ଅଧିକାରୀମାନଙ୍କ ୨୦ଜଣିଆ ଦଳ ଶ୍ରୀମନ୍ଦିର ଗର୍ଭଗୃହ, ଜଗମୋହନ ସ୍ଥିତି ଯାଞ୍ଚ କରିଛନ୍ତି। ଭୋଗମଣ୍ଡପ, ରୋଷଘର ପଥର ସ୍ଥିତି ବି ଦେଖିଛନ୍ତି। ଗର୍ଭଗୃହରେ ବଡ଼ ବଡ଼ ମୂଷାଙ୍କ ଉତ୍ପାତ ବଢ଼ି ଚାଲିଥିବାରୁ ଏମାନଙ୍କୁ ଅଟକାଇବାକୁ ଗର୍ଭଗୃହକୁ ଯେଉଁ ବାଟ ରହିଛି, ସେଠାରେ ଜାଲି ଲଗାଇବାକୁ ଯୋଜନା କରାଯାଇଛି।

ଗର୍ଭଗୃହ, ଜଗମୋହନ ସ୍ଥିତି ଦେଖିଲେ
ମୂଷା ଚଳପ୍ରଚଳ ବାଟରେ ଲାଗିବ ଜାଲି
ବଦଳିବ ଭୋଗମଣ୍ଡପ, ରୋଷଘର ପଥର

ଗୁରୁବାର ଦିନ ଏନଏମଏ ଅଧ୍ୟକ୍ଷ ତଥା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ମହାନିର୍ଦ୍ଦେଶକ କିଶୋର ବାସା, ପୂର୍ବାଞ୍ଚଳ ଆଞ୍ଚଳିକ ନିର୍ଦ୍ଦେଶକ ଏ କେ ପଟେଲ, ଭୁବନେଶ୍ବର ଅଧୀକ୍ଷକ ଡି ଏସ୍‌ ଗଡ଼ନାୟକ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଅଜିତ କୁମାର ମହାପାତ୍ର ପ୍ରମୁଖ ଆଜି ଶ୍ରୀମନ୍ଦିର ଯାଇ ଆବଶ୍ୟକ ମରାମତି ନେଇ ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରତ୍ନତତ୍ତ୍ବ ବିଭାଗ ମହାନିର୍ଦ୍ଦେଶକଙ୍କ ସମେତ ଅନ୍ୟ ଅଧିକାରୀମାନେ ମଠା ପିନ୍ଧି ଆଜି ଗର୍ଭଗୃହକୁ ଯାଇ ସ୍ଥିତି ଯାଞ୍ଚ କରିଥିଲେ। ପ୍ରଥମେ ଗର୍ଭଗୃହକୁ ଯାଇ ପଥର ଖସିବା ସ୍ଥାନ ସହ ମୂଷା ଯା’ଆସ ପାଇଁ ରହିଥିବା ବାଟ ଦେଖିଥିଲେ। ସୂଚନା ଅନୁସାରେ, ଦୀପ, ଧୂପ ଲାଗି ଜଗମୋହନର ବିଭିନ୍ନ ସ୍ଥାନ କଳା ପଡ଼ିଯାଇଥିବାରୁ ଏହାକୁ କେମିକାଲ୍‌ ଜରିଆରେ ଛଡ଼ାଇବାକୁ ଯୋଜନା କରାଯାଇଛି। ସେହିଭଳି ଭୋଗମଣ୍ଡପ ଓ ରୋଷଘର ଚଟାଣର ପଥର ବହୁ ସ୍ଥାନରେ ନଷ୍ଟ ହୋଇଯାଇଛି। ଏହାକୁ କାଢ଼ି ଖାଣ୍ଡେଲାଇଟ୍‌ ପଥର ଲଗାଇବାକୁ ଯୋଜନା କରାଯାଇଛି। ପୂର୍ବବର୍ଷ ରୋଷଘର ଚଟାଣର ୫୦ ପ୍ରତିଶତ ଖାଣ୍ଡେଲାଇଟ୍‌ ପଥର ପଡ଼ିଥିଲା। ବାକି ଜାଗାରେ ଏଥର ଖାଣ୍ଡେଲାଇଟ୍‌ ପଥର ପକାଯିବ।

ଏ ସଂପର୍କରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର କାର୍ଯ୍ୟାଳୟ ଅଧୀକ୍ଷକ ଶ୍ରୀ ଗଡ଼ନାୟକ କହିଛନ୍ତି, ‘ ଆବଶ୍ୟକ ମରାମତି ସହ କଳା ଛଡ଼ାଇବା ପାଇଁ ବୈଜ୍ଞାନିକଙ୍କ ସହ ଅନ୍ୟ ବିଶେଷଜ୍ଞମାନେ ଆସିଛନ୍ତି। ଆମେ ନୀଳାଦ୍ରି ବିଜେ ପୂର୍ବରୁ ଛୋଟ ଛୋଟ କାମ ସାରିଦେବାକୁ ଲକ୍ଷ୍ୟ ରଖିଛୁ। ବାକି ବଡ଼ କାମ ନୀଳାଦ୍ରି ବିଜେ ପରେ କରିବୁ ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe