୮ଟି ଜିଲ୍ଲା ରିପୋର୍ଟରେ କେଁ, ସହାୟତା ମିଳିବାରେ ବିଳମ୍ବ ହେବ!

ସମସ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ରିଲିଫ କମିସନର

୮ଟି ଜିଲ୍ଲା ରିପୋର୍ଟରେ କେଁ, ସହାୟତା ମିଳିବାରେ ବିଳମ୍ବ ହେବ!

ଭୁବନେଶ୍ୱର: ମାଟିଆଗୁଣ୍ଡି ସମେତ ବିଭିନ୍ନ ରୋଗପୋକ ଆକ୍ରମଣରେ ଖରିଫ ଧାନ ଫସଲର କ୍ଷୟକ୍ଷତି ନେଇ ତନାଘନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ରୋଗପୋକରେ ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ୮ଟି ଜିଲ୍ଲା ସହିତ ଆକ୍ରାନ୍ତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ କ୍ଷୟକ୍ଷତିର ପରିମାଣ ତୁରନ୍ତ ଆକଳନ ସାରି ତୁରନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସବ୍‌ସିଡି ପ୍ରଦାନ ନେଇ ବିଜ୍ଞପ୍ତି ପ୍ରକାଶ କରାଯିବ ଓ ସେମାନଙ୍କୁ ସହାୟତା ପ୍ରଦାନ କରାଯିବ। ତେବେ ପୂର୍ବରୁ ମିଳିଥିବା ୮ଟି ଜିଲ୍ଲାର ରିପୋର୍ଟକୁ ଆଉ ଥରେ ନୂଆ ଫର୍ମାଟ୍‌ରେ ପଠାଇବାକୁ କୁହାଯାଇଛି। ଫଳରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ପ୍ରଦାନରେ ବିଳମ୍ବ ହେବା ନେଇ ଚାଷୀ ମହଲରେ ଆଶଙ୍କା ପ୍ରକାଶ ପାଇଲାଣି।

ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତିି। ଚିଠିରୁ ଜଣାଯାଇଛି ଯେ ଗତ ୧ ତାରିଖରେ ଚକଡ଼ା ପୋକ ଦ୍ୱାରା ୩୩%ରୁ ଅଧିକ କ୍ଷତିଗ୍ରସ୍ତ ଫସଲ ହୋଇଥିବା ୮ଟି ଜିଲ୍ଲାଗୁଡ଼ିକଠାରୁ ରିପୋର୍ଟ ମଗାଯାଇଥିଲା। ତଦନୁଯାୟୀ ସେହି ଜିଲ୍ଲାଗୁଡ଼ିକରୁ ରିପୋର୍ଟ ମିଳିଛି। ତେବେ ସେହି ଜିଲ୍ଲାଗୁଡ଼ିକୁ ନୂଆ ଫର୍ମାଟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ କୁହାଯାଇଛି। ଅନ୍ୟ ସମସ୍ତ ଜିଲ୍ଲାଗୁଡ଼ିକ ମଧ୍ୟ ଏକ୍ସସେଲ୍‌ ଫର୍ମାଟରେ କମ୍ପ୍ୟୁଟର ଜରିଆରେ ପଠାଇବେ। ଏଣୁ, ବରଗଡ଼, ବଲାଙ୍ଗୀର, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ସମ୍ବଲପୁର, ସୋନପୁର ଜିଲ୍ଲାଗୁଡ଼ିକର କ୍ଷତିଗ୍ରସ୍ତ ଚାଷୀ ଯେ ଫସଲ କ୍ଷୟକ୍ଷତି ନେଇ ସରକାରୀ ଘୋଷିତ ଇନ୍‌ପୁଟ୍‌ ସବ୍‌ସିଡି ବା ସହାୟତା ଶୀଘ୍ର ପାଇବେ ସେ ନେଇ ସନ୍ଦେହ ଦୃଢ଼ୀଭୂତ ହୋଇଛି।
ରିଲିଫ କମିସନର ଶ୍ରୀ ସେଠୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତିି ଯେ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ରୋଗପୋକ ଆକ୍ରମଣ ନେଇ ମିଳିତ କ୍ଷେତ୍ରୀୟ ଯାଞ୍ଚ କରାଯିବ। ସେହି ମିଳିତ ଯାଞ୍ଚ ଦଳରେ ରାଜସ୍ୱ ଏବଂ କୃଷି ବିଭାଗର କର୍ମଚାରୀମାନେ ରହିବେ। ସେହି ଦଳଗୁଡ଼ିକ ରୋଗପୋକ ଆକ୍ରାନ୍ତ ନେଇ ଗ୍ରାମଓ୍ଵାରୀ ତଥ୍ୟ ଦେବେ। ଆଜି କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନରେ ରୋଗପୋକ ଆକ୍ରମଣ ନେଇ ସରକାରଙ୍କ ସହାୟତା କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କୃଷି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ମତ୍ସ୍ୟ ଓ ପଶୁ ସଂପଦ ବିଭାଗଗୁଡ଼ିକର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe