Image Courtesy of NDTV
କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ କୋଲାବିରାରେ ଥିବା ଏକ ଫ୍ଲାଇ ଆସ୍ ଇଟା କାରଖାନାରୁ ମଙ୍ଗଳବାର ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରଯାଇଛି। ମୃତକ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଶିଖରପୁର ଗାଁ’ର ରାଜେଶ ବରାଦ (୨୩) ବୋଲି ଜଣାପଡ଼ିଛି। ରାଜେଶ ନିଜ ଭାଇ ସହ ଉକ୍ତ କାରଖାନା ମଧ୍ୟରେ ଥିବା ଏକ କୋଠରିରେ ରହୁଥିଲେ। ପ୍ରାପ୍ତ ସୂଚନାନୁସାରେ ରାଜେଶ ଗତ ଅଗଷ୍ଟ ୨୦ ତାରିଖରୁ ଛୁଟିରେ ଗାଁ’କୁ ଯାଇ ଗତ ୧୧ ତାରିଖରେ ଫେରିଥିଲେ। ୧୨ ତାରିଖରେ ରାଜେଶଙ୍କ ଭାଇ ଓ ଅନ୍ୟ ତିନି ଜଣ ତାଙ୍କୁ ସାଙ୍ଗରେ କାମକୁ ଯିବାକୁ ଡାକିଥିଲେ। ମାତ୍ର ସେ ମନା କରି କୋଠରିରେ ଏକୁଟିଆ ରହିଥିଲେ।
ସନ୍ଧ୍ୟାରେ ଅନ୍ୟମାନେ କାମରୁ ଫେରିବା ପରେ କୋଠରି ଭିତରେ ରାଜେଶଙ୍କ ଶବ ଝୁଲୁଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ। ମାଲିକଙ୍କଠାରୁ ସୂଚନା ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ପଠାଇଛି। ତେବେ ସେ ଆତ୍ମହତ୍ୟା କରିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ବୋଲି ଆଇଆଇସି ସୁକୁମାର ତ୍ରିପାଠୀ କହିଛନ୍ତି। ମାତ୍ର କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ି ନଥିବା ବେଳେ ପୁଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
Follow Us