ସୁକିନ୍ଦା/କାଳିଆପାଣି: କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ପାଟପୁର ବିଟ୍ ଅଧୀନ ମହାଗିରି ସୁରକ୍ଷିତ ଜଙ୍ଗଲରୁ ଏକ ମାଈହାତୀର ଗଳିତ ମୃତଦେହ ଠାବ ହୋଇଛି। ହାତୀ ମୃତ୍ୟୁର କାରଣ ଜଣାପଡ଼ିନି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି।
ଅଶୋକଝର ପର୍ଯ୍ୟଟନ କ୍ଷେତ୍ର ଉପରକୁ ଥିବା ଗୁମ୍ଫା ପାଖାପାଖି ଜଙ୍ଗଲିଆ ସ୍ଥାନରେ ଏହି ହାତୀଟିର ମୃତଦେହ ପଡ଼ିଛି। ଅତିକମ୍ରେ ୧୫ ଦିନ ପୂର୍ବରୁ ଏହାର ମୃତ୍ୟୁ ହୋଇଥିବା କୁହାଯାଇଛି। ସୁକିନ୍ଦା ଥାନା ଅନ୍ତର୍ଗତ କୋଇଲ ଗାଁରୁ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା କିଛି ବ୍ୟକ୍ତି ଦୁର୍ଗନ୍ଧ ବାରି ହାତୀ ମୃତ୍ୟୁ ଜାଣିବାକୁ ପାଇଥିଲେ। ଛେଳି ଚରାଳିଙ୍କ ଠାରୁ ସୂଚନାପାଇ ଗତକାଲି ବନ ବିଭାଗର ଏକ ଦଳ ମୃତହାତୀକୁ ସେହିଠାରେ ଜଗି ରହିଥିଲେ। ଆଜି ଡିଏଫ୍ଓ ସଞ୍ଜୟ କୁମାର ସ୍ବାଇଁ, ଏସିଏଫ୍ ସୌଭାଗ୍ୟ କୁମାର ସାହୁ, ରେଞ୍ଜର ବିପିନ ବିହାରୀ ରାଉତରାୟ, ଟମ୍କା ରେଞ୍ଜର ବଳରାମ ସାହୁ, ବନପାଳ ଦିପ୍ତୀମୟୀ ନାୟକ ପ୍ରମୁଖ ସଦଳବଳ ୩ଟି ପାହାଡ଼ ଚଢ଼ି ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ କରିଥିବା ସୂଚନା ମିଳିଛି। ମୃତ ହାତୀର ବୟସ ୩୦ ରୁ ଅଧିକ ଓ ଏହା ସ୍ବାଭାବିକ ମୃତ୍ୟୁ ବୋଲି କୁହାଯାଉଛି।
Follow Us