ସୋନପୁର: ଗଭୀର ବୋରୱେଲରେ ଖସି ପଡ଼ିଥିବା ୮୦ ବର୍ଷୀୟ ବୃଦ୍ଧାଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ସୋନପୁର ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ଲାଗି ଅଣାଯିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର କହିଛନ୍ତି। ବୃଦ୍ଧାଙ୍କ ପାଖରେ ଏକ ଗାତରେ ସାପ ଥିଲା। ସାପ କାମୁଡ଼ିବାରୁ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି। ଏନେଇ ତଦନ୍ତ ହେବ ବୋଲି ସୋନପୁର ଏସପି କହିଛନ୍ତି।
ସୂଚନାଯୋଗ୍ୟ, ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବୃଦ୍ଧାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା। ଏହାପରେ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ଲାଗି ନିଆଯାଇଥିଲା। ସଦର ବ୍ଲକ କଇଁଫୁଲ ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ଗତକାଲି ରାତିରୁ ବୃଦ୍ଧ ମହିଳା ୨୦ ଫୁଟ ତଳେ ଥିବା ସୂଚନା ମିଳିଥିଲା। ବୋରୱେଲରେ ଖସିପଡ଼ିଥିବା ବୃଦ୍ଧା ଜଣକ ହେଲେ ଦୁଖୀ ନେଗୀ । ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବୃଦ୍ଧାଙ୍କ ପାଖରେ ଅକ୍ସଜେନ୍ ପଠାଯାଇଛି। ଏଣେ ଆଉ ଏକ ଗାତ ଖୋଳା ଚାଲିଛି। ତେଣେ ଏନଡିଆରଏଫ୍ ଟିମ୍ ବି ଘଟଣାସ୍ଥଳକୁ ଯାଇଥିଲେ।
ମିଳିଥିବା ସୂଚନା ମୁତାବକ, ଗତକାଲି ବୃଦ୍ଧା ଦୁଖୀ ନେଗୀ କୌଣସି କାର୍ଯ୍ୟରେ ଆସିଥିବା ବେଳେ ବୋରୱେଲ ଭିତରେ ଖସିପଡ଼ିଥିଲେ। ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସୂଚନା ମିଳିନଥିଲା। ତେବେ ଆଜି ବୃଦ୍ଧା ବୋରୱେଲ ଭିତରକୁ ଖସିପଡ଼ିଥିବା ନେଇ ଜାଣିବାକୁ ପାଇଥିଲେ ପରିବାରଲୋକ।
ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବୋରୱେଲରୁ ଉଦ୍ଧାର ବୃଦ୍ଧାଙ୍କ ମୃତ୍ୟୁ
Advertisment
Follow Us