ଏମ୍ସରେ ଶିଶୁ ଅପପୁଷ୍ଟି ନେଇ ଗବେଷଣା: ବାସି ପଖାଳ ଦୂର କରିପାରିବ ଅପପୁଷ୍ଟି

ଗର୍ଭବତୀଙ୍କୁ ଦିଆଯାଉଥିବା ଆଇରନ ବଟିକା ନେଇ ପ୍ରଶ୍ନ ଉଠାଇଲେ ଗବେଷକ

ଏମ୍‌ସ ଡିନ୍‌ ନିଯୁକ୍ତି ପ୍ରକ୍ରିୟା ନେଇ ଫାକଲ୍‌ଟି ସଂଘର ଅସନ୍ତୋଷ

The New Indian Express

ଭୁବନେଶ୍ବର : ବାସି ପଖାଳର ତୋରାଣିରେ ରହିଛନ୍ତି ପ୍ରଚୁର ପରିମାଣରେ ଭଲ ବୀଜାଣୁ। ଏହା ଶିଶୁ ଅପପୁଷ୍ଟି ଦୂର କରିପାରିବ। ଏହା କହିଛନ୍ତି ଭୁବନେଶ୍ବର ଏମ୍ସ ବାୟୋକେମେଷ୍ଟ୍ରି ବିଭାଗର ଗବେଷକ ତଥା ଅତିରିକ୍ତ ପ୍ରଫେସର ବାଲମୁରୁଗନ ରାମଦାସ। ମା’ ପେଟରୁ ଏହି ସମସ୍ୟାର କିଭଳି ମୁକାବିଲା କରାଯାଇ ପାରିବ ସେ ସମ୍ପର୍କରେ ୨୦୧୯ ମସିହାରୁ ଗବେଷଣା କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଗର୍ଭବତୀମାନଙ୍କୁ ଦିଆଯାଉଥିବା ଆଇରନ ବଟିକା ମଧ୍ୟ ସେମାନଙ୍କ ପାଇଁ ଠିକ ନୁହେଁ ବୋଲି ସେ କହିଛନ୍ତି।

ପ୍ରଫେସର ରାମଦାସ କହିଛନ୍ତି, ଓଡ଼ିଶାର ୫୫ ପ୍ରତିଶତ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି। କେବଳ ଦାରିଦ୍ର୍ୟ ଏହାର କାରଣ ହୋଇନପାରେ। ଉପଯୁକ୍ତ ଖାଦ୍ୟ ଦିଆନଯିବା ଏହାର ଅନ୍ୟତମ କାରଣ। ଅପପୁଷ୍ଟି ଦୂର ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ନେଇ ଗବେଷଣା କରାଯାଉଛି। ଏହି ସମୟରେ ଅନୁଭବ ହୋଇଥିଲା ଯେ ଏଭଳି ଖାଦ୍ୟ ଖୋଜିବାକୁ ହେବ, ଯାହା ପ୍ରତ୍ୟେକ ଘରେ ଉପଲବ୍ଧ ହେଉଥିବ। ଏହା ଖୋଜିବା ବେଳେ ବାସି ପଖାଳ ନେଇ ଗବେଷଣା ଆରମ୍ଭ ହୋଇଥିଲା। ତାଙ୍କ ଟିମ୍‌ ପକ୍ଷରୁ ବିଭିନ୍ନ ସ୍ଥାନର ଭିନ୍ନ ଭିନ୍ନ ପରିବାରରୁ ୨୦ ପ୍ରକାର ବାସି ପଖାଳର ତୋରାଣି ସଂଗ୍ରହ କରାଯାଇଥିଲା। ଏଥିରେ ଦେଖାଯାଇଛି, ରାତିରେ ଭାତ ରହିଗଲେ, ପାଣି ଦିଆଯାଇ ହାତରେ ପଖାଳି ଦିଆଯାଏ। ସେହି ସମୟରେ ହାତରେ ଥିବା ବୀଜାଣୁ ପାଣି ଜରିଆରେ ଭାତକୁ ପହଞ୍ଚିଯାଏ। ବୀଜାଣୁଗୁଡ଼ିକ ଖାଦ୍ୟରେ ଥିବା ଶ୍ବେତସାର ବା ଶର୍କରା (କାର୍ବୋହାଇଡ୍ରେଡ)କୁ ଖାଇଥାଆନ୍ତି। ଏହାପରେ ବୀଜାଣୁର ବର୍ଜ୍ୟ ତିଆରି ହୁଏ। ଏହି ବର୍ଜ୍ୟ ଏସିଡ୍‌ ଶୃଙ୍ଖଳରେ ବାନ୍ଧି ହୋଇଥାଆନ୍ତି। ଯେଉଁଥିରୁ ଖାଦ୍ୟ ଉପଯୋଗୀ ଏକ ପ୍ରକାର ତେଲ ପ୍ରସ୍ତୁତ ହୁଏ। ଏଥିରେ ପ୍ରଚୁର ପରିମାଣରେ ଏନର୍ଜି ଥାଏ। ଏହା ଶୀଘ୍ର ହଜମ ହେବା ସହିତ ତତ୍‌କ୍ଷଣାତ ଶକ୍ତି ପ୍ରଦାନ କରେ। ଏହା ପ୍ରତ୍ୟେକ କୋଷକୁ ପହଞ୍ଚିଯାଏ। ଆହୁରି ମଧ୍ୟ କ୍ଷୁଦ୍ର ଅଣୁଗୁଡ଼ିକ ଡିଏନଏକୁ ପହଞ୍ଚି ପ୍ରଭାବିତ କରେ। ଏହା ଶରୀରରେ ରୋଗ ପ୍ରତିରୋଧକ ହେବା ସହ ଉତ୍ତେଜକରୋଧୀ ହୁଏ ବୋଲି ପ୍ରଫେସର ରାମଦାସ କହିଛନ୍ତି।

ଗର୍ଭବତୀ ମହିଳାଙ୍କୁ ନେଇ ବିଭିନ୍ନ ପ୍ରକାର ତ୍ରୁଟିପୂର୍ଣ୍ଣ ସରକାରୀ ନୀତି ମଧ୍ୟ ଶିଶୁଙ୍କ ମଧ୍ୟରେ ଅପପୁଷ୍ଟି ଦେଖାଯିବାର ଅନ୍ୟତମ ପ୍ରମୁଖ କାରଣ ବୋଲି ସେ ଦର୍ଶାଇଛନ୍ତି। ସେ କହିଛନ୍ତି, ଗର୍ଭବତୀ ମହିଳା ସ୍ବଭାବିକ ଭାବରେ ଅପପୁଷ୍ଟିର ଶିକାର ହୋଇଥାଆନ୍ତି। ସେଥିରେ ସେମାନଙ୍କୁ ପାରମ୍ପରିକ ଖାଦ୍ୟ ବନ୍ଦ କରାଯାଇ ଆଇରନ ବଟିକା ଦେବା ଠିକ ନୁହେଁ। ଏଥିସହିତ ଅପପୁଷ୍ଟି ନେଇ ଆହୁରି ଅନେକ କାରଣ ଖୋଜାଯାଉଛି। ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଖୋର୍ଧା ଜିଲ୍ଲାର ବିଭିନ୍ନ ଗାଁ ବୁଲିଛନ୍ତି। ଅପପୁଷ୍ଟି ଏକ ବଡ଼ ପ୍ରସଙ୍ଗ ହୋଇଥିବାରୁ ଏହି ଗବେଷଣା ବର୍ତ୍ତମାନ ଆହୁରି ଅନେକ ବର୍ଷ ଚାଲିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe