ଆଇଏଏସ୍‌ ସ୍ତରରେ ଅଦଳବଦଳ

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇଏଏସ୍‌ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଏକାଧିକ ବିଭାଗର ସଚିବଙ୍କୁ ବଦଳାଇ ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଲା ପରେ ବରିଷ୍ଠ ଆଇଏଏସ୍‌ ଅଫିସର ସୌରଭ ଗର୍ଗ ଓ ଅନୁ ଗର୍ଗ ନିଯୁକ୍ତି ପାଇଛନ୍ତି। ଏହା ସହ ଦୁଇ ଜଣ ବରିଷ୍ଠ ଆଇଏଏସ୍‌ ଅଫିସର୍‌ଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆଉ ଜଣେ ଆଇଏଏସ୍‌ ଅଫିସର୍‌ଙ୍କୁ ନିଆଯାଇଛି। ବର୍ତ୍ତମାନର ଶିଳ୍ପ ନିର୍ଦ୍ଦେଶକ ନିରଞ୍ଜନ ସାହୁ ଏବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିବେ।
ଗୋପବନ୍ଧୁ ଏକାଡେମିର ମହାନିର୍ଦ୍ଦେଶକ ଥିବା ମୁଖ୍ୟଶାସନ ସଚିବ ପାହ୍ୟାର ଅଫିସର ସଂଗ୍ରାମ କେଶରୀ ମିଶ୍ରଙ୍କୁ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ରଞ୍ଜନା ଚୋପ୍ରାଙ୍କୁ ସମବାୟ ବିଭାଗକୁ ବଦଳି କରାଯାଇଛି। ଏହା ସହ ସେ ଗୋପବନ୍ଧୁ ଏକାଡେମିର ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଖାଦ୍ୟ ଓ ଯୋଗାଣ ବିଭାଗର ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଖାଦ୍ୟ ଓ ଯୋଗାଣ ବିଭାଗରେ ଶ୍ରୀ ମହାପାତ୍ରଙ୍କ ସ୍ଥାନ ନେବେ ଭି ଭି ଯାଦବ। ସମ୍ପ୍ରତି ଶ୍ରୀ ଯାଦବ ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି।
କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଲା ପରେ ସୌରଭ ଗର୍ଗଙ୍କୁ କୃଷି ବିଭାଗର ପ୍ରମୁଖ ସଚିବ ଓ ଅନୁ ଗର୍ଗଙ୍କୁ ଶ୍ରମ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି। ଏବେ କୃଷି ବିଭାଗର ପ୍ରମୁଖ ସଚିବ ଥିବା ମନୋଜ ଆହୁଜାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ବଦଳି କରାଯାଇଛି। ସେହିପରି ଶ୍ରମ ବିଭାଗର ପ୍ରମୁଖ ସଚିବ ଥିବା ଜି ଶ୍ରୀନିବାସଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଏହି ବିଭାଗରେ ଏବେ ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ସଞ୍ଜୟ ରସ୍ତୋଗୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି।
ସମ୍ପ୍ରତି ନୂଆଦିଲ୍ଲୀରେ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଆବାସିକ କମିସନର୍‌ ଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ଓଡ଼ିଶାରେ ନୂଆ ନିଯୁକ୍ତି ମିଳିଛି। ତାଙ୍କୁ ଅବକାରୀ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଏହା ସହ ସେ ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କୁ ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe