ବରପୁତ୍ରଙ୍କ ନଁା ବି ତଳେ ପକାଇଲେ: ବ୍ୟାସକବିଙ୍କ ନାଁରେ ସମ୍ମାନ ଅଧାରେ ଅଟକିଗଲା

Advertisment

୨୦୨୧ ମେ’। ତତ୍କାଳୀନ ରାଜ୍ୟ ସରକାର ଘୋଷଣା କରିଥିଲେ, ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ନାମରେ ଜାତୀୟ ସାହିତ୍ୟ ପୁରସ୍କାର ଦିଆଯିବ। ପୁରସ୍କାର ରାଶି ରହିବ ୧୦ ଲକ୍ଷ ଟଙ୍କା।

୨୦୨୧ ମେ’। ତତ୍କାଳୀନ ରାଜ୍ୟ ସରକାର ଘୋଷଣା କରିଥିଲେ, ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ନାମରେ ଜାତୀୟ ସାହିତ୍ୟ ପୁରସ୍କାର ଦିଆଯିବ। ପୁରସ୍କାର ରାଶି ରହିବ ୧୦ ଲକ୍ଷ ଟଙ୍କା।

manoj das

ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ୨୦୨୧ ମେ’। ତତ୍କାଳୀନ ରାଜ୍ୟ ସରକାର ଘୋଷଣା କରିଥିଲେ, ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ନାମରେ ଜାତୀୟ ସାହିତ୍ୟ ପୁରସ୍କାର ଦିଆଯିବ। ପୁରସ୍କାର ରାଶି ରହିବ ୧୦ ଲକ୍ଷ ଟଙ୍କା। ନିୟମାବଳୀ ଚୂଡ଼ାନ୍ତ କରିବାକୁ ବର୍ଷେ ଲାଗିଗଲା। ୨୦୨୨ ଏପ୍ରିଲ୍‌ରେ ନିଷ୍ପତ୍ତି ହେଲା, ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଭାରତୀୟ ଭାଷାର ସାହିତ୍ୟିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେହି ବର୍ଷ ଅଗଷ୍ଟରେ ‘ମନୋଜ ଦାସ ଜାତୀୟ ସାହିତ୍ୟ ପୁରସ୍କାର-୨୦୨୨’ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନୋନୟନ/ଦରଖାସ୍ତ ଆହ୍ବାନ କଲା। ଏଥି ପାଇଁ ଏକ କମିଟି ଗଠନ ହେଲା। ଆଭାସୀ ମାଧ୍ୟମରେ ୨/୩ ଥର କମିଟି ବୈଠକ ବସିଲା। କିନ୍ତୁ କୌଣସି କାରଣରୁ ବୈଠକରେ ନିର୍ଯାସ ବାହାରିଲାନି। ବାସ୍, ତା’ପରେ ଅଟକିଗଲା ପ୍ରକ୍ରିୟା। ଏ ଯାଏ ଦିଆଯାଇପାରିଲାନି ଏହି ଜାତୀୟ ପୁରସ୍କାର। ବିଭାଗ ତାହାକୁ ଭୁଲିଗଲାଣି। ୨୦୧୮ରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ଘୋଷଣା ହେଲା ‘ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ’। ଓଡ଼ିଆ ଭାଷା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନକୁ ଏହି ସମ୍ମାନ ଦିଆଯିବ ବୋଲି ସ୍ଥିର ହେଲା। ବ୍ୟାସକବିଙ୍କ ଜୟନ୍ତୀ ଅବସରରେ ପ୍ରଦାନ କରାଯାଉଥିବା ଏହି ସମ୍ମାନ ବାବଦକୁ ମିଳୁଥିଲା ନଗଦ ୧ ଲକ୍ଷ ଟଙ୍କା। ୨୦୧୮ ଓ ୨୦୧୯ ମସିହା ସମ୍ମାନ ଠିକ୍ ସମୟରେ ପ୍ରଦାନ କରାଗଲା।  ୨୦୨୦ରେ ସମ୍ମାନ ଦେଲେ କିନ୍ତୁ ବିଳମ୍ବରେ। ୨୦୨୧ ମସିହାରୁ ଆଉ କାହାକୁ ଏହି ସମ୍ମାନ ପ୍ରଦାନ କରାଯାଉ ନାହିଁ। ଆଉ କିଛି ଦିନ ପରେ ବ୍ୟାସକବିଙ୍କ ଜୟନ୍ତୀ। କିନ୍ତୁ ସଂସ୍କୃତି ବିଭାଗ ପକ୍ଷରୁ ସମ୍ମାନ ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ତେଣୁ ସମ୍ମାନ ପ୍ରଦାନ କରା ନଯିବା ଏକପ୍ରକାର ନିଶ୍ଚିତ। 

୨୦୨୦ ଜାନୁଆରି ମାସରେ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ ହେଲା। ତତ୍କାଳୀନ ସରକାର ତାଙ୍କ ସ୍ମୃତି ରକ୍ଷା ପାଇଁ ତତ୍ପରତା ଦେଖାଇଲେ। ଶାସ୍ତ୍ରୀୟ ସଙ୍ଗୀତରେ ଅବଦାନ ଥିବା ବ୍ୟକ୍ତିଙ୍କୁ ‘ସୁନନ୍ଦା ସମ୍ମାନ’ ଦିଆଯିବାକୁ ସେବେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ‘ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର’ ଖୋଲିବାକୁ ନିଷ୍ପତ୍ତି ନିଆଗଲା। ପରବର୍ତ୍ତୀ ସମୟରେ ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ଶାସ୍ତ୍ରୀୟ ସଙ୍ଗୀତରେ ଦିଆଯାଉଥିବା ସମ୍ମାନକୁ ସୁନନ୍ଦା ପଟ୍ଟନାୟକଙ୍କ ନାମରେ ନାମିତ କରିଦିଆଗଲା। କିନ୍ତୁ ପାଞ୍ଚ ବର୍ଷ ହେଲା ଚେୟାର ଖୋଲାଯାଇପାରୁନି। କେବେ ଖୋଲାଯିବ, ତାହା କେହି ଜାଣନ୍ତି ନାହିଁ। 

ବ୍ୟାସକବିଙ୍କ ନାଁରେ ସମ୍ମାନ ଅଧାରେ ଅଟକିଗଲା 
ମନୋଜ ଦାସଙ୍କ ନାଁରେ ସମ୍ମାନ ଦିଆଯାଇପାରୁନି
ଘୋଷଣାରେ ରହିଲା ‘ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର’

ବରପୁତ୍ରମାନଙ୍କ ପ୍ରତି ସରକାରୀ ସ୍ତରରେ ଏହା କି ପ୍ରକାର ସମ୍ମାନ, ତାହା ବୁଝାପଡ଼ୁନାହିଁ। ପ୍ରଶ୍ନ ଉଠୁଛି, ଯଦି ପୁରସ୍କାର ଦେବା ପାଇଁ ଆନ୍ତରିକତା ନାହିଁ, ତେବେ ଘୋଷଣା ହେଉଛି କାହିଁକି? ଘୋଷଣା କରି ପୁରସ୍କାର ନ ଦେବା ଅର୍ଥ ବରପୁତ୍ରମାନଙ୍କୁ ଅପମାନିତ କରିବା। ଏହା ଦ୍ବାରା ପୂଜ୍ୟପୂଜା ପ୍ରତି ଯେ ଏକ ଭୁଲ୍ ବାର୍ତ୍ତା ଯାଉଛି, ତାହା ଦାୟିତ୍ବରେ ଥିବା ବ୍ୟକ୍ତିମାନେ ବୁଝିପାରୁନାହାନ୍ତି। ବର୍ତ୍ତମାନର ସରକାର କେବଳ ପୂର୍ବ ସରକାରଙ୍କୁ ଦୋଷ ଦେଇ ଏହି ଦାୟିତ୍ବ ଖସାଇ ଦେଲେ ହେବ ନାହିଁ। ଏବେର ସରକାର ଇତିମଧ୍ୟରେ ୨୦୦ ଦିନ ପୂରଣ କରିସାରିଲେଣି। ଓଡ଼ିଆ ଅସ୍ମିତା ଉପରେ ସରକାରଙ୍କର ଫୋକସ୍ ରହିଛି। ସଂସ୍କୃତି ବିଭାଗର ପାଣ୍ଠି ବୃଦ୍ଧିପାଇଛି। କିନ୍ତୁ ପୂଜ୍ୟପୂଜା ପ୍ରତି ସର୍ବନିମ୍ନ ଦାୟିତ୍ବବୋଧକୁ ବିଭାଗ ଠିକ୍ ଭାବେ ତୁଲାଇପାରୁ ନାହିଁ। ବିଭାଗୀୟ ମନ୍ତ୍ରୀ ଏକାଧିକ ଥର ବିଭାଗର କାର୍ଯ୍ୟାବଳୀର ସମୀକ୍ଷା କରିସାରିଲେଣି। ହେଲେ ବରପୁତ୍ରମାନଙ୍କ ନାମରେ ପ୍ରଚଳିତ ସମ୍ମାନ ସମ୍ପର୍କରେ କିପରି ସମୀକ୍ଷା କରାଯାଇ ନାହିଁ, ତାହା ଆଶ୍ଚର୍ଯ୍ୟର ବିଷୟ। ମନ୍ତ୍ରୀ, ସଚିବ ଓ ନିର୍ଦ୍ଦେଶକ ଏ ବାବଦରେ ଅବଗତ ଅଛନ୍ତି କି ନାହିଁ, ତାହା ମଧ୍ୟ ସନ୍ଦେହରେ। 

ବ୍ୟାସକବି ଫକୀର ମୋହନ ସେନାପତି ହୁଅନ୍ତୁ କି ପଦ୍ମଭୂଷଣ ମନୋଜ ଦାସ ଅଥବା ଗୁରୁମା’ ସୁନନ୍ଦା ପଟ୍ଟନାୟକ। ଏମାନେ ସମସ୍ତେ ଓଡ଼ିଆ ଜାତିର ଚିର ନମସ୍ୟ। ସେମାନେ ହିଁ ଆମ ଓଡ଼ିଆ ଅସ୍ମିତାର ପ୍ରତୀକ। ସେମାନଙ୍କ ସୃଷ୍ଟି ଆମର ସାରସ୍ବତ ଓ ସାଂସ୍କୃତିକ ଜଗତର ଅମୂଲ୍ୟ ସମ୍ପଦ। ଯେଉଁ ସରକାର ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁରସ୍କାର ଘୋଷଣା କରନ୍ତୁ ନା କାହିଁକି, ତାହା ବନ୍ଦ କରାଯିବା ଗୋଟିଏ ଭଲ ସଙ୍କେତ ନୁହେଁ। ପୂର୍ବ ସରକାର ଏହି ସମ୍ମାନ ଘୋଷଣା କରିଦେଇ ତତ୍ପରତାର ସହ ଠିକ୍ ଭାବେ କାର୍ଯ୍ୟକାରୀ ନକରାଇବା ନିନ୍ଦନୀୟ। ଏଥି ପାଇଁ ସେମାନେ ସମାଲୋଚିତ ହୋଇଛନ୍ତି। କିନ୍ତୁ ବର୍ତ୍ତମାନର ସରକାର ସେହି ପଥରେ ଚାଲିବା ଆହୁରି ଚିନ୍ତାଜନକ। ଏହି ପୁରସ୍କାରଗୁଡ଼ିକୁ ଜାରି ରଖିବା ପାଇଁ ୭ ମାସ ଭିତରେ ପ୍ରକ୍ରିୟା ଆରମ୍ଭ ହୋଇ ନପାରିବା ସଚେତନ ନାଗରିକମାନଙ୍କୁ ବ୍ୟଥିତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe