ଭସାପୋଲରେ ଭାରୀଯାନ ପାଇଁ କଟକଣା

ଗୋଟିଏ ଇଂଜିନ୍‌ କାମ କରୁନି, ଚ୍ୟାନେଲ୍‌ରେ ଜଳସ୍ତର ବି କମିଛି

ଭସାପୋଲରେ ଭାରୀଯାନ ପାଇଁ କଟକଣା

ବ୍ରହ୍ମଗିରି : ବାରମ୍ବାର ଭସାପୋଲ ଯାତ୍ରୀଙ୍କ ସହିତ ମଝି ଚିଲିକାରେ ଅଟକି ରହୁଛି। ଏହି କାରଣରୁ ଘଣ୍ଟା ଘଣ୍ଟା ଧରି ଯାତ୍ରୀ ମଝି ଚିଲିକାରେ ନାକେଦମ ହେଉଛନ୍ତି। ଭସାପୋଲରେ ଲାଗିଥିବା ଦୁଇଟି ଇଞ୍ଜିନ୍‌ ମଧ୍ୟରୁ ଗୋଟିଏ ଠିକଣା ଭାବରେ କାମ କରୁନି। ତେଣୁ ଗୋଟିଏ ଇଞ୍ଜିନରେ ଭସାପୋଲ ଯାତ୍ରୀ ପରିବହନ କରୁଛି। ଭାରୀଯାନ ଭସାପୋଲରେ ଲଦା ହେବା ପରେ ଏହା ଆଉ ଟାଣୁନି। ଫଳରେ ଭସାପୋଲ ବାରମ୍ବାର ମଝି ଚିଲିକାରେ ଅଟକି ଯାଉଛି।

ସୂଚନାଯୋଗ୍ୟ ପ୍ରତିଦିନ ସାତପଡ଼ାରୁ ଜହ୍ନିକୁଦାକୁ ଏହି ଭସାପୋଲ ଚଳାଚଳ କରିଥାଏ। ବଡ଼ ଭସାପୋଲରେ ଦୁଇଟି ଇଞ୍ଜିନ ରହିଛି। ଫଳରେ ଏଥିରେ ଭାରୀଯାନ ସହିତ ଯାତ୍ରୀ ଯାତାୟାତ କରିଥାନ୍ତି। କିନ୍ତୁ ଏବେ ତିନି ଦିନ ହେଲାଣି ଗୋଟିଏ ଇଞ୍ଜିନ ଖରାପ ହୋଇଯାଇଛି। ତେଣୁ ଗତକାଲିଠାରୁ ସିଡିଏ ପକ୍ଷରୁ ଏହି ଭସାପୋଲରେ ଭାରୀଯାନ ପରିବହନକୁ ବାରଣ କରାଯାଇଛି। ଗୋଟିଏ ପଟେ ଭସାପୋଲ ଚ୍ୟାନେଲ ଖୋଳା ନ ହେବା ଏବଂ ଅନ୍ୟପଟେ ଚିଲିକାରେ ଜଳସ୍ତର କମିବା ଯୋଗୁ ଭସାପୋଲ ଅଟକୁଥିଲା। ଏବେ କିନ୍ତୁ ଭସାପୋଲର ଗୋଟିଏ ଇଞ୍ଜିନ କାମ କରୁନଥିବା ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଏନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କର ଜଣେ ଅଧିକାରୀ କହିଛନ୍ତି ଯେ ଭସାପୋଲରେ ଗୋଟିଏ ଇଞ୍ଜିନ କାମ କରୁ ନ ଥିବାରୁ ଏହାର ମରାମତି କାମ ଆରମ୍ଭ ହୋଇଛି। ସେଥିପାଇଁ ଭାରୀଯାନ ଚଳାଚଳ ଉପରେ ସାମୟିକ ଭାବରେ କଟକଣା ଜାରି କରାଯାଇଛି। ଇଞ୍ଜିନ ମରାମତି ହେବା ପରେ ପୁଣି ଥରେ ଭାରୀଯାନ ପରିବହନ କରାଯିବ। ଏବେ କେବଳ ଯାତ୍ରୀ ପରିବହନ ଚାଲିଥିବା ଅଧିକାରୀ ଜଣକ କହିଛନ୍ତି।

ଅନ୍ୟପଟେ ଭାରୀଯାନ ଚଳାଚଳ ବନ୍ଦ ହେବା ପରେ ପୁରୀରୁ ଗଞ୍ଜାମକୁ ଯାତ୍ରୀ ପରିବହନ କରୁଥିବା ଦୁଇଟି ବସ୍‌ ସେବା ବନ୍ଦ ରହିଛି। ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟକୁ ଭସାପୋଲ ଓ ଡଙ୍ଗା ଯୋଗେ ଯାତ୍ରୀ ପରିବହନ ହୋଇଥାଏ। ସମସ୍ତ ଭାରୀଯାନ ସହିତ ଚାରିଚକିଆ ଯାନ ଏହି ଭସାପୋଲରେ ପାରି ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe