ଓଡ଼ିଶାରେ ରାଜ୍ୟ ବାହାର ଗାଡ଼ି ପାଇଁ କଟକଣା : ଟିକସ ଦେବେ; ପରିମିଟ୍‌ ନଥିଲେ କାର୍ଯ୍ୟାନୁଷ୍ଠାନ

୧୪୮୦ଟି ଗାଡ଼ି ଦେଲେଣି ୨ କୋଟି ଟଙ୍କା ଜରିମାନା

ଓଡ଼ିଶାରେ ରାଜ୍ୟ ବାହାର ଗାଡ଼ି ପାଇଁ କଟକଣା : ଟିକସ ଦେବେ; ପରିମିଟ୍‌ ନଥିଲେ କାର୍ଯ୍ୟାନୁଷ୍ଠାନ

constructionweekonline.in

କଟକ : ରାଜ୍ୟ ବାହାରୁ ଆସୁଥିବା ବ୍ୟାବସାୟିକ ଗାଡ଼ିଗୁଡ଼ିକ ଓଡ଼ିଶାର ପରମିଟ୍ ନେଉନାହାନ୍ତି କି ଟ୍ୟାକ୍ସ ବି ପୈଠ କରୁନାହାନ୍ତି। ଏହି ଗାଡ଼ିଗୁଡ଼ିକ ଓଡ଼ିଶା ଆସିବା ପୂର୍ବରୁ ଅନଲାଇନରେ ଅର୍ଥରାଶି ପୈଠ କରିବାକୁ ଚେତାବନୀ ଦେଇଛନ୍ତି ପରିବହନ କମିସନର। ଯେଉଁମାନେ ନିୟମ ଖିଲାପ କରି ଓଡ଼ିଶା ସୀମା ଭିତରକୁ ଗାଡ଼ି ପ୍ରବେଶ କରାଇବେ ସେମାନଙ୍କ ଗାଡ଼ି ଜବତ କରାଯିବ। କମିସନଙ୍କ କାର୍ଯ୍ୟାଳୟ ରାଜ୍ୟର ସମସ୍ତ ଆରଟିଓଙ୍କୁ ଖିଲାପ ଗାଡ଼ି ମାଲିକଙ୍କ ଗାଡ଼ି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨ କୋଟି ୧୨ ଲକ୍ଷ ଟଙ୍କାର ଜରିମାନା ଖିଲାପି ଗାଡ଼ି ମାଲିକଙ୍କ ନିକଟରୁ ଆଦାୟ କରାଯାଇଛି। ଖୁବ୍‌ଶୀଘ୍ର ରାଜ୍ୟ ବାହାରର ଘରୋଇ ଗାଡ଼ିରୁ ଓଡ଼ିଶାରେ ଟ୍ୟାକ୍ସ ଆଦାୟ ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।

ସୂଚନା ଅନୁଯାୟୀ, କରୋନା ସମୟରେ ରାଜ୍ୟ ଭିତରେ ଫସିରହିଥିବା ଶ୍ରମିକ କିମ୍ବା ସାଧାରଣ ଲୋକଙ୍କୁ ନେବାକୁ ରାଜ୍ୟ ବାହାରୁ ଟ୍ୟାକ୍ସି(ବ୍ୟାବସାୟିକ ଗାଡ଼ି) ଗୁଡ଼ିକ ଓଡ଼ିଶା ଭିତରକୁ ପ୍ରବେଶ ସଂଖ୍ୟା ବୃଦ୍ଧି ପାଇଛି। ସେହିପରି ମାଲବାହୀ ଗାଡ଼ି ଚଳାଚଳ ବି ବୃଦ୍ଧି ପାଉଛି। କିନ୍ତୁ ଏମାନେ ଓଡ଼ିଶା ସରକାରଙ୍କୁ ଟ୍ୟାକ୍ସ ଏବଂ ପରମିଟ୍ ଦେୟ ଦେଉନାହାନ୍ତି। ଅର୍ଥାତ୍‌ ବେଆଇନ ଭାବେ ଗାଡ଼ିଗୁଡ଼ିକ ଓଡ଼ିଶା ଭିତରକୁ ପ୍ରବେଶ କରୁଛନ୍ତି। ଏହି ଗାଡ଼ିଗୁଡ଼ିକ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପରିବହନ କମିସନର ସଂଜୀବ ପଣ୍ଡା ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ମୁତାବପକ, ବାହାର ରାଜ୍ୟର ୧୪ଶହ ୮୦ଟି ଗାଡ଼ି ଜବତ କରିଛି ପରିବହନ ବିଭାଗ। ଧରାପଡ଼ିଥିବା ଗାଡ଼ିରୁ ୨ କୋଟି ୧୨ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି। ପୂର୍ବରୁ ଓଡ଼ିଶାକୁ ଆସୁଥିବା ରାଜ୍ୟ ବାହାରର ଗାଡ଼ି ପରମିଟ୍ ଓ ଟ୍ୟାକ୍ସ ପୈଠ କରିବା ପାଇଁ ଓଡ଼ିଶା ସୀମାରେ ଥିବା ଆରଟିଓକୁ ଯିବାକୁ ପଡ଼ୁଥିଲା। ସେଠାରେ ଦେୟ ପୈଠ ସହିତ ଓଡ଼ିଶାରେ ଚଳାଚଳ ପାଇଁ ପରମିଟ୍ ଆଣିବାକୁ ପଡ଼ୁଥିଲା। ସମୟ ନଷ୍ଟ ହେଉଥିବାରୁ ଏଥିପାଇଁ ସମସ୍ୟାରେ ପଡ଼ୁଥିଲେ ଗାଡ଼ି ମାଲିକ। କିନ୍ତୁ ନିକଟରେ ଓଡ଼ିଶା ପରିବହନ ବିଭାଗ ଏହି ବ୍ୟବସ୍ଥା ଅନ୍‌ଲାଇନ୍ ମାଧ୍ୟମରେ ଆରମ୍ଭ କରିଛି। ଓଡ଼ିଶାରେ ପ୍ରବେଶ ପୂର୍ବରୁ ବ୍ୟବସାୟିକ ଗାଡ଼ି ମାଲିକ https://parivahan.gov.in/ ଏହି ଲିଙ୍କ୍ ମାଧ୍ୟମରେ ପୈଠ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe