ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Advertisment
ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଟିଙ୍ଗିପଦର ଗ୍ରାମର ଜଣେ ଯୁବତୀଙ୍କ ଝୁଲନ୍ତା ଶବ ପୁଲିସ୍ ଉଦ୍ଧାର କରିଛି। ମୃତ ଯୁବତୀ ଜଣକ ଟିଙ୍ଗିପଦର ଗ୍ରାମର ଯାଦବ ମାଝୀଙ୍କ ଝିଅ ପ୍ରେମଶୀଳା ମାଝୀ (୨୦) ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ପରିବାର ଲୋକ ଝିଅକୁ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ପ୍ରେମଶୀଳାଙ୍କ ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଉଭୟ ଗତ ଅଗଷ୍ଟ ମାସ ୧୮ ତାରିଖ ଘରୁ ଫେରାର ହୋଇ ଯାଇଥିଲେ। ଏନେଇ ଝିଅର ବାପା କେଗାଁ ଥାନାରେ ସମ୍ପୃକ୍ତ ପୁଅ ସହ ତାଙ୍କ ଝିଅ କୁଆଡ଼େ ଚାଲି ଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ପରେ ପୁଅ ଓ ଝିଅ ଫେରିଆସି ଅକ୍ଟୋବର ୧୫ ତାରିଖ ଦିନ କେଗାଁ ଥାନାରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ଅକ୍ଟୋବର ୩୦ ତାରିଖ ଦିନ କୋର୍ଟ ମ୍ୟାରେଜ ହେବ ବୋଲି ଚୁକ୍ତି ହୋଇଥିଲା। ହେଲେ ଏହି ତାରିଖରେ ପୁଅ କୋର୍ଟ ମ୍ୟାରେଜ ନକରି ଝିଅକୁ ନେଇ ଫେରାର ହୋଇ ଯାଇଥିଲା। ପରବର୍ତ୍ତୀ ସମୟରେ ଝିଅର ବାପା କେଗାଁ ଥାନାର ଦ୍ୱାରସ୍ଥ ହୋଇଥିଲେ। ଥାନାରେ ପୁଅର ବାପା-ମା’ ପୁଅ ଓ ଝିଅଙ୍କୁ ଯେଉଁଠି ଥିଲେ ମଧ୍ୟ ଧରି ଆଣି ଚଳିତ ମାସ ୯ ତାରିଖ ଦିନ କୋର୍ଟ ମ୍ୟାରେଜ କରାଇବୁ ବୋଲି ଚୁକ୍ତିନାମା କରିଥିଲେ।

ହେଲେ ୯ ତାରିଖ ଦିନ ପୁଅ ସହ ଝିଅ ଆସିନଥିବା ବେଳେ ୧୦ ତାରିଖ ଦିନ ଝିଅର ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା। ଏହାକୁ ନେଇ ଝିଅକୁ ହତ୍ୟା କରି ଝୁଲାଇ ଦିଆଯାଇଛି ବୋଲି କେଗାଁ ଥାନାରେ ଝିଅର ବାପା ଲିଖିତ ଅଭିଯୋଗ କରିଛନ୍ତି। ଏନେଇ କେଗାଁ ଥାନା ଏସ୍‌ଆଇ ମେଘରାୟ ହାଁସଦା ସହ ପୁଲିସ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ଆଜି ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମାଜିଷ୍ଟ୍ରେଟ୍‌ ଭାବେ ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା ଉପସ୍ଥିତ ଥିଲେ। ପରେ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି। ଅନ୍ୟପକ୍ଷରେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ସମ୍ପୃକ୍ତ ଯୁବକ ପୂର୍ବରୁ ଫେରାର ମାରିଥିବା ବେଳେ ଘଟଣା ପରେ ପୁଅର ବାପା ଓ ମା’ ମଧ୍ୟ ଫେରାର ମାରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe