ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କ ମହାନତା : ଗାଁ ବିକାଶ ପାଇଁ ଖର୍ଚ୍ଚ କଲେଣି ୪୦ ଲକ୍ଷ ଟଙ୍କା

Advertisment
ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କ ମହାନତା : ଗାଁ ବିକାଶ ପାଇଁ ଖର୍ଚ୍ଚ କଲେଣି ୪୦ ଲକ୍ଷ ଟଙ୍କା

କେନ୍ଦୁଝର : ଦେଶ ସୁରକ୍ଷା ପାଇଁ ବାୟୁସେନାରେ କାମ କଲେ। ଅବସର ନେଇ ଗାଁକୁ ଫେରିବା ପରେ ନିଜ ଅଞ୍ଚଳର ଉନ୍ନତି କଥା ଚିନ୍ତା କଲେ। ଅବସର ପରେ ମିଳିଥିବା ଅର୍ଥକୁ ଗାଁର ବିକାଶ କାମରେ ଖର୍ଚ୍ଚ କଲେ। ଗ୍ରାମର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ସେ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ କରିସାରିଲେଣି। ଏଭଳି ନିଃସ୍ବାର୍ଥପର କାମ କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ପାଲଟିଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଗ୍ରାମର ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଶରତ କର। ଶ୍ରୀ କର ଅବସର ବେଳେ ପାଇଥିବା ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗାଁର ଶ୍ମଶାନ ଗୃହ ଓ ଧର୍ମଶାଳା ସମେତ ଏକାଧିକ ବିକାଶମୂଳକ କାର୍ଯ୍ୟ କରିଛନ୍ତି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଗ୍ରାମର ସ୍ବର୍ଗତ ଭାଗୀରଥି କରଙ୍କ ପାଞ୍ଚପୁଅଙ୍କ ମଧ୍ୟରୁ ଦ୍ବିତୀୟ ହେଉଛନ୍ତି ଶରତ। ଗାଁ ସ୍କୁଲରୁ ଶିକ୍ଷା ଲାଭ କରିବା ପରେ ସେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ବାୟୁସେନାର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ଅବସର ପରେ ୨୦୧୨ରେ ସେ ଗାଁକୁ ଫେରି ଆସିଥିଲେ। ଏହାପରେ ତାଙ୍କର ପ୍ରଥମ ଲକ୍ଷ୍ୟ ଥିଲା ଗାଁର ବିକାଶ। ଏହି କ୍ରମରେ ସେ ପ୍ରଥମେ ଗାଁ ନଈ ତୁଠ, ବୈତରଣୀ କୂଳରେ ପ୍ରାୟ ୪ ଲକ୍ଷ ଟଙ୍କା ବ୍ୟୟରେ ସେଠାରେ ଏକ ବିଶ୍ରାମ ଗୃହ ନିର୍ମାଣ କରିଥିଲେ। ଏଥିସହ ଶ୍ମଶାନ ଘାଟକୁ ଯିବା ପାଇଁ ନଈ କୂଳରେ ପାହାଚ ନ ଥିବାରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପାହାଚ ମଧ୍ୟ ତିଆରି କରିଥିଲେ।

ସେହିପରି କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ରଘୁନାଥ ଜିଉ ମଠରେ ସବୁବେଳେ ପର୍ଯ୍ୟଟକ ଓ ସାଧୁସନ୍ଥଙ୍କ ଭିଡ଼ ଲାଗି ରହୁଥିବାରୁ ସେଠାରେ ସେମାନଙ୍କ ବିଶ୍ରାମ ପାଇଁ ଘରଟିଏ ମଧ୍ୟ ନଥିଲା। ଶ୍ରୀ କର ନିଜସ୍ବ ଅର୍ଥରେ ଏଠାରେ ଏକ ଧର୍ମଶାଳା ନିର୍ମାଣ କରିଛନ୍ତି। ଖାଲି ସେତିକି ନୁହେଁ, ନିଜ ଗାଁରେ ଯେତ‌େସବୁ ଛୋଟଛୋଟ କାମ ଅଧୁରା ରହିଥିଲା ସେ ସବୁକୁ ସମ୍ପୂର୍ଣ୍ଣ କରିଛନ୍ତି। ଗାଁର ଏସବୁ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ତାଙ୍କୁ ପ୍ରାୟ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି।

publive-image

ଅବସର ପରେ ଯେତିକି ଟଙ୍କା ପାଇଥିଲେ ସେସବୁ ଖର୍ଚ୍ଚ କରିସାରିଲେଣି। ଏବେ ସେ ପେନ୍‌ସନ ଟଙ୍କାରେ ପରିବାର ଚଳାଉଛନ୍ତି। ରାଜନଗର ଗ୍ରାମରେ ପତ୍ନୀ ସୁଷମା କରଙ୍କ ସହ ରହୁଥିବା ଶରତଙ୍କ କୌଣସି ସନ୍ତାନ ନାହାନ୍ତି। ସମଗ୍ର ଗାଁକୁ ନିଜ ପରିବାର ଓ ନିଜ ରୋଜଗାର ଅର୍ଥରେ ଗାଁର ମଧ୍ୟ ଅଧିକାର ଅଛି ବୋଲି ବିଚାର କରୁଥିବା ଶ୍ରୀ କର ଜୀବନର ଶେଷ ପର୍ଯ୍ୟନ୍ତ ଏଭଳି କାମ ଜାରି ରଖିବେ ବୋଲି ଶପଥ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe