ଭୁବନେଶ୍ବର : ଆକାଶବାଣୀ (ଅଲ୍ ଇଣ୍ଡିଆ ରେଡିଓ) କଟକର ସହକାରୀ କେନ୍ଦ୍ର ନି​ର୍ଦ୍ଦେଶକ (କାର୍ଯ୍ୟକ୍ରମ) ମୃତ୍ୟୁଞ୍ଜୟ ସାମଲ ଗତ ଗୁରୁବାର ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଆକାଶବାଣୀ କଟକର ମୁଖ୍ୟ ପ୍ରକାଶ କୁମାର ପତି, କାର୍ଯ୍ୟକ୍ରମ ପ୍ରମୁଖ ତରୁଣ କୁମାର ରାଉତ, ବିଜ୍ଞାପନ ପ୍ରସାରଣ ସେବା, ବିବିଧ ଭାରତୀର ମୁଖ୍ୟ ଚିରଞ୍ଜୀବୀ ରାଉତରାୟ ଆଦି ଶ୍ରୀ ସାମଲଙ୍କୁ ଜଣେ ଶ୍ରେଷ୍ଠ ବେତାର ପ୍ରସାରକ ଭାବେ ଅବିହିତ କରି ସୁଖମୟ ଅବସର ଜୀବନର କାମନା କରିଛନ୍ତି। ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ବେତାର ସମ୍ଭାଷଣ ‘ମନ୍ କି ବାତ୍’ର ଓଡ଼ିଆ ସଂସ୍କରଣର ସ୍ବର ହେଉ କି ‘ସାହିତ୍ୟ ସଂସଦ’, ମତ-ମନ୍ତବ୍ୟର ସାପ୍ତାହିକ କାର୍ଯ୍ୟକ୍ରମ ‘ଚର୍ଚ୍ଚାରେ’ କିମ୍ବା ସାକ୍ଷାତକାରଭିତ୍ତିକ ‘ମାନନୀୟେଷୁ’, ପ୍ରତିକ୍ରିୟାଭିତ୍ତିକ କାର୍ଯ୍ୟକ୍ରମ ‘ଦର୍ପଣ’ ଅବା ସୂଚନାମୂର୍ଚ୍ଛନାର ପ୍ରାତ୍ୟହିକ ‘ପ୍ରଭାତ ପରିକ୍ରମା’ ହେଉ ସବୁଠି ଯିଏ ସ୍ଵର, ଭାବ ଆଉ ଶୈଳୀର ନିଆରାପଣରେ ଶ୍ରୋତାଙ୍କୁ ଆକୃଷ୍ଟ କରୁଥିଲେ, ଆକାଶବାଣୀର ସେହି ଶ୍ରୋତା-ପ୍ରିୟ ପ୍ରଯୋଜକ, ଉପସ୍ଥାପକ, ସହକାରୀ ନିର୍ଦେଶକ ହେଉଛନ୍ତି ମୃତ୍ୟୁଞ୍ଜୟ ସାମଲ। ଆକାଶବାଣୀରେ ଗଚ୍ଛିତ ଥିବା ତାଙ୍କ ପ୍ରସ୍ତୁତ କେତେକ କାର୍ଯ୍ୟକ୍ରମକୁ ବାଦ୍ ଦେଲେ ଆଉ ନିୟମିତ ରେଡିଓରୁ ଶୁଭିବନି ତାଙ୍କ ସୁମଧୁର ସ୍ବର।
/sambad/media/post_attachments/wp-content/uploads/2022/02/akashvani-sambalpur-300x123.jpg)
ଦୀର୍ଘ ୩୪ ବର୍ଷ ଧରି ଆକାଶବାଣୀର ବିଭିନ୍ନ କେନ୍ଦ୍ରରେ ବେତାର ପ୍ରସାରଣ କ୍ଷେତ୍ରରେ ଶ୍ରୀ ସାମଲଙ୍କ ନୂତନ ଶୈଳୀର ଉପସ୍ଥାପନା ଶ୍ରୋତାମାନଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ସେହିପରି ପ୍ରଯୋଜନା ଓ ଉପସ୍ଥାପନାରେ ନୂତନତା ପ୍ରୟୋଗ କରି ଶ୍ରୀ ସାମଲ ଶ୍ରୋତା ଏବଂ ବୁଦ୍ଧିଜୀବୀ ମହଲରେ ପ୍ରିୟ ହୋଇପାରିଥିଲେ। ୧୯୮୮ ମସିହା ଫେବ୍ରୁଆରି ୧୨ ତାରିଖରେ ଆକାଶବାଣୀ କଟକ କେନ୍ଦ୍ରରେ ସେ ପ୍ରସାରଣ ନିଷ୍ପାଦକ ଭାବେ ଯୋଗଦାନ କରିଥିଲେ। ପରବର୍ତ୍ତୀ ସମୟରେ ସେ ଆକାଶବାଣୀ ରାଉରକେଲା କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ଏବଂ ଆକାଶବାଣୀ କେନ୍ଦୁଝର କେନ୍ଦ୍ରର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ପରେ କଟକ କେନ୍ଦ୍ରର ସହକାରୀ କେନ୍ଦ୍ର ନିର୍ଦ୍ଦେଶକ(କାର୍ଯ୍ୟକ୍ରମ)ପଦରୁ ଅବସର ନେଇଛନ୍ତି। ସୂଚନା ଥାଉକି, ଯାଜପୁର ଜିଲା ବଡ଼ଚଣା ବ୍ଲକ୍ ବାହାଦୂର ନଗର ଗ୍ରାମରେ ଜନ୍ମିତ ଶ୍ରୀ ସାମଲ ଏବେ କଟକ ସହରର ସିଡିଏରେ ଅବସ୍ଥାନ କରୁଛନ୍ତି। ତାଙ୍କ ଅବସର ଅନେକ ଆକାଶବାଣୀ ପ୍ରେମୀଙ୍କୁ ବିମର୍ଷ କରିଥିଲା ବେଳେ ତାଙ୍କ ଶବ୍ଦ ଆଉ ସ୍ବରର ଆକର୍ଷଣ ପାଇଁ ଅନେକ ଏବେ ଝୁରିହେବେ।
Follow Us