ସଭାମଞ୍ଚରେ ଭାଷଣ ଦେଉଥିଲେ, ଟଳିପଡ଼ିଲେ; ପ୍ରାଣ ହରାଇଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ

Advertisment
ସର୍ପାଘାତରେ ନାବାଳିକା ମୃତ

ବହଳଦା/ଝରାଡ଼ିହି : ସଭାକୁ ଅତିଥି ହୋଇ ଯାଇଥିଲେ। ହେଲେ, ନିୟତିର ବିଧି ଥିଲା ଅନ୍ୟ କିଛି। ମଞ୍ଚରେ ଭାଷଣ ଦେଲାବେଳେ ଟଳିପଡ଼ିଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କେଶବ ନାଥ (୬୮)।

ସୂଚନା ଅନୁସାରେ, ବୁଧବାର ଅପରାହ୍ନ ୪ଟାରେ ରାଇରଙ୍ଗପୁର ଉପଖଣ୍ଡ ବହଳଦା ବ୍ଲକ୍‌ ତାରଣା ଫାତୁ ମେମୋରିଆଲ ଏକାଡେମୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନିମାଇଁ ହେମ୍ବ୍ରମ୍‌ଙ୍କ ଅବସର ଉପଲକ୍ଷେ ସ୍କୁଲ୍‌ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ହେମ୍ବ୍ରମ୍‌ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝରାଡ଼ିହି ବାଳକ ଉଚ୍ଚବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ମଣ୍ଡଳ ମୁଖ୍ୟଅତିଥି, ସୀମାନ୍ତ ଉଚ୍ଚବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡ.ରାଧାକାନ୍ତ ମହାରଣା ମୁଖ୍ୟବକ୍ତା, କୁଲ୍‌ଗୀ ଉଚ୍ଚବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କେଶବ ନାଥ, ଅମୀୟ କୁମାର ଦାସ, ବରିଷ୍ଠ ସାମ୍ବାଦିକ ପ୍ରଭାସ ଦାସ, ଜାରିତାଣ୍ଡି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜକିଶୋର ମହାନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ନାଥ ନିଜ ବକ୍ତବ୍ୟ ରଖିବା ସମୟରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ମଞ୍ଚରେ ବସିପଡ଼ିବା ସହ ସେହିଠାରେ ଅଚେତ ହୋଇଯାଇଥିଲେ। ପରେ, ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ହେଲେ, ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ଜଣେ ଆଦର୍ଶ ଶିକ୍ଷକ ଭାବେ ସୁଖ୍ୟାତି ଅର୍ଜନ କରିଥିବା କେଶବ ନାଥଙ୍କ ଆକସ୍ମିକ ବିୟୋଗରେ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe