ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଗୋପୀନାଥ ମହାନ୍ତିଙ୍କ ପରଲୋକ

Advertisment
ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଗୋପୀନାଥ ମହାନ୍ତିଙ୍କ ପରଲୋକ

ବାଲେଶ୍ବର : ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଗୋପୀନାଥ ମହାନ୍ତିଙ୍କର ସୋମବାର ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କୁ ୭୪ ବର୍ଷ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ଏପ୍ରିଲ୍‌ ୨୪ ତାରିଖରୁ ସେ କଳିଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକର ସ୍ବାଧୀନତା ସଂଗ୍ରାମୀଙ୍କ ଅନ୍ତୁଡ଼ିଶାଳ ଶ୍ରୀଜଙ୍ଗ ହେଉଛି ଗୋପୀନାଥଙ୍କ ଜନ୍ମସ୍ଥାନ। ସ୍ବର୍ଗତ ମହାନ୍ତି ଢେଙ୍କାନାଳ, ଅନୁଗୁଳରେ ଜିଲ୍ଲାପାଳ ରହିବା ସହିତ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ସଚିବ ପଦରୁ ଅବସର ଗ୍ରହଣ କରିଥିଲେ। ସଚିବ ଥିବା ସମୟରେ ସେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ବ୍ୟାସକବି ଫକୀରମୋହନଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସହିତ ଫକୀରମୋହନ ଭବନ ପ୍ରତିଷ୍ଠା କରିବାରେ ଅଗ୍ରଣୀ ଭୂମିକା ନେଇଥିଲେ। ଏହାସହିତ ତାଙ୍କ ସମୟରେ ବିଭିନ୍ନ ସ୍ଥାନରେ ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ସଭାଗୃହ, ପାଠାଗାର ଏବଂ ‌ଗବେଷଣା କେନ୍ଦ୍ରମାନ ହୋଇଥିଲା। ଭୁବନେଶ୍ବର ନୟାପଲ୍ଲୀରେ ସେ ରାଜ୍ୟସ୍ତରୀୟ ଫକୀରମୋହନ ସ୍ମୃତି ସଂସଦ ପ୍ରତିଷ୍ଠା କରିଥିବାବେଳେ ‘କଲଚରାଲ ହେରିଟେଜ୍‌ ଅଫ୍‌ ବାଲେଶ୍ବର’ ନାମରେ ୫ ଶହ ପୃଷ୍ଠାର ଇଂରାଜୀ ପୁସ୍ତକର ସେ ଥିଲେ ମୁଖ୍ୟ ସଂପାଦକ। ତାଙ୍କ ପତ୍ନୀ ସଞ୍ଚିତା ମହାନ୍ତି ଯାଜପୁର କୋରେଇ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା। ଗୋପୀନାଥଙ୍କ ଭଳି ଜଣେ ସାହିତ୍ୟ, ସଂସ୍କୃତି ଅନୁରାଗୀ ବ୍ୟକ୍ତିଙ୍କ ବିୟୋଗରେ ବାଲେଶ୍ବରର ବହୁ ବୁଦ୍ଧିଜୀବୀ ଶୋକ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe