ଅବସର ନେଲେ ଝାରସୁଗୁଡ଼ା ଏସ୍‌ପି ବିକାଶ ଦାଶ, ଯୋଗ ଦେବେ ନୂଆ ଏସ୍‌ପି ରାହୁଲ ଜୈନ

ଅବସର ନେଲେ ଝାରସୁଗୁଡ଼ା ଏସ୍‌ପି ବିକାଶ ଦାଶ, ଯୋଗ ଦେବେ ନୂଆ ଏସ୍‌ପି ରାହୁଲ ଜୈନ

ଝାରସୁଗୁଡା: ଝାରସୁଗୁଡ଼ା ଏସ୍‌ପି ବିକାଶ ଚନ୍ଦ୍ର ଦାଶ ଶନିବାର ଚାକିରି ଜୀବନରୁ ଅବସର ନେବାକୁ ଥିବା ବେଳେ ଝାରସୁଗୁଡ଼ାଠାରେ ନୂଆ ଏସ୍‌ପି ଭାବେ ବରଗଡ଼ରେ  ଥିବା ରହୁଲ ଜୈନ ଯୋଗଦାନ କରିବେ ବୋଲି ଜଣାପଡ଼ିଛି। ଝାରସୁଗୁଡ଼ାଠାରେ ଗତ ବର୍ଷ ଜାନୁଆରି ମାସରେ କାର୍ଯ୍ୟଭାର ଗ୍ରହଣ କରିଥିବା ଏସ୍‌ପି ଶ୍ରୀ ଦାଶ ଝାରସୁଗୁଡ଼ା ପୁଲିସ ଜିଲ୍ଲାରେ ତାଙ୍କର ଦକ୍ଷତା ଓ ଅନୁଭବକୁ କାର୍ଯ୍ୟରେ ଲଗାଇ ସବୁ ପୁଲିସ ଅଧିକାରୀଙ୍କୁ ସକ୍ରିୟ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏକାଧିକ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଥିବା ବେଳେ ଅଭିଯୁକ୍ତକୁ ଅଳ୍ପ ସମୟ ମଧ୍ୟରେ ଗିରଫ କରାଯାଇଥିଲା। ଏକାଧିକ ଠକଇ ଓ ଲୁଟ୍‌ ମାମଲା, ସାଇବର ଅପରାଧରେ ସଂପୃକ୍ତ ଥିବା ଅପରାଧୀ ଧରାପଡ଼ିଥିବା ଜଣାଯାଇଛି। ଏସ୍‌ପି ଶ୍ରୀ ଦାଶ ପୁଲିସ ପ୍ରାଶାସନିକ ଦାୟିତ୍ବ ସହିତ ସାରସ୍ବତ ସାଧନାକୁ ମଧ୍ୟ ଅଧିକ ଗୁରୁତ୍ବ ଦେଇଥିଲେ।

ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ନିଜେ ଅନେକ ସାହିତ୍ୟ ସଭାର ଆୟୋଜନ କରିବା ସହିତ ଜିଲ୍ଲାର ସବୁ ସାହିତ୍ୟିକ, କବି, ଲେଖକମାନଙ୍କୁ ସଂଗଠିତ କରିବାକୁ ପ୍ରୟ‌ାସ କରି ସଫଳ ହୋଇଥିଲେ। ନିଜ ବାସଭବନରେ କବିତା ଆସର କରି କବିଙ୍କ ସୃଜନଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରୁଥିଲେ। ଝାରସୁଗୁଡ଼ା ଜିଲ୍ଲା ଏକ ଶାନ୍ତିପ୍ରିୟ ଜିଲ୍ଲା ହୋଇଥିବା ବେଳେ କୋଇଲା ଖଣି, ଶିଳ୍ପ କାରଖାନା ଓ ରେଳ ଜଙ୍କସନକୁ ନେଇ ଅନେକ ସମୟରେ ବହୁ ଅପରାଧ ସଂଗଠିତ ହୋଇଥାଏ। କୋଇଲା ମାଫିଆମାନଙ୍କ ପତିଆରା ବୃଦ୍ଧିକୁ ନେଇ ଅତୀତରେ ଅନେକ ଗୁଳିକାଣ୍ଡ ଓ ହତ୍ୟାକାଣ୍ଡ ଘଟି ଯାଇଥିଲା। ତେବେ ଏହି ଅପରାଧ ସହିତ ସଂପୃକ୍ତ ଅପରାଧୀମାନେ ଏବେ ଜେଲ ଭିତରେ ଥିବାରୁ  ଜିଲ୍ଲାର ବ୍ରଜରାଜନଗର, ବେଲପାହାଡ଼ ଆଦି ସ୍ଥାନରେ ଶାନ୍ତ ବାତାବରଣ ରହିଛି।

ତେବେ ଲଇକେରା ଥାନା ଅଞ୍ଚଳରେ ହେଉଥିବା କୋଟି କୋଟି ଟଙ୍କାର ଜୁଆ ଖେଳ ଓ ଝାରସୁଗୁଡ଼ା ଜିଲ୍ଲାର ବେଆଇନ ମଦ କାରବାରରେ ପୁଲସ ପ୍ରଶାସନ ଅଙ୍କୁଶ ଲଗାଇବାରେ ସେତେ ସଫଳ ହୋଇ ନଥିଲା। ନୂଆ ଏସ୍‌ପି ଉପରୋକ୍ତ ଜୁଆ ଓ ମଦକୁ କିଭଳି ଅଙ୍କୁଶ ଲଗାଇବେ ତାକୁ ସମ‌େ‌ସ୍ତ‌େ ଅନାଇ ରହିଛନ୍ତି। ସହରର ଟ୍ରାଫିକ ନିୟନ୍ତ୍ରଣ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ଗୋଟିଏ ମୁଖ୍ୟରାସ୍ତା ହୋଇଥିବା ବେଳେ ‌ବିଭିନ୍ନ ସମୟରେ ଶୋଭାଯାତ୍ରା ଏହି ରାସ୍ତାକୁ ଅବରୋଧ କରିଥାଏ। ଫଳରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ। ରେଳ ଷ୍ଟେସନକୁ ଯାଉଥିବା ଯାତ୍ରୀ, ସହରର ଆର ପଟକୁ ଯାଉଥିବା ଲୋକ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି। ଆଗକୁ  ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ରାଜନୈତିକ ଛକାପଞ୍ଝା ନୂତନ ଏସ୍‌ପି ଶ୍ରୀ ଜୈନଙ୍କ ପାଇଁ  ଏକ ଚ୍ୟାଲେଞ୍ଜ ହୋଇପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe