ଖୋର୍ଦ୍ଧା-କଟକ ଜିଲ୍ଲା କୋଭିଡ ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ; ଡାକ୍ତରଙ୍କ ଅବସର ବୟସ ୬୨ରୁ ୬୫ ବର୍ଷକୁ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଜିଲ୍ଲାକୁ ୩୦ କୋଟି ମଞ୍ଜୁର

ଖୋର୍ଦ୍ଧା-କଟକ ଜିଲ୍ଲା କୋଭିଡ ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ; ଡାକ୍ତରଙ୍କ ଅବସର ବୟସ ୬୨ରୁ ୬୫ ବର୍ଷକୁ  ବୃଦ୍ଧି

ଭୁବନେଶ୍ବର: ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ଖୋର୍ଦ୍ଧା (ଭୁବନେଶ୍ବର) ଓ କଟକ ଜିଲ୍ଲାରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥତା ହାର ୭୦ ପ୍ରତିଶତ ଥିବାବେଳେ କଟକ ଜିଲ୍ଲାରେ ଏହା ୭୧ ପ୍ରତିଶତ ରହିଛି, ଯାହାକି ଜାତୀୟ ହାର ୬୩ ପ୍ରତିଶତରୁ ଅଧିକ ଅଟେ। ଏଥିପାଇଁ ଆଜି ଦୁଇ ଜିଲ୍ଲାର କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଓ କଟକ ଜିଲ୍ଲାର କୋଭିଡ ପରିଚାଳନା ଟିମ୍‌କୁ ଧନ୍ୟବାଦ ଜଣାଇଥିଲେ। ଏହାସହିତ କୋଭିଡ ପରିଚାଳନାକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଜିଲ୍ଲା ପାଇଁ ୧୫ କୋଟି ଲେଖାଏଁ ସମୁଦାୟ ୩୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି।

ଏହା ସହିତ, ନୂଆ କୋଭିଡ ଡାକ୍ତରଖାନା ଓ କୋଭିଡ କେୟାର ହୋମ୍‌ ପରିଚାଳନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ୨୦ କୋଟି ୬୪ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରିଛନ୍ତି।
କୋଭିଡ ପରିସ୍ଥିତିରେ ଡାକ୍ତରମାନଙ୍କ ଗୁରୁ ଦାୟିତ୍ବ ରହିଛି। ଏହାକୁ ଦୃଷ୍ଟିରେ ରଖି ଓଏଚଏମଏସ୍  କ୍ୟାଡରର ଡାକ୍ତରମାନଙ୍କ ଅବସର ବୟସକୁ ୬୨ ରୁ ୬୫ ବର୍ଷକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ। ଏହାସହିତ ଲେବର ଓ ଇଏସଆଇ ବିଭାଗରେ କାମ କରୁଥିବା ଇନସୁରାନ୍ସ ମେଡିକାଲ ଅଫିସରମାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ।

ଏହି ଅବସରରେ କୋଭିଡ-୧୯ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ସାମିଲ ହୋଇ ନୂଆ କୋଭିଡ କେୟାର ହୋମ୍‌ ଓ କୋଭିଡ କେୟାର ସେଣ୍ଟର ସ୍ଥାପନ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅନୁଷ୍ଠାନ ଓ କର୍ପୋରେଟ୍‌ ସେକ୍ଟରମାନଙ୍କୁ ଆହ୍ବାନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ସ୍ବଳ୍ପ ଓ ମଧ୍ୟମ ଲକ୍ଷଣ ଥିବା କରୋନା ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ କେୟାର ସେଣ୍ଟର ଓ କୋଭିଡ କେୟାର ହୋମ୍‌ର ପରିକଳ୍ପନା କରାଯାଇଛି। କରୋନା ଯୁଦ୍ଧରେ ଆଗଧାଡିରେ ଥିବା କୋଭିଡ ଯୋଦ୍ଧାମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe