ପ୍ରଥମଥର ବାଲିରେ ଆୟୋଜନ ହେବ ‘ଫେରନ୍ତା ବାଲିଯାତ୍ରା’: ଏପ୍ରିଲ ୫ରେ ବୋଇତ ବନ୍ଦାଣ, ୫ ଦିନିଆ ଉତ୍ସବ

Advertisment

ସାମିଲ ହେବେ ଭାରତ ଓ ଇଣ୍ଡୋନେସିଆର ବ୍ୟବସାୟୀ, ସଂସ୍କୃତି ଗବେଷକ

ସାମିଲ ହେବେ ଭାରତ ଓ ଇଣ୍ଡୋନେସିଆର ବ୍ୟବସାୟୀ, ସଂସ୍କୃତି ଗବେଷକ

ପ୍ରଥମଥର ବାଲିରେ ଆୟୋଜନ ହେବ ‘ଫେରନ୍ତା ବାଲିଯାତ୍ରା’: ଏପ୍ରିଲ ୫ରେ ବୋଇତ ବନ୍ଦାଣ, ୫ ଦିନିଆ ଉତ୍ସବ

କଟକ: ଉତ୍କଳୀୟ ନୌବାଣିଜ୍ୟ ଐତିହ୍ୟ ସ୍ମୃତିରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ କଟକରେ ଐତିହାସିକ ବାଲିଯାତ୍ରା ହେଉଥିବା ବେଳେ ପ୍ରଥମଥର ପାଇଁ ଇଣ୍ଡୋନେସିଆର ବାଲିରେ ଫେରନ୍ତା ବାଲିଯାତ୍ରା ଆୟୋଜନ ହେବାକୁ ଯାଉଛି। କଳିଙ୍ଗ ଇଣ୍ଟରନାସନାଲ୍‌ ୟୁଥ୍‌ ଫାଉଣ୍ଡେସନ୍‌ ସଂଯୋଜନାରେ ଆସନ୍ତା ଏପ୍ରିଲ ମାସରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏହି ୫ ଦିନିଆ ଉତ୍ସବ ଏପ୍ରିଲ ୫ ତାରିଖରୁ ବାଲିରେ ଆରମ୍ଭ ହେବ। ପରମ୍ପରାକୁ ଦୋହରାଇ ଏହି ଫେରନ୍ତା ଯାତ୍ରା ଏପ୍ରିଲ ୫ ତାରିଖ ଚୈତ୍ର ପୂର୍ଣ୍ଣିମା ଦିନ ଆରମ୍ଭ କରାଯିବ ବୋଲି କଳିଙ୍ଗ ୟୁଥ୍‌ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ବିଭୁ ପ୍ରସାଦ ସ୍ବାଇଁ ସୂଚନା ଦେଇଛନ୍ତି।

ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ କଳିଙ୍ଗର ସାଧବ ପୁଅମାନେ ବୋଇତ ନେଇ ବାଲି ଯାଉଥିବା ବେଳେ ଚୈତ୍ର ପୂର୍ଣ୍ଣିମାରେ ସେଠାରୁ ପ୍ରତ୍ୟାବର୍ତ୍ତନ କରନ୍ତି। ସେହି ଆଧାରରେ ଆସନ୍ତା ଏପ୍ରିଲ ୫ତାରିଖ ଚୈତ୍ର ପୂର୍ଣ୍ଣିମା ଦିନ ବାଲିଠାରେ ଏ ବର୍ଷର ଉତ୍ସବ ଆରମ୍ଭ ହେବ। ସେଦିନ ବାଲିଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ବୋଇତ ବନ୍ଦାଣ କରାଯିବ ଓ ୫ ଦିନିଆ ବାଣିଜ୍ୟ ମେଳା ଉଦ୍‌ଘାଟିତ ହେବ। କାର୍ଯ୍ୟକ୍ରମରେ ବାଲି ଟ୍ୟୁରିଜିମ୍‌ ପ୍ରମୋସନ୍‌ ବୋର୍ଡ ଓ ସୁକର୍ଣ୍ଣୋ ଫାଉଣ୍ଡେସନ୍‌ ସାମିଲ ହେବାକୁ ସହମତି ପ୍ରଦାନ କରି ସାରିଥିବା ବେଳେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ଭାରତ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ଇଣ୍ଡିଆନ୍‌ ଚ୍ୟାମ୍ବର ଅଫ୍‌ କମର୍ସ ଓ ଇଣ୍ଡୋନେସିଆ ସରକାରଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି।

ସେଠାରେ ୫ଦିନିଆ କାର୍ଯ୍ୟକ୍ରମରେ ଉଭୟ ଦେଶର ସାଂସ୍କୃତିକ ସମ୍ପର୍କର ଇତିହାସ ଓ ବାଣିଜ୍ୟିକ ସମ୍ପର୍କର ବିକାଶ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଗତ ବାଲିଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲିଠାରେ ଜି-୨୦ ସମ୍ମିଳନୀରେ କଟକର ବାଲିଯାତ୍ରା ସମ୍ପର୍କରେ ମତାମତ ରଖିବା ପରେ ଏହି ଉଦ୍ୟମ ଆରମ୍ଭ କରାଯାଇଛି। ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, କଳା ଓ ସଂସ୍କୃତି ଆଦାନପ୍ରଦାନରେ ସୁଫଳ ମିଳିବା ସହ ଓଡ଼ିଆ ସାଧବପୁଅଙ୍କ ଗୌରବମୟ ନୌଯାତ୍ରା ବାଲିରେ ପୁନର୍ବାର ଉଜ୍ଜୀବିତ ହୋଇପାରିବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe