ଜୟପୁର: ରାଜ୍ୟସ୍ତରୀୟ ଲୋକମହୋତ୍ସବ ‘ପରବ’ ର କିଛି ଜିଲ୍ଲାସ୍ତରୀୟ ସାଂସ୍କୃତିକ ଓ ଦୌଡକୁଦ ପ୍ରତିଯୋଗିତା ଜୟପୁରରେ କରାଯିବାକୁ ପୌରାଂଚଳସ୍ତରୀୟ ପରବ ଓ ପଥଉତ୍ସବ ପ୍ରସ୍ତୁତି ବୈଠକରେ ଦାବି କରିଥିଲେ ବରିଷ୍ଠ କଳାକାର ଓ କ୍ରୀଡାବିତ। ଏହା ପରେ ଆଜି ସଂଧ୍ୟାରେ ଜିଲ୍ଲାପାଳ ମହମ୍ମଦ ଆବଦଲ ଆକ୍ତରଙ୍କୁ ଭେଟି ଏମାନେ ଆଲୋଚନା କରିଥିଲେ। ଏଥିରେ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି.ସୁନିତା, ବରିଷ୍ଠ କଳାକାର ଧିରେନ ମୋହନ ପଟ୍ଟନାୟକ, ରବି ପାତ୍ର, ମନୋଜ ପାତ୍ର, ରବି ନାୟକ, ନିରଂଜନ ପାଣିଗ୍ରାହୀ, ଦେବେନ୍ଦ୍ର ବାହିନୀପତି, ଶ୍ରୀକାନ୍ତ ଦାଶ, କାଉନସିଲର ଯଶପାଲ ସିଂ, ବାବୁ ବିଷୋୟୀ, ପ୍ରଣବ କିଶୋର ନାୟକ, ଦେବେନ୍ଦ୍ର ଚୌଧୁରୀ, ଅଜୟ ବେହେରା ପ୍ରମୁଖ ଭାଗ ନେଇଥିଲେ।
ଦାବିରେ ଯଥାର୍ଥତା ରହିଛି ତେବେ କୋରାପୁଟ ଓଜୟପୁରରେ ୨ଟି ସ୍ଥାନରେ ଉତ୍ସବ ପାଳନ ପାଇଁ ପ୍ରଶାସନ ନିକଟରେ ସେ ପରିମାଣର ଖର୍ଚ୍ଚ କରିବା ପାଇଁ ଅନୁଦାନ ଟଙ୍କା ନାହିଁ। ତେଣୁ ସ୍ବଳ୍ପ ବଜେଟରେ ଉତ୍ସବ ପାଳନ କରାଯାଉଛି ବୋଲି ଜିଲ୍ଲାପାଳ ପ୍ରତିନିଧି ଦଳକୁ ବୁଝାଇଥିଲେ। ପଥଉତ୍ସବ ଦିନର ସ୍ବଳ୍ପ ସମୟ ବଦଳରେ ଦିନ ତମାମ ଓ ରାତି ପର୍ଯ୍ୟନ୍ତ କିମ୍ବା ଦୁଇ ଦିନ ଏହି ଉତ୍ସବ ପାଳନ କରନ୍ତୁ ବୋଲି ଜିଲ୍ଲାପାଳ କହିଥିଲେ। ନଚେତ ଜାନୁଆରୀ ମାସରେ ହେବାକୁ ଥିବା ହକି ବିଶ୍ବ କଫ ଚାଳିବା ସମୟରେ ସ୍ବତନ୍ତ୍ର ଭାବେ ଜୟପୁର ମହୋତ୍ସବ କରାଯାଉ ବୋଲି ଜିଲ୍ଲାପାଳ ପ୍ରସ୍ତାବ ଦେଇଥିଲେ। ଏହି ଦୁଇ ପ୍ରସ୍ତାବକୁ ନେଇ ଆଲୋଚନା କରି ଯେଉଁ ଗୋଟାକୁ ଆସନ୍ତା ଦୁଇ ଦିନ ମଧ୍ୟରେ ତାଙ୍କୁ ଜଣାଇବାକୁ ଜିଲ୍ଲାପାଳ କହିଥିଲେ। ଆସନ୍ତାକାଲି ଏହାକୁ ନେଇ ପୁଣି ସହରର ବରିଷ୍ଠ କଳାକାର, କ୍ରୀଡାବିତ୍ ଓ ଲୋକପ୍ରତିନିଧିଙ୍କୁ ନେଇ ବୈଠକ କରି ନିଷ୍ପତି ନିଆଯିବ ବୋଲି କହିଛନ୍ତି ବରିଷ୍ଠ କଳାକାର ଧିରେନ ପଟ୍ଟନାୟକ।
Follow Us