Image Courtesy of Times Now
ଝାରସୁଗୁଡ଼ା: ସୋମବାର ସନ୍ଧ୍ୟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଝାରସୁଗୁଡ଼ା ଆୟକର ବିଭାଗର ଏକ ଟିମ୍ ଚଢ଼ାଉ କରି ୨ ଯାତ୍ରୀଙ୍କଠାରୁ ନଗଦ ୧୫ ଲକ୍ଷ ଟଙ୍କା ଜବତ କରିଛି। ଏତେ ପରିମାଣର ଟଙ୍କା କୁଆଡ଼ୁ ଆସିଲା, କାହିଁକି ଆସିଲା ସେନେଇ ଆୟକର ବିଭାଗର ଟିମ୍ ବିମାନ ବନ୍ଦର ପରିସରରେ ପଚରାଉଚରା କରିଥିଲା। କିନ୍ତୁ, କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଉକ୍ତ ୨ ଯାତ୍ରୀଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ଏହି ଦୁଇ ଯାତ୍ରୀ ହେଲେ, ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଦର୍ଲିପାଲିର ଫ୍ଲାଏ ଆସ୍ ବ୍ୟବସାୟୀ ସଞ୍ଜୟ ପାଣ୍ଡେ ଓ ତାଙ୍କ ସହଯୋଗୀ।
ସୂଚନା ଅନୁସାରେ, ଭୁବନେଶ୍ବରରୁ ଝାରସୁଗୁଡ଼ା ଆସୁଥିବା ବିମାନରେ ୨ ଜଣ ଯାତ୍ରୀ ଏକ ଆଟାଚି ଭର୍ତ୍ତି ଟଙ୍କା ନେଇ ଯାଉଥିବା ସୂଚନା ମିଳିଥିଲା। ପୂର୍ବ ସୂଚନା ଆଧାରରେ ଆୟକର ବିଭାଗର ଟିମ୍ ଝାରସୁଗୁଡ଼ା ବିମାନ ବନ୍ଦରରେ ଛକି ରହିଥିଲା। ଉଭୟ ଯାତ୍ରୀ ବିମାନରୁ ଓହ୍ଲାଇବା ପରେ ଆୟକର ବିଭାଗର ଟିମ୍ ସେମାନଙ୍କୁ ଧରି ଯାଞ୍ଚ କରିଥିଲା। ଏହିସମୟରେ ସଞ୍ଜୟ ପାଣ୍ଡେଙ୍କ ଆଟାଚିରେ ୫୦୦ ଟଙ୍କିଆ ନୋଟ୍ ଭର୍ତ୍ତି ହୋଇଥିବା ଜଣାପଡ଼ିଥିଲା। ସଞ୍ଜୟ ପାଣ୍ଡେ ଜଣେ ଫ୍ଲାଏ ଆସ୍ ବ୍ୟବସାୟୀ ହୋଇଥିବା ବେଳେ ଏନ୍ଟିପିସି ଦର୍ଲିପାଲିର ପାଉଁଶ ପରିବହନ କରୁଥିବା ନଭ୍କାର୍ କମ୍ପାନି ପାଇଁ ସେ କାର୍ଯ୍ୟରତ ଥିଲେ ବୋଲି ଜଣାପଡ଼ିଛି।
Follow Us