ଭୁବନେଶ୍ବର: ରାଜ୍ୟରେ ବହୁ ଦିନରୁ ଜମିଜମା ସଂକ୍ରାନ୍ତୀୟ ମାମଲା ପଡ଼ି ରହିଥିବାରୁ ରାଜସ୍ୱ ହାନି ଘଟୁଛି। ରାଜ୍ୟ ସରକାର ଶିଳ୍ପକୁ ପ୍ରାଧାନ୍ୟ ଦେଉଥିବା ବେଳେ ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବିତ ହେଉଛି। ବହୁ ସରକାରୀ ଜମି ଏବେ ମଧ୍ୟ ଜବରଦଖଲରେ ରହିଛି। ଏନେଇ ରାଜ୍ୟ ସରକାର ଏକ ବିସ୍ତୃତ ରୋଡ୍ ମ୍ୟାପ୍ ଜରିଆରେ ସମସ୍ତ ଜମିଜମା ସମସ୍ୟାର ସମାଧାନ, ଜବରଦଖଲ ଜମିକୁ ସରକାର ଅଧୀନକୁ ଆଣିବା, ଭୂମିହୀନଙ୍କୁ ଘରଡିହ ଯୋଗାଇବା ସହ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଆଇନରେ ବ୍ୟାପକ ସଂଶୋଧନ ଆଣିବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ଦୁଇଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ସମ୍ମିଳନୀର ପ୍ରଥମ ଅଧିବେଶନରେ ରାଜସ୍ୱ ପ୍ରଶାସନକୁ ସୁବ୍ୟବସ୍ଥିତ କରିବା, ରାଜସ୍ୱ ରେକର୍ଡର ଆଧୁନିକୀକରଣ, ଭୂ-ଅଧିଗ୍ରହଣରେ ରହୁଥିବା ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏହି ଅଧିବେଶନରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ, ରାଜ୍ୟରେ ବିଜେପି ସରକାର ଆସିବା ପରେ ଭୂ-ଆଇନରେ ଅନେକଗୁଡ଼ିଏ ସଂସ୍କାର ଆଣିଛନ୍ତି। ଜମିପଟ୍ଟା ସଂଶୋଧନ ପ୍ରକ୍ରିୟାରେ ସରଳୀକରଣ କରାଯାଇଛି। ରାଜ୍ୟ ସରକାର ବିଭିନ୍ନ ବୃହତ୍ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଯୋଜନା ରଖିଥିବା ବେଳେ ଏଥିପାଇଁ ଲ୍ୟାଣ୍ଡ ବ୍ୟାଙ୍କ ଜରିଆରେ ଆବଶ୍ୟକ ଜମି ଯୋଗାଇଦେବା ସରକାରଙ୍କ ପ୍ରାଥମିକତା ରହିଛି। ଏଥିପାଇଁ ଜବରଦଖଲ ହୋଇଥିବା ସମସ୍ତ ସରକାରୀ ଜମି ଉଚ୍ଛେଦ କରାଯିବ। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଜମି ଅଧିଗ୍ରହଣରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ରାଜ୍ୟର ବିକାଶ ପାଇଁ ଜିଲ୍ଲାକୁ ଦିଆଯାଉଥିବା ପାଣ୍ଠିକୁ ଠିକ୍ ଓ ସମୟୋପଯୋଗୀ ବିନିଯୋଗ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ଆଉ ୧୦୦ଟି ବହୁମୁଖୀ ବନ୍ୟାବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହେବା ସଂପର୍କରେ ମନ୍ତ୍ରୀ ସୂଚନା ଦେଇଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଦେଓରଂଜନ କୁମାର ସିଂହ କହିଥିଲେ, ରାଜସ୍ୱ ବ୍ୟବସ୍ଥାର ଆଧୁନିକୀକରଣ ଯୋଗୁ ଦୀର୍ଘ ଦିନରୁ ବକେୟା ପଡ଼ିଥିବା ୯୦%ରୁ ଅଧିକ ରାଜସ୍ୱ ମାମଲା ଫଇସଲା ହୋଇପାରିଛି। ରାଜ୍ୟରେ ଶିଳ୍ପ ପ୍ରକଳ୍ପ, ବ୍ୟବସାୟ ଉପଯୋଗୀ ବାତାବରଣ, ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା, ଲୋକମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ, ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳତା ପାଇଁ ରାଜସ୍ୱ ପ୍ରଶାସନକୁ ସୁଦୃଢ଼ କରିବା ଓ ରାଜସ୍ୱ ଆଇନରେ ଆବଶ୍ୟକ ସଂସ୍କାରର ଆବଶ୍ୟକତା ରହିଛି। ବୃହତ୍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ୩ରୁ ୫ବର୍ଷ ଲାଗୁଥିବାରୁ ଏଥିରେ ସରଳୀକରଣ ପାଇଁ ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅଦ୍ୟାବଧି ରାଜ୍ୟରେ ପ୍ରାୟ ୧ କୋଟି ଏକର ସରକାରୀ ଜମି ରହିଛି, ଯାହା ରାଜ୍ୟର ଶିଳ୍ପ ଓ ସାମଗ୍ରିକ ଭିତ୍ତିଭୂମି ବିକାଶରେ ସହାୟକ ହେବ ବୋଲି ସେ କହିଥିଲେ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବ ଉପସ୍ଥିତ ଥିବା ବେଳେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର, ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ, ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ବିଷୟଭିତ୍ତିକ ପ୍ରସଙ୍ଗରେ ନିଜ ନିଜ ଜିଲ୍ଲାରେ ରାଜସ୍ୱ ପ୍ରଶାସନ, ରାଜସ୍ୱ ରେକର୍ଡର ଆଧୁନିକୀକରଣ ଏବଂ ଭୂ-ଅଧିଗ୍ରହଣ ସମସ୍ୟା ଓ ସମାଧାନ ସଂପର୍କରେ କହିଥିଲେ। ଏହାସହ ରାଜ୍ୟ ସରକାରଙ୍କୁ ଆବଶ୍ୟକ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ଶୁଣିବା ପରେ ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ଜିଲ୍ଲାପାଳଙ୍କଠାରୁ ଜମିଜମା ସଂକ୍ରାନ୍ତୀୟ ସଂଶୋଧନ ପ୍ରସ୍ତାବ ନଭେମ୍ବର ଶେଷ ସୁଦ୍ଧା ଦେବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଜିଲ୍ଲାପାଳମାନେ ରାଜସ୍ୱ ଆଇନରେ ଆବଶ୍ୟକ ସଂଶୋଧନ ସଂପର୍କିତ ପ୍ରସ୍ତାବ ଫେବ୍ରୁଆରି ସୁଦ୍ଧା ଦେବାକୁ କହିଛନ୍ତି।
ସବୁ ସରକାରୀ ଜମି ଜବରଦଖଲମୁକ୍ତ ହେବ
ନୈତିକ ମୂଲ୍ୟବୋଧକୁ ଗୁରୁତ୍ବ ଦିଅ: ମୁଖ୍ୟ ସଚିବ
ଭୁବନେଶ୍ୱର: ନାଗରିକମାନେ ହେଉଛନ୍ତି ଆମ ରାଜ୍ୟର ପ୍ରମୁଖ ସମ୍ପଦ। ପ୍ରତି ପ୍ରଶାସନିକ କାର୍ଯ୍ୟ ଓ ସେବା ପ୍ରଦାନ ବେଳେ ସେମାନଙ୍କର ମର୍ଯ୍ୟାଦା ପ୍ରତି ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଲୋକସେବା ଅଧିକାର ଅଧିନିୟମକୁ କାର୍ଯ୍ୟକାରୀ କଲାବେଳେ ତଥା ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ କ୍ଷେତ୍ରରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ନୈତିକ ମୂଲ୍ୟବୋଧକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତୁ ବୋଲି ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି।
ଦୁଇଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀର ପ୍ରଥମ ଦିନର ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ସଚିବ ଶ୍ରୀ ଆହୁଜା କହିଥିଲେ, ପ୍ରତି ଗାଁରେ ନାଗରିକମାନେ ସମ୍ମାନର ସହିତ ଜୀବନଯାପନ କରିବା ପାଇଁ ସେମାନଙ୍କ ନିକଟରେ କିପରି ପାନୀୟଜଳ, ସ୍ୱାସ୍ଥ୍ୟସେବା, ଗମନାଗମନ ପାଇଁ ସଡ଼କ ସୁବିଧା, ମୋବାଇଲ ଯୋଗାଯୋଗ, ବିଦ୍ୟୁତ୍ ସେବା ସହ ଜନକଲ୍ୟାଣକାରୀ ଯୋଜନାର ସୁଫଳ ପହଞ୍ଚିବ ସେ ନେଇ ଜିଲ୍ଲାପାଳମାନେ ନିଶ୍ଚିତ କରିବା ସହ ତ୍ବରିତ ପଦକ୍ଷେପ ନିଅନ୍ତୁ। କିଭଳି ସ୍ୱଚ୍ଛତାର ସହ, ବିନା ଅସୁବିଧାରେ ପ୍ରଶାସନିକ ଢାଞ୍ଚାରେ ଆବଶ୍ୟକ ସୁଧାର ଓ ବୈଷୟିକ ଜ୍ଞାନକୌଶଳ ଉପଯୋଗ ମାଧ୍ୟମରେ ତ୍ୱରିତ ଓ ସୁବିଧାରେ ଜନସାଧାରଣ ଉଦ୍ଦିଷ୍ଟ ସେବା ପାଇପାରିବେ ସେନେଇ ମୁଖ୍ୟ ସଚିବ ବିସ୍ତୃତ ଭାବେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରି ପରାମର୍ଶ ଦେଇଥିଲେ। ଅଧିବେଶନରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜ ଉପସ୍ଥିତ ଥିଲେ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଅଧିବେଶନରେ ଆଲୋଚ୍ୟ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଏହି ଅଧିବେଶନରେ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନରେ ନୈତିକତା, ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଭୁକ୍ତ ସେବା ପ୍ରଦାନ, ବ୍ୟକ୍ତିଗତ ଅଧିକାର, ସରକାରୀ କଲ୍ୟାଣ ଯୋଜନା, ସାମୂହିକ ସମ୍ପଦ ଏବଂ ଜନ ସାଧାରଣଙ୍କୁ ସୁବିଧାରେ ସରକାରୀ ସେବା ପ୍ରଦାନ ସଂପର୍କିତ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅଧିବେଶନରେ ଦେବଗଡ଼ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତିଭାସନ୍ ଭି, ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ ପ୍ରମୁଖ ସେମାନଙ୍କ ଜିଲ୍ଲାରେ କିପରି ସୁବିଧାରେ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ କରାଯାଉଛି ସେ ସଂପର୍କରେ ସୂଚନା ଦେଇଥିଲେ।
Follow Us